ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୨-୨୩: ଚିନ୍ତା ବଢ଼ାଇବ ଟଙ୍କା, ଡଲାର ତୁଳନାରେ ଦାମ୍ ୮୩ ଟପିଯିବ

ନୂଆଦିଲ୍ଲୀ: ଟଙ୍କାକୁ ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏକ ବଡ଼ କଥା କୁହାଯାଇଛି ଯାହା ଅର୍ଥନୀତିର ପ୍ରତିଟି ଦିଗକୁ ପ୍ରଭାବିତ କରିବା ଆଶଙ୍କା ରହିଛି। ଚଳିତ ଆର୍ଥିକ ବର୍ଷର ଅଧିକାଂଶ ସମୟ ଦୁର୍ବଳ ସ୍ତରରେ ଥିବା ଟଙ୍କା ଆଗାମୀ ଦିନରେ ମଧ୍ୟ ଏଭଳି ଚାପରେ ରହିବ। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହେବାର ଆଶଙ୍କା ରହିଛି। ତେଲଠାରୁ ଆରମ୍ଭ କରି ସାର ପର୍ଯ୍ୟନ୍ତ ବିଭିନ୍ନ ସାମଗ୍ରୀ ଆମଦାନି କରୁଥିବା ଭାରତ ପାଇଁ ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଏବେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧-୮୨ ଟଙ୍କା ସ୍ତରରେ ରହିଛି।

ଟଙ୍କା କାହିଁକି ଦୁର୍ବଳ ରହିବ ତାହାର କାରଣ ବିଷୟରେ ମଧ୍ୟ ରିପୋର୍ଟରେ ବର୍ଣ୍ଣନା କରାଯାଇଛି। କୁହାଯାଇଛି ଯେ ରପ୍ତାନି ହ୍ରାସ ପାଉଥିବାରୁ ବିଦେଶୀ ମୁଦ୍ରା ଆୟ କମିବ। ସେହି ସମୟରେ ରପ୍ତାନି ତୁଳନାରେ ଆମଦାନି ଅଧିକ ରହିବା ଯୋଗୁ ଚଳନ୍ତୀ ଖାତା ନିଅଣ୍ଟ ବୃଦ୍ଧି ପାଇବ। ଆମଦାନିରେ ଅଧିକ ବିଦେଶୀ ମୁଦ୍ରା ବ୍ୟୟ ହେବ ଯାହା ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି କରିବ। ଏହିଭଳି କିଛି କାରଣ ଯୋଗୁ ଟଙ୍କା ଉପରେ ଚାପ ରହିବ। ଚଳିତ ଆର୍ଥିକ ବର୍ଷର ୨୦୨୨ ସେପ୍ଟେମ୍ବର ସୁଦ୍ଧା ଶେଷ ତ୍ରୈମାସିକରେ ଭାରତର ଚଳନ୍ତୀ ଖାତା ନିଅଣ୍ଟ ବା ସିଏଡି ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୪.୪ ପ୍ରତିଶତ ଥିଲା ଯାହା ୨୦୨୨ର ଏପ୍ରିଲ୍‌-ଜୁନ୍ ତୈମାସିକ ତୁଳନାରେ ଅଧିକ। ଭୂ-ରାଜନୈତିକ ସ୍ଥିତି ଗମ୍ଭୀର ରହିଥିବା ବେଳେ ଆମେରିକାର ଫେଡେରାଲ୍ ରିଜର୍ଭ ଯଦି ସୁଧରେ ଆହୁରି ବୃଦ୍ଧି କରିବ ତେବେ ଡଲାର ତୁଳନାରେ ଟଙ୍କା ଆହୁରି ଦୁର୍ବଳ ହୋଇ ୮୩ ଟଙ୍କା ସ୍ତର ଅତିକ୍ରମ କରିବ। ଗତ କିଛି ମାସ ଭିତରେ ବିଶ୍ବସ୍ତରରେ ବିଭିନ୍ନ ସାମଗ୍ରୀ ଦାମ୍ ହ୍ରାସ ପାଉଛି। କିନ୍ତୁ ଏବେବି ତାହା ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଆରମ୍ଭର ପୂର୍ବ ସ୍ଥିତିକୁ ‌ଫେରିନାହିଁ। ତେଣୁ ସେହି ସାମଗ୍ରୀ ମଗାଇବା ଲାଗି ଅଧିକ ମୁଦ୍ରା ଗଣିବାକୁ ପଡ଼ିବ। ଧାତବ ସାମଗ୍ରୀ, ପ୍ରାକୃତିକ ଗ୍ୟାସ, କୋଇଲା, ଅଶୋଧିତ ତୈଳ ଓ ଖାଦ୍ୟ ସାମଗ୍ରୀ ଦରରେ ପୂର୍ଣ୍ଣ ସୁଧାର ହୋଇନାହିଁ। ଯଦି ଦେଶ ଭିତରେ ଚାହିଦା ବଢ଼ିବ ଓ ସେହି ଚାହିଦା ପୂରଣ କରିବା ଲାଗି ଅଧିକ ସାମଗ୍ରୀ ଆମଦାନି କରିବାକୁ ପଡ଼େ ତେବେ ଭାରତର ଆମଦାନି ବିଲ୍ ବହୁତ ବଢ଼ିଯିବ। ଏହାର ପ୍ରଭାବରେ ଚଳନ୍ତୀ ଖାତା ନିଅଣ୍ଟ ବି ବଢ଼ିବ ଯାହା ଏକ ସୁସ୍ଥ ଅର୍ଥନୀତିର ସଙ୍କେତ ନୁହେଁ। ଯେହେତୁ ବିଶ୍ବସ୍ତରରେ ମାନ୍ଦାବସ୍ଥା‌ ଦେଖାଦେବାର ଆଶଙ୍କା ରହିଛି ତେଣୁ ଭାରତ ପାଇଁ ରପ୍ତାନିରୁ ଅଧିକ ଆୟ କରିବାର ସମ୍ଭାବନା କମ୍ ରହିଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

