ଅଦାଲତ ଅବମାନନା ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ରେକର୍ଡ ସହ ହାଜର ହେବେ ବିଏମ୍‌ସି କମିସନର୍‌

ଭୁବନେଶ୍ବର ତହସିଲଦାର ଓ ସବ୍-ରେଜିଷ୍ଟ୍ରାରଙ୍କୁ ବି ହାଜିରା ନିର୍ଦ୍ଦେଶ

କଟକ: ହାଇକୋର୍ଟ ଅଦାଲତ ଅବମାନନା ମାମଲାର ଶୁଣାଣି କରି ବିଏମ୍‌ସି କମିସନର, ଭୁବନେଶ୍ବର ତହସିଲଦାର ଓ ଖୋର୍ଦ୍ଧା ଜିଲ୍ଲା ସବ୍-ରେଜିଷ୍ଟ୍ରାରଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ‘ଏକାମ୍ରକ୍ଷେତ୍ର ଆମେନିଟିଜ୍ ଓ ମନୁମେଣ୍ଟ ରିଭାଇଭାଲ ଆକ୍ସନ ପ୍ଲାନ୍ ଅଧୀନରେ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ଲାଗି କ୍ଷତିପୂରଣ ପ୍ରସଙ୍ଗକୁ ନେଇ ପୂର୍ବରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ପାଳନରେ ଅବହେଳା ନେଇ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୯ରେ ବିଏମସି କମିସନର ସମସ୍ତ ରେକର୍ଡ ସହ ହାଜର ହେବେ। ଏଥିସହ ତହସିଲଦାର ମାମଲା ସଂପର୍କିତ ଦୁଇଟି ମ୍ୟୁଟେସନ କେସ୍ ରେକର୍ଡ ଓ ସବ୍-ରେଜିଷ୍ଟ୍ରାର ୨୦୨୧, ଫେବ୍ରୁଆରି ୧୮ରେ ଉପସ୍ଥାପନ ହୋଇଥିବା ବିକ୍ରି କବଲା ରେକର୍ଡ ସହ ହାଜର ହେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଯଶୱନ୍ତ ସିଂହ ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଦାଶରଥୀ ଗରାବଡ଼ୁଙ୍କ ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଆଜି ମାମଲାର ଶୁଣାଣି ସମୟରେ ପ୍ରତିପକ୍ଷଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଆବେଦନକାରୀ ୨୦୨୧, ଫେବ୍ରୁଆରି ୨ର ବିକ୍ରି କବଲାରେ ଉଲ୍ଲେଖ ଥିବା ଜମିର ରେକର୍ଡ ଅଫ୍ ରାଇଟ୍ସ ଅନୁସାରେ ପଞ୍ଜୀକୃତ ମାଲିକ ନୁହେଁ। ତେଣୁ ସେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ନୁହେଁ। ଅନ୍ୟପକ୍ଷରେ ବିକ୍ରି କବଲାରେ କ୍ରେତା ଭ‌ାବେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ବିଜେ, ଓଲ୍ଡ ଟାଉନଙ୍କ ପ୍ର‌ାଧିକୃତ ପ୍ରତିନିଧି ଭାବେ ସଂପାଦକ/ସଭାପତି/କମିସନର, ବିଏମସି ଉଲ୍ଲେଖ ଥିବା ଦେଖିବାକୁ ମିଳିଥିଲା। କେମିତି କ୍ଷତିପୂରଣ ପ୍ରଦାନ ନ କରି ବିକ୍ରି କବଲାରେ ଉଲ୍ଲେଖ ଥିବା ଜମିର ସ୍ବତ୍ବ ହାସଲ କରାଯାଇଥିଲା, ତାକୁ ନେଇ ଶୁଣାଣି ବେଳେ ପ୍ରଶ୍ନ ଉଠିଥିଲା। କ’ଣ ପ୍ରକୃତ ସ୍ଥିତି ରହିଛି, ତାହା ବୁଝିବା ପାଇଁ ବିଏମ୍‌ସି କମିସନରଙ୍କୁ ରେକର୍ଡ ସହ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆବେଦନକାରୀଙ୍କ ଜମି ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଇଥିବା ବେଳେ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯାଇନଥିଲା। କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ପାଳନ କରାଯାଇ ନଥିବା ଅଭିଯୋଗ କରି ପରବର୍ତ୍ତୀ ସମୟରେ ଆବେଦନକାରୀ ବିଏମ୍‌ସି ଡେପୁଟି କମିସନର (ଲ୍ୟାଣ୍ଡ ଆଣ୍ଡ ଏନଫୋର୍ସମେଣ୍ଟ)ଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର୍‌ କରିଥିଲେ।

ସମ୍ବନ୍ଧିତ ଖବର