ଅସ୍ଥାୟୀ ସଂଗ୍ରହାଳୟରେ ପ୍ରବଳ ଭିଡ଼: ଯୁବପିଢ଼ିଙ୍କ ଆକର୍ଷଣ ଅକ୍ଷର ଭୂମି

ନୂତନ ପିଢ଼ି ସହ ଯୋଡ଼ି ହେଲେ ପୁରାତନ ଛାତ୍ର

ଭୁବନେଶ୍ୱର: ଆଉ ୩ ଦିନ ରହିବ ପ୍ରଦର୍ଶନୀ। ସୋମବାର ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ ଉଦ୍‌ଯାପନୀ ସଂଧ୍ୟାରେ ଏହି ଘୋଷଣା ପରେ ଆଜି ଜନତା ମଇଦାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଓଡ଼ିଆ ଭାଷା ସମ୍ମିଳନୀ ଗତକାଲିଠାରୁ ଉଦ୍‌ଯାପିତ ହୋଇଥିଲେ ସୁଦ୍ଧା ଏଠାରେ ତିଆରି କରାଯାଇଥିବା ଅସ୍ଥାୟୀ ସଂଗ୍ରହାଳୟ ଓ ପ୍ରଦର୍ଶନୀ ଦେଖିବାକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବିଦ୍ୟାର୍ଥୀ, ଗବେଷକ ଓ ସାଧାରଣ ଲୋକ ଆସିଥିଲେ। ଏହି ଅବସରରେ ସରକାରଙ୍କର ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରଚାରପତ୍ର ବଣ୍ଟନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ମତ୍ସ୍ୟ ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ବିଭାଗ ସମେତ ଅନ୍ୟ ବିଭାଗଗୁଡ଼ିକର ଜନହିତକାରୀ ଯୋଜନା ସଂପର୍କରେ ପ୍ରଚାରପତ୍ର ବଣ୍ଟନ କରାଯାଇଛି। ଏଥିସହ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ସ୍ୱତନ୍ତ୍ର ଲଫାପା ଏବଂ ଧଉଳି ଶାନ୍ତିସ୍ତୂପ ଥିବା ସ୍ମାରକୀ ପ୍ରଦାନ କରାଯାଇଛି। ଏହାକୁ ନେବା ପାଇଁ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି। ଏଠାକୁ ଆସି ପ୍ରାଚୀନ ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜାଣିବା ସହ ଦର୍ଶକମାନେ ଅଭୁଲା ସ୍ମୃତି ନେଇ ଫେରୁଛନ୍ତି। କେବଳ ସେତିକି ନୁହେଁ ସୈନିକ ସ୍କୁଲ୍‌ ନିକଟରେ ନୂଆ କରି ତିଆରି ହୋଇଥିବା ‘ଅକ୍ଷର ଭୂମି’ରେ ମଧ୍ୟ ଯୁବପିଢ଼ିଙ୍କ ଭିଡ଼ ଜମୁଛି।

ଭୁବନେଶ୍ୱର: କଟକ ରେଭେନ୍ସା କଲେଜିଏଟ୍ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ସିଦ୍ଧାର୍ଥ କୁମାର ସାହୁଙ୍କୁ ‘ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ’ରେ ପ୍ରୋତ୍ସାହିତ କରିଛନ୍ତି ସେହି ବିଦ୍ୟାଳୟର ପୁରାତନ ଛାତ୍ର। ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଓଡ଼ିଆ ବୈଜ୍ଞାନିକ ଡ. ସଚ୍ଚିଦାନନ୍ଦ ପଣ୍ଡା ସିଦ୍ଧାର୍ଥଙ୍କ ଅଭିଭାଷଣରେ ମୁଗ୍ଧ ହୋଇ ତାଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇଥିଲେ। ଶ୍ରୀ ପଣ୍ଡା ଜିନ୍ ଓ ମଲିକ୍ୟୁଲ୍ ସମ୍ବନ୍ଧରେ ଗବେଷଣା କରି ଆମେରିକାର ଜଣେ ଖ୍ୟାତିସମ୍ପନ୍ନ ବୈଜ୍ଞାନିକ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମ ଅବସରରେ ସିଦ୍ଧାର୍ଥ ଓଡ଼ିଆ ଭାଷାକୁ ନେଇ ଚମତ୍କାର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅଭିଭାଷଣ ସମସ୍ତଙ୍କୁ ବିମୋହିତ କରିବା ସହ ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଛି। ଏହି ଅଭିଭାଷଣ ଶ୍ରୀ ପଣ୍ଡାଙ୍କୁ ମଧ୍ୟ ଆକର୍ଷିତ କରିଥିଲା। ଭାଷଣ ଦେଉଥିବା ପିଲାଟି ରେଭେନ୍ସା କଲେଜିଏଟ୍ ସ୍କୁଲର ଛାତ୍ର ଜାଣିବା ପରେ ସେ ଆନନ୍ଦ ଓ ଗର୍ବରେ ଆସି ସିଦ୍ଧାର୍ଥଙ୍କୁ ପ୍ରଶଂସା କରିଥିଲେ। ଏହାପରେ ସିଦ୍ଧାର୍ଥଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅନେକ ବରିଷ୍ଠ ଅତିଥି ତଥା ପ୍ରାଶାସନିକ ଅଧିକାରୀ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ନିଜ ବିଦ୍ୟାଳୟର ପରବର୍ତ୍ତୀ ପିଢ଼ିର କୃତିତ୍ବକୁ ନେଇ ଗର୍ବିତ ବୋଲି ସେ କହିଛନ୍ତି। ସିଦ୍ଧାର୍ଥଙ୍କ ବାପା ପେସାରେ ଜଣେ ଆଇସକ୍ରିମ ବିକ୍ରେତା ହୋଇଥିବାବେଳେ, ପୁଅର ଏହି ସଫଳତା ତାଙ୍କୁ ନୂଆ ପରିଚୟ ଦେଇଛି। ତେବେ ଭବିଷ୍ୟତରେ ସିଦ୍ଧାର୍ଥ ଜଣେ ପ୍ରାଶାସନିକ ଅଧିକାରୀ ହେବା ପାଇଁ ଆଶା ରଖିଥିବା କହିଛନ୍ତି।

ସମ୍ବନ୍ଧିତ ଖବର