ନୃତ୍ୟରେ ୩,୦୦୦ ବର୍ଷ ଇତିହାସର ଚିତ୍ର: ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ସୁସଜ୍ଜିତ ଆଲୋକ। ସୁନ୍ଦର ବେଶପୋଷାକ। ଆରମ୍ଭ ହେଲା ଓଡ଼ିଶୀ ନୃତ୍ୟ। ନୃତ୍ୟରେ ୧୫୦ କଳାକାର ବଖାଣିଲେ ଓଡ଼ିଶାର ୩,୦୦୦ ବର୍ଷର ଇତିହାସ। ନୃତ୍ୟ ମାଧ୍ୟମରେ ଦର୍ଶକ ଭେଟିଲେ ଅଶୋକ, ଖାରବେଳଙ୍କୁ; ଜାଣିଲେ ଭୌମକର, ସୋମବଂଶୀ, ଗଙ୍ଗବଂଶୀଙ୍କ ଗୌରବ ଗାଥା। କେବଳ ସେତିକି ନୁହେଁ, ମନ୍ଦିର ଚାରୁକଳାଠୁ ଆରମ୍ଭକରି କବି ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ ଓ ଉପେନ୍ଦ୍ର ଭଞ୍ଜଙ୍କ କୃତିର ଝଲକ୍‌ ମଧ୍ୟ ଥିଲା ତା’ ଭିତରେ। ପର ପର ହୋଇ ପଞ୍ଚଶଖା ଯୁଗ, ନଅଙ୍କ ଦୁର୍ଭିକ୍ଷ, ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନ, ମହାବାତ୍ୟା, ମିଲେଟ୍ ମିସନ, ନୂଆ ମେଡିକାଲ୍ କଲେଜ, ଓଡ଼ିଆକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା, ମିଶନ୍ ଶକ୍ତି, ହକି ବିଶ୍ୱକପ ଆୟୋଜନ ଆଦି ସହିତ ରାଜ୍ୟ ସରକାରଙ୍କର ଯୋଜନାଗୁଡ଼ିକ ଚିତ୍ରିତ ହୋଇଥିଲା ସେହି ୪୭ ମିନିଟର ନୃତ୍ୟରେ। ନୃତ୍ୟ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପରେ ଶେଷ ହୋଇଥିଲା।

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ( ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଗୁରୁ ଅରୁଣା ମହାନ୍ତିଙ୍କ ପ୍ରଚେଷ୍ଟାରେ ଏଭଳି ଏକ ନୃତ୍ୟର ଉପସ୍ଥାପନା ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ମୁଗ୍ଧ ଓ ସ୍ତବ୍ଧ‌ କରି‌ଦେଇଥିଲା। ସେହିପରି ମଞ୍ଚସ୍ଥ ହୋଇଥିବା ‘ବୁଢ଼ାବୁଢ଼ୀ’ ନାଟକରେ ଓଡ଼ିଶାର ସବୁ ଜିଲ୍ଲାର ଚାଲି ଚଳଣି, ଖାଦ୍ୟ, ପିଠା ପଣା ଓ ଭାଷା ସଂପର୍କରେ ଉଲ୍ଲେଖ ଥିଲା। ନାଟକରେ ପ୍ରଜ୍ଞାରଞ୍ଜନ ଖଟୁଆ, ଶଙ୍କର, ଅନ୍ତର୍ଯ୍ୟାମୀ ପଣ୍ଡା, ବ୍ରଜ ସିଂହ, ଦେବୁ ବ୍ରହ୍ମା, ହାଡୁ, ଟୁକୁନା, ସ୍ମୃତି ଓ ଐଶ୍ୱର୍ଯ୍ୟା ପ୍ରମୁଖ ଅଭିନୟ ସମସ୍ତଙ୍କୁ ଭଲ ଲାଗିଥିଲା।

‘ଭାଷା ହିଁ ଭବିଷ୍ୟତ’ ଶୀର୍ଷକ ଏହି କାର୍ଯ୍ୟକ୍ରମ‌ରେ ମୁଖ୍ୟ ଅତିଥି ଭାବେ ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଯୋଗଦେଇ ଅରୁଣା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ କଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା ଗୀତା ପଟ୍ଟନାୟକ, ଅଲେଖ ବିଶ୍ୱାଳ, ଶୀର୍ଷାନନ୍ଦ ଦାସ କାନୁନଗୋ, ଦେବଦାସ ଛୋଟରାୟ, ବସନ୍ତ ସାହୁ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ସୁରେନ୍ଦ୍ର ସାହୁ, ସୌଦାମିନୀ ମିଶ୍ର, ଦିଲ୍ଲୀପ ରାୟ, ଦେବାଶିଷ ମହାପାତ୍ର, ଗୀତା ଦାଶ, ସବ୍ୟସାଚୀ ମହାପାତ୍ର, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ଘନଶ୍ୟାମ ମହାପାତ୍ର, ହରିପ୍ରସାଦ ଚୌରାସିଆ, ଶିଶିର ମିଶ୍ର, ସୁବାସ ଦାସ, ତାନ୍‌ସେନ୍‌ ସିଂ, ବିଭୂ ଦାସ ଓ ଗଦାଧର ପୃଷ୍ଟିଙ୍କୁ ସମ୍ମାନ ପ୍ରଦାନ କରା ଯାଇଥିଲା। ମନ୍ତ୍ରୀ ରୀତା ସାହୁ, ଖୋର୍ଦ୍ଧା ବିଧାୟିକ ଜ୍ୟୋତିନ୍ଦ୍ର ନାଥ ମିତ୍ର, ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ବିଡ଼ିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର