ଛଟପଟ ହେଉଛି ଓଡ଼ିଶା, ୪୩ ଡିଗ୍ରି ଉପରେ ରାଜ୍ୟର ୯ ସହର, ୨୧ଯାଏ ଗମ୍ଭୀର ସ୍ଥିତି

୨୩ ସହରରେ ଖଇ ଫୁଟୁଛି, ବିଶ୍ବର ଉତ୍ତପ୍ତ ସହର ତାଲିକାରେ ବାରିପଦା, ଝାରସୁଗୁଡ଼ା

ଭୁବନେଶ୍ବର : ମାତ୍ର ୨୪ ଘଣ୍ଟା ଭିତରେ ସର୍ବୋଚ୍ଚ ତାପମାତ୍ରା ୬.୧ ଡିଗ୍ରି ବଢ଼ିଗଲା। ଏଥିସହିତ ବାରିପଦା (୪୪.୨ ଡିଗ୍ରି) ଆଜି ପୁଣି ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସହର ଭାବେ ତାଲିକାଭୁକ୍ତ ହୋଇଛି। ଦେଶରେ ଦ୍ବିତୀୟ। ଏହା ଉପରେ ଆହ୍ଲାବାଦ୍‌ ରହିଛି। ସେଠାରେ ସୋମବାର ଦିନ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରି ଥିଲା। ଆଉ ପାଦେ ଆଗକୁ ଯାଇ ଦେଖିଲେ, ବିଶ୍ବରେ ଆଜି ଚତୁର୍ଥ ଉତ୍ତପ୍ତ ସହର ଥିଲା ବାରିପଦା ଓ ଦ୍ବାଦଶ ସ୍ଥାନରେ ଥିଲା ଝାରସୁଗୁଡ଼ା। ବିଶ୍ବର ଯେଉଁ ପନ୍ଦର ଉତ୍ତପ୍ତ ସହରର ନାମ ତାଲିକା ପ୍ରସ୍ତୁତ ହୋଇଛି, ସେଥିରେ ଭାରତର ୮ଟି ସହର ରହିଛି, ଯାହା ଚିନ୍ତାଜନକ ବୋଲି କୁହାଯାଇପାରେ।

ବିଶ୍ବର ପ୍ରଥମ ୧୫ ଉତ୍ତପ୍ତ ସହର ତାଲିକାରେ ଭାରତର ୮ ସହର
ଚତୁର୍ଥ ଉତ୍ତପ୍ତ ସହର ବାରିପଦା, ଦ୍ବାଦଶରେ ଝାରସୁଗୁଡା
ଉପକୂଳ ସଙ୍ଗିନ୍, ତାପମାତ୍ରାଠାରୁ ଅଧିକ ୧୦ ଡିଗ୍ରି ଅନୁଭବ ହେଉଛି

କେବଳ ଏହି ଦୁଇ ସହର ନୁହେଁ, ରାଜ୍ୟର ଦୁଇ ତୃତୀୟାଂଶ ସହରରେ ତାତି ସ୍ବାଭାବିକ ଠାରୁ ଢେର୍ ଉପରେ ରହିଛି। ରାଜ୍ୟର ୯ଟି ସହରର ଦିନ ତାପମାତ୍ର‌ା ୪୩ ଡିଗ୍ରି ଅତିକ୍ରମ କରିଥିବା ବେଳେ ୨୩ ସହରର ତାପମାତ୍ରା ୪୦ ଡିଗ୍ରି ଡେଇଁଥିଲା।

