ହଲ୍‌ ମାଲିକ-ପ୍ରଯୋଜକ ବିବାଦ: ‘ମହାରାଜା’ରୁ ହଟିଲା ‘ଡେଲିଭରି ବୟ’

ଭୁବ‌ନେଶ୍ବର: ଏକ ବିବାଦୀୟ ପରିସ୍ଥିତିରେ ମହାରାଜା ସିନେମା ହଲ୍‌ରୁ ଚଳଚ୍ଚିତ୍ର ‘ଡେଲିଭରି ବୟ’ ଉଠିଯାଇଛି। ହଲ୍‌କୁ ନେଇ ପ୍ରଯୋଜକ ଜ୍ୟୋତିରଂଜନ ମହାନ୍ତିଙ୍କ ବିବାଦୀୟ ମନ୍ତବ୍ୟର ଫଳସ୍ବରୂପ ହଲ୍‌ ମାଲିକ ଚଳଚ୍ଚିତ୍ରକୁ ହଟାଇ ଦେଇଛନ୍ତି। ଭଲ ପ୍ରଦର୍ଶନ ଓ ଦର୍ଶକଙ୍କ ଆଦର ପାଇବା ସତ୍ତ୍ବେ ଚଳଚ୍ଚିତ୍ରକୁ କାହିଁକି ହଲ୍‌ରୁ ହଟାଗଲା ବୋଲି ପ୍ରଯୋଜକ ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ମହାରାଜା ହଲ୍‌ ସଂପର୍କ‌ରେ ଏକ ମନ୍ତବ୍ୟ ଦେଇ ପ୍ରଯୋଜକ ଶ୍ରୀ ମହାନ୍ତି କହିଥିଲେ ଯେ ‘‘ଏହି ହଲ ହେଉଛି ଦିବ୍ୟାଙ୍ଗ ହଲ୍‌, ଯେଉଁଠି ସିନେମା ଚାଲିବା ପାଇଁ ଭିତ୍ତିଭୂମି ନାହିଁ। ଏଠାରେ ଦିବ୍ୟାଙ୍ଗ ଦର୍ଶକଙ୍କ ପାଇଁ କୌଣସି ସୁବିଧା ନାହିଁ। ଏଣୁ ଏଭଳି ଦିବ୍ୟାଙ୍ଗ ହଲ୍‌ରେ ମୁଁ ମୋ ଚଳଚ୍ଚିତ୍ର ପକାଇବାକୁ ଚାହୁ ନାହିଁ। ୭ ଦିନ ପରେ ମୋ ଚଳଚ୍ଚିତ୍ର ମୁଁ ଏହି ହଲ୍‌ରୁ ଉଠାଇଦେବି।’’

ଏ ସଂପର୍କରେ ହଲ୍‌ ମାଲିକ ଲିଙ୍ଗରାଜ ପଣ୍ଡା କହିଛନ୍ତି, ମହାରାଜା ହଲ୍‌କୁ ‘ଦିବ୍ୟାଙ୍ଗ ହଲ୍‌’ କୁହାଯିବା ଆମକୁ ଭାରି ବାଧିଛି। ତାଙ୍କ ସହ ଆମର ୭ ଦିନର ଚୁକ୍ତି ହୋଇଥିଲା। ଆଉ ୩ ଦିନ ଅଧିକ ଚଳଚ୍ଚିତ୍ର ପ୍ରଦର୍ଶନ କରି ଆଜି ଆମେ ଏହାକୁ ହଲ୍‌ରୁ ଉଠାଇ ଦେଇଛୁ। ସେ ଯଦି ଆମ ହଲ୍‌ରେ ସିନେମା ପକାଇବାକୁ ଚାହୁନାହାନ୍ତି, ତା‌ହେଲେ ଆମେ କାହିଁକି ପକାଇବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅପରପକ୍ଷେ, ଭୁବନେଶ୍ବର ପ୍ରେସ୍ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ପ୍ରଯୋଜକ ଶ୍ରୀ ମହାନ୍ତି କହିଛନ୍ତି ଯେ ଚଳଚ୍ଚିତ୍ରଟି ଭଲ ଚାଲିଥିବା ବେଳେ ମହାରାଜା ହଲ୍ ଆକ୍ରୋଶମୂଳକ ଭାବେ ଏହାର ପ୍ରଦର୍ଶନ ବନ୍ଦ କରିଛି। ଫିଲ୍ମ ପାଇଁ ରାଜ୍ୟ ସରକାର କରଛାଡ଼ ଘୋଷଣା କରିଥିବା ବେଳେ ମହାରାଜା ହଲ୍‌ ପକ୍ଷରୁ ପ୍ରଥମ ତିନି ଦିନ କୌଣସି ଟାକ୍ସ ଛାଡ଼ କରିନାହିଁ। ଏଥିସହ ସମୟ ଓ ଚୁକ୍ତି ସରି ନଥିବା ବେଳେ କେଉଁ କାରଣରୁ ହଲରୁ ଚଳଚ୍ଚିତ୍ରଟିକୁ ଉଠାଗଲା? ଏହା ବିରୋଧରେ ସିଣ୍ଡିକେଟ୍ ଓ ଆଇନର ଆଶ୍ରୟ ନିଆଯିବ।

ସମ୍ବନ୍ଧିତ ଖବର