ଟଙ୍କା ମୂଲ୍ୟ ହେଉଛି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ। ବିଶେଷ କରି ଭାରତ ଭଳି ଦେଶ ଯାହା ବିପୁଳ ପରିମାଣର ଆମଦାନି କରୁଛି। ଆମଦାନି ବଢ଼ିଲେ ଭାରତରେ ପାଖରେ ଯେଉଁ ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି ତାହା ଦ୍ରୁତ ଗତିରେ ହ୍ରାସ ପାଇବ। ବିଦେଶକୁ ବୁଲିଯିବା କିମ୍ବା ବିଦେଶରେ ପିଲାଙ୍କୁ ପାଠପଢ଼ାଇବା ଖର୍ଚ୍ଚ ବଢ଼ିଯିବ। ଅଧିକ ଦାମ୍‌ରେ ଜିନିଷ ଆମଦାନି ହେ‌ଲେ ତାହା ଦେଶରେ ଚଢ଼ା ଦାମ୍‌ରେ ବିକ୍ରି ହେବ। ଫଳରେ ଦରବୃଦ୍ଧିର ଏକ ଜଟିଳ ସ୍ଥିତି ସୃଷ୍ଟି ହେବ। ଦୁର୍ବଳ ଟଙ୍କା ଅତ୍ୟନ୍ତ ଗମ୍ଭୀର ସ୍ଥିତି ସୃଷ୍ଟି କରିବ।

ମୋବାଇଲ୍‌ ଉତ୍ପାଦନରେ ଭାରତ ଦ୍ବିତୀୟ

ନୂଆଦିଲ୍ଲୀ: ‌ମୋବାଇଲ୍‌ ଫୋନ୍ ଉତ୍ପାଦନରେ ଭାରତକୁ ବଡ଼ ଧରଣର ସଫଳତା ମିଳିଛି। ବିଶ୍ବର ଦ୍ବିତୀୟ ସର୍ବାଧିକ ଫୋନ୍‌ ଭାରତରେ ତିଆରି ହେଉଛି। ୨୦୧୫-୧୬ରେ ଭାରତରେ ୬ କୋଟି ମୋବାଇଲ୍ ତିଆରି ହୋଇଥିଲା। ୨୦୨୧-୨୨ରେ ସେହି ସଂଖ୍ୟା ୩୧ କୋଟିକୁ ବୃଦ୍ଧି ପାଇଛି। ବହୁ ବିଦେଶୀ ସଂସ୍ଥା ମୋବାଇଲ୍ ଉତ୍ପାଦନ କରିବା ଲାଗି ଭାରତରେ କାରଖାନା ସ୍ଥାପନ କରିଥିବାରୁ ଏହି ସଫଳତା ମିଳିଛି। ସରକାରଙ୍କ ଉତ୍ପାଦନ ପ୍ରୋତ୍ସାହନ ସ୍କିମ୍ (ପିଏଲ୍‌ଆଇ) ମଧ୍ୟ ବହୁ ସଂସ୍ଥାଙ୍କୁ ଭାରତକୁ ଆଣିଛି। ଏହି ସ୍କିମ୍‌ର ଲାଭ ହାସଲ କରିବା ଲାଗି ସାମସଙ୍ଗ୍‌, ଫକ୍ସକନ୍‌, ହନ୍‌ ହୋଇ, ରାଇଜିଂ ଷ୍ଟାର୍‌, ୱିଷ୍ଟ୍ରନ, ଲାଭା, ମାଇକ୍ରୋମ୍ୟାକ୍ସ, ପ୍ୟାଡ୍‌ଗେଟ୍‌ ଇଲେକ୍ଟ୍ରୋନିକ୍ସ, ପେଗାଟ୍ରନ୍ ଓ ୟୁଟିଏଲ୍ ନିଓଲିଙ୍କସ୍‌ ଭଳି ସଂସ୍ଥା ଆଗ୍ରହ ଦେଖାଇଛନ୍ତି।
ବେକାରି ହାର ୪.୨%କୁ ହ୍ରାସ