ଅନୁଗୁଳ ଜିଲ୍ଲାକୁ ଛାଡ଼ି ଦେଲେ ତାତି ତାଲିକାରେ ପଶ୍ଚିମ ଓଡ଼ିଶାର ଏକାଧିକ ସହର ଅଛନ୍ତି। ବୌଦ୍ଧ ଓ ନୂଆପଡ଼ା‌ରେ ସର୍ବୋଚ୍ଚ ତାପମ‌ାତ୍ରା ୪୩.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୩.୪ ଡିଗ୍ରି, ତାଳଚେରରେ ୪୩.୨ ଡିଗ୍ରି, ଟିଟିଲାଗଡ଼ ଓ ଅନୁଗୁଳ‌ରେ ୪୩.୧ ଡିଗ୍ରି, ବଲାଙ୍ଗୀରରେ ୪୩ ଡିଗ୍ରି, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରି, ଭବାନୀପାଟଣାରେ ୪୨.୬ ଡିଗ୍ରି, ରାଉରକେଲାରେ ୪୨.୨ ଡିଗ୍ରି, ସୋନପୁରରେ ୪୧.୭ ଡିଗ୍ରି ଓ ହୀରାକୁଦରେ ୪୧.୬ ଡିଗ୍ରି ରହିଥିଲା। ଅର୍ଥାତ୍ ପୂରା ପଶ୍ଚିମ ଓଡ଼ିଶା ଜଳୁଛି।

୨୦ ତାରିଖ ପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ଆସିବାର ସମ୍ଭାବନା କ୍ଷୀଣ। ଆସନ୍ତାକାଲି ପାଇଁ ମଧ୍ୟ ରାଜ୍ୟର ୪ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହଜନିତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷ କରି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ସମ୍ବଲପୁର ଆଦି ଜିଲ୍ଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ଲୋକଙ୍କୁ ସତର୍କ ରହିବା ପାଇଁ କହିଛି।

ଅନ୍ୟପକ୍ଷରେ ସୋମବାର ଦିନ ଉପକୂଳ ଓଡ଼ିଶାର ତାପମାତ୍ରା ଅପେକ୍ଷାକୃତ କମଥିଲା। କିନ୍ତୁ ପ୍ରବଳ ଗୁଳୁଗୁଳି ଓ ଗରମରେ ଲୋକେ ସନ୍ତୁଳି ହୋଇଥିଲେ। ରାଜଧାନୀ ଭୁବନେଶ୍ବରର ସର୍ବାଧିକ ଦିନ ତାପମାତ୍ରା ୩୯.୯ ଡିଗ୍ରି ରେକର୍ଡ ହୋଇଥିବା ‌ବେଳେ କଟକରେ ଥିଲା ୪୧.୬ ଡିଗ୍ରି। ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରା ଏହିଭଳି ରହିବ। ଏହାପରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ। ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ଡିଗ୍ରି କିମ୍ବା ଏହାଠାରୁ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜଣାଇଛି।

DNA India

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା କଥା ହେଉଛି, ସଂପ୍ରତି ବାୟୁମଣ୍ଡଳରେ ୩.୧ କିଲୋମିଟର ଉପରେ ଗୋଟିଏ ଗୁରୁଚାପ ବଳୟ ରହିଛି। ଏହା ମଧ୍ୟପ୍ରଦେଶରୁ ଦକ୍ଷିଣ ରାଜସ୍ଥାନ ଯାଏ ଲମ୍ବିଛି। ଏହାର ପ୍ରଭାବରେ ଓଡ଼ିଶାରେ ଶୁଷ୍କ ବାୟୁ ପ୍ରବାହ ହେଉଛି।

ତେବେ ଦୁଇ ତିନିଟି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନକୁ ଲକ୍ଷ୍ୟ କରାଯାଉଛି। ପ୍ରଥମତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଯଦିଓ ତାତି ୪୦ ଡିଗ୍ରି ଉପରେ ରହୁଛି, ଏଠାରେ ଆର୍ଦ୍ରତାର ପରିମାଣ କିନ୍ତୁ ୨୦ରୁ ୩୦ ପ୍ରତିଶତ ରହୁଛି। ଏଣୁ ଦିନରେ ଗରମ ହେଲେ ବି ସନ୍ଧ୍ୟାରେ ପାଣିପାଗରେ ଦ୍ରୁତ ପରିବର୍ତ୍ତନ ଘଟୁଛି।

ଉପକୂଳ ସ୍ଥିତି କିନ୍ତୁ ସାଂଘାତିକ। ଏଠାରେ ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରି ଯାଏ ଅଧିକ ରହୁଛି। କିଛି ଅଞ୍ଚଳରେ ତାତି ୪୦ ଡିଗ୍ରିରୁ ସାମାନ୍ୟ ଉପରେ ରହୁଛି। କିନ୍ତୁ ଏହି ସମୟରେ ଆର୍ଦ୍ରତାର ପରିମାଣ ୬୦ରୁ ୭୦ ପ୍ରତିଶତ ରହୁଛି। ଏଣୁ ଯେଉଁଠି ଯେତିକି ତାପମାତ୍ରା ରହୁଛି, ତା’ ଠାରୁ ୮ରୁ ୧୦ ଡିଗ୍ରି ଅଧିକ ଗରମ ଅନୁଭବ ହେଉଛି ଓ ଲୋକେ ନାହିଁନଥିବା କଷ୍ଟ ଅନୁଭବ କରୁଛନ୍ତି।
ତୃତୀୟ ଦିଗଟି ହେଉଛି, ବାୟୁମଣ୍ଡଳରେ ଛୋଟ ଛୋଟ ମେଘ ଖଣ୍ଡ ସୃଷ୍ଟି ହେଉଛି। ହେଲେ ଗୁରୁଚାପ ବଳୟ ପ୍ରଭାବରେ ବାୟୁ ଉପରମୁହାଁ ପରିବର୍ତ୍ତେ ତଳମୁହାଁ ହେଉଛି। ଏଣୁ କାଳବୈଶାଖୀ ବର୍ଷା ସମ୍ଭାବନା କ୍ଷୀଣ ହୋଇଯାଉଛି। ଆସନ୍ତା ତିନି ଦିନ ଯାଏ ସ୍ଥିତିରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

କୃଷି ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ କହୁଛି, ଆଭ୍ୟନ୍ତର ଓଡ଼ିଶାରେ ଗରମ ଜାରି ରହିବ। ୧୯ରୁ ୨୧ ମଧ୍ୟରେ କାଳ ବୈଶାଖୀ ବର୍ଷା ହୋଇପାରେ।ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ତାତି ୪୦ ଡିଗ୍ରି ବା ସାମାନ୍ୟ ଅଧିକ ରହିପାରେ। ୨୧ ତାରିଖ ଯାଏ ଏ ସ୍ଥିତି ଜାରି ରହିବ। ୨୨ କିମ୍ବା ୨୩ ତାରିଖରେ କାଳବୈଶାଖୀ ବର୍ଷା ହୋଇପାରେ।ଭୁବନେଶ୍ବରରେ ତାତି ୪୦ ଡିଗ୍ରି ଥିଲେ, ୪୫ ଡିଗ୍ରି ଭଳି ଅନୁଭବ ହେବ ଓ ବାରିପଦାରେ ୪୪ ଡିଗ୍ରି ରହିଲେ ୫୧ ଡିଗ୍ରି ଭଳି ଲାଗିବ। ଉତ୍ତର ଆଭ୍ୟନ୍ତରରେ ଗରମ ଅଧିକ ରହିପାରେ ବୋଲି ଡ. ପଶୁପାଳକ କହିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଜି(ମଙ୍ଗଳବାର) ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ ଆଦି ଅଞ୍ଚଳର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ। ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ଅପରାହ୍ନ ଆଡ଼କୁ ହାଲୁକା ବର୍ଷା ସମ୍ଭାବନା ରହିଛି। ହେଲେ ଦିନର ସର୍ବୋଚ୍ଚ ତାପମାତ୍ରା କିନ୍ତୁ ୪୦ ଡିଗ୍ରି ପାଖାପାଖି ରହିପାରେ।

ସମ୍ବନ୍ଧିତ ଖବର