ନୂଆଦିଲ୍ଲୀ: ଦେଶରେ ‌ବେକାରି ହାର ଯାହା ୨୦୧୮-୧୯ରେ ୫.୮ ପ୍ରତିଶତ ଥିଲା ତାହା ୨୦୨୦-୨୧ରେ ୪.୨ ପ୍ରତିଶତକୁ ହ୍ରାସ ପାଇଛି। ଏହି ସମୟ ଭିତରେ ଶ୍ରମ ଶକ୍ତିରେ ଗ୍ରାମୀଣ ମହିଳାଙ୍କ ଅଂଶଗ୍ରହଣ ୧୯.୭%ରୁ ୨୭.୭ ପ୍ରତିଶତକୁ ବୃଦ୍ଧି ପାଇଛି। ଇ-ଶ୍ରମ ପୋର୍ଟାଲ୍‌ରେ ୨୮.୫ କୋଟି ଅଣସଂଗଠିତ କ୍ଷେତ୍ରର ଶ୍ରମିକ ପଞ୍ଜୀକରଣ କରିଛନ୍ତି। ମଜୁରି ଓ ବେତନଭୋଗୀଙ୍କ ତୁଳନାରେ ସ୍ବାବଲମ୍ବୀଙ୍କ ସଂଖ୍ୟା ବଢ଼ିଛି। ଇପିଏଫ୍‌ଓରେ ମାସିକ ହାରାହାରି ୧୩.୨ ଲକ୍ଷ ସଦସ୍ୟ ଯୋଡ଼ିହୋଇଛନ୍ତି।
ଦାରିଦ୍ର୍ୟ କବଳରୁ ମୁକୁଳିଲେ ୪୧.୫ କୋଟି

ନୂଆଦିଲ୍ଲୀ: ଦାରିଦ୍ର୍ୟ ଦୂରୀକରଣରେ ଉଲ୍ଲେଖନୀୟ ଉନ୍ନତି ହୋଇଛି। ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ କବଳରୁ ମୁକ୍ତ ହୋଇଛନ୍ତି। ତେଣୁ ଏନେଇ ରହିଥିବା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ସମ୍ଭବପର ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ସାମାଜିକ କ୍ଷେତ୍ରରେ ବ୍ୟୟ ୨୦୨୨-୨୩ ସୁଦ୍ଧା ୨୧.୦୩ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ବଢ଼ୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗମନ

ନୂଆଦିଲ୍ଲୀ: କୋଭିଡ୍‌ ମହାମାରୀ ପରେ ଭାରତର ପର୍ଯ୍ୟଟନ ଶିଳ୍ପରେ ସୁଧାର ହେଉଛି। ସରକାରଙ୍କ ଆୟୁଷ ଭିସା ଭଳି କାର୍ଯ୍ୟକ୍ରମ ଯୋଗୁ ମେଡିକାଲ୍ ପର୍ଯ୍ୟଟନରେ ବୃଦ୍ଧି ହେଉଛି। ବିମାନ ଚଳାଚଳରେ ୫୨.୯ ପ୍ରତିଶତ ବୃଦ୍ଧି ହୋଇଛି। ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। କରୋନା ମହାମାରୀ ଯୋଗୁ ହୋଟେଲ ଓ ଆତିଥେୟତା ଶିଳ୍ପ ଗୁରୁତର ପ୍ରଭାବିତ ହୋଇଥିଲା। ମାତ୍ର ୨୦୨୧ ପରେ ବ୍ୟବସାୟ ଗମନାଗମନ, ବିବାହ ଓ ସାମାଜିକ କାର୍ଯ୍ୟକ୍ରମ, ଛୋଟ ଓ ମଧ୍ୟମ ଧରଣର ବୈଠକ ଆୟୋଜନ ବଢ଼ିବା ପରେ ହୋଟେଲ୍‌ ଶିଳ୍ପରେ ସୁଧାର ଘଟିଛି। ୨୦୨୨ ନଭେମ୍ବରରେ ହୋଟେଲ୍‌ର ୭୦ ପ୍ରତିଶତ କୋଠରି ଭର୍ତ୍ତି ଥିଲା ବୋଲି ରିପୋର୍ଟରେ କୁହାଯାଇଛି।
ୟୁପିଆଇରେ ୫୨% ଡିଜିଟାଲ୍ କାରବାର

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ୮,୮୪୦ ‌କୋଟି ଥର ଡିଜିଟାଲ୍ କାରବାର ହୋଇଥିଲା। ସେଥିରୁ ୫୨% କାରବାର ୟୁପିଆଇକୁ ବ୍ୟବହାର କରି କରାଯାଇଥିଲା। ମୋଟ କାରବାରରେ ୟୁପିଆଇ ଭାଗରେ ପର୍ଯ୍ୟାୟକ୍ରମେ ଉନ୍ନତି ହୋଇଛି। ୨୦୧୮-୧୯ରେ ୟୁପିଆ‌ଇର ଭାଗ ୧୭ ପ୍ରତିଶତ ଥିଲା। ୨୦୨୨ ଡିସେମ୍ବରରେ ୟୁପିଆଇ ଜରିଆରେ ୧୨.୮ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ଡିସେମ୍ବର ସୁଦ୍ଧା ୨୭.୭ ଲକ୍ଷ କୋଟି ଟଙ୍କାର ୟୁପିଆଇ ମର୍ଚାଣ୍ଟ୍‌ କାରବାର ହୋଇଛି। ୟୁପିଆଇ କେବଳ ଭାରତ ଭିତରେ ସୀମିତ ନାହିଁ। ତାହାକୁ ୟୁଏଇ, ଫ୍ରାନ୍ସ ଓ ନେଦରଲ୍ୟାଣ୍ଡ୍ ପର୍ଯ୍ୟନ୍ତ ନେବାକୁ ନ୍ୟାସନାଲ୍ ପେମେଣ୍ଟ୍‌ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ) ଉଦ୍ୟମ ଜାରି ରଖିଛି।
ଗ୍ରାମୀଣ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟାରେ ୨୦୦% ବୃଦ୍ଧି

ନୂଆଦିଲ୍ଲୀ: ୨୦୧୫ରୁ ୨୦୨୨୧ ମଧ୍ୟରେ ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟାରେ ୨୦୦% ବୃଦ୍ଧି ହୋଇଥିବା ବେଳେ ସହରାଞ୍ଚଳରେ ବୃଦ୍ଧି ଏହି ହାର ୧୫୮ ପ୍ରତିଶତ ରହିଛି। ୨୦୧୫ରେ ସରକାର ଆରମ୍ଭ କରିଥିବା ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଯୋଗୁ ଏହା ସମ୍ଭବ ହୋଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି। ଗତ ତିନି ବର୍ଷରେ ଗ୍ରାମାଞ୍ଚଳ‌ରେ ଇଣ୍ଟରନେଟ୍ ବ୍ୟବହାରକାରୀ ସଂଖ୍ୟା ୯.୫୭ କୋଟି ବଢ଼ିଥିବା ବେଳେ ସହରାଞ୍ଚଳରେ ୯.୨୮ କୋଟି ବୃଦ୍ଧି ଘଟିଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ୫ଜି ସେବାର ଶୁଭାରମ୍ଭକୁ ଟେଲିଯୋଗାଯୋଗ କ୍ଷେତ୍ରର ଗୁରୁତ୍ବପୂର୍ଣ୍ଣ ସଫଳତା ଭାବେ ଅଭିହିତ କରାଯାଇଛି।
ଇଭି ବିକ୍ରି ୧ କୋଟିରେ ପହଞ୍ଚିବ

ନୂଆଦିଲ୍ଲୀ: ୨୦୨୨ରୁ ୨୦୩୦ ମଧ୍ୟରେ ଇଲେକ୍ଟ୍ରିକ୍ ଯାନ (ଇଭି) ବଜାର ବାର୍ଷିକ ହାରାହାରି ୪୯ ପ୍ରତିଶତ ହାରରେ ଆଗକୁ ବଢ଼ିବ। ସାତ ବର୍ଷ ଭିତରେ ବାର୍ଷିକ ଇଭି ବିକ୍ରି ୧ କୋଟିରେ ପହଞ୍ଚିବ ବୋଲି ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି। ୨୦୩୦ ସୁଦ୍ଧା ଇଭି ଶିଳ୍ପ ଦେଶରେ ୫ କୋଟି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ।

ସମ୍ବନ୍ଧିତ ଖବର