ଓଜେମ୍ପିକ୍‌ ମାୟାରେ ହଲିଉଡ୍‌ ବାୟା

କିଛି ବର୍ଷ ହେଲା ହଲିଉଡ୍‌ ତାରକାମାନେ ଓଜନ ହ୍ରାସ ପାଇଁ ଏକ ମଧୁମେହ ଔଷଧର ବହୁଳ ବ୍ୟବହାର କରୁଛନ୍ତି। ମୂଳତଃ ଟାଇପ୍‌-୨ ମଧୁମେହ ନିୟନ୍ତ୍ରଣ ପାଇଁ ବ୍ୟବହୃତ ଏହି ଇଂଜେକ୍‌ସନ୍‌ର ନାମ ‘ଓଜେମ୍ପିକ୍‌’ (ସେମାଗ୍ଲୁଟାଇଡ୍‌)। ସିନେ ଦୁନିଆର ତାରକାମାନଙ୍କ ଜୀବନଶୈଳୀ ସମ୍ପର୍କିତ ସୂଚନା ଜଙ୍ଗଲ ନିଆଁ ପରି ବ୍ୟାପିଯିବା ସହ ସର୍ବତ୍ର ଆଲୋଚିତ ହୋଇଥାଏ। ତେବେ ଏଥର ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ଓଜେମ୍ପିକ୍‌। ଏହି ଔଷଧକୁ ଅଗ୍ରଣୀ ତାରକାମାନେ ଓଜନ ହ୍ରାସ ପାଇଁ ବ୍ୟବହାର କରୁଥିବା କଥା ଗତବର୍ଷ ଅଗଷ୍ଟରେ ପଦାକୁ ଆସିଥିଲା। ଓଜେମ୍ପିକ୍‌ର ଅଭାବ ଦେଖାଦେବାରୁ ଏହାର ଏପରି ଭିନ୍ନ ଉପଯୋଗ ଘଟଣା ଲୋକଲୋଚନକୁ ଆସିଥିଲା। ଆମି ସ୍କୁମର ଗୋଲନେସା ‘ଜିଜି’ ଘାରାଚେଦାଘି ଓ ରାଭେନ୍‌ ସିମନ୍‌ଙ୍କ ଭଳି ଆଗଧାଡ଼ିର ଅନେକ ତାରକା ଓଜନ ହ୍ରାସ ପାଇଁ ଏହି ଔଷଧ ବ୍ୟବହାର କରିଥିବା କଥା ସ୍ବୀକାର କରିଛନ୍ତି।

ଓଜୋମ୍ପିକ୍‌ର ପ୍ରସ୍ତୁତକାରୀ କମ୍ପାନି ନୋଭୋ ନର୍ଦିସ୍କ ସ୍ପଷ୍ଟ କରିଛି ଯେ ଏହାକୁ କେବଳ ଟାଇପ୍‌-୨ ମଧୁମେହର ଉପଚାର ପାଇଁ ବ୍ୟବହାର କରାଯିବା ଉଚିତ।

ଅପରପକ୍ଷେ ଖୋଲେ କାର୍ଡେସିଆନ୍ ଓ କାଇଲ୍‌ ରିଚାର୍ଡସ୍‌ଙ୍କ ପରି ତାରକା ଓଜନ ହ୍ରାସ ପାଇଁ ଓଜେମ୍ବିକ ବ୍ୟବହାର କରିଥିବା କଥାକୁ ରୋକଠୋକ୍‌ ଅସ୍ବୀକାର କରିଛନ୍ତି। ଏଣେ ଓଜୋମ୍ପିକ୍‌ର ପ୍ରସ୍ତୁତକାରୀ କମ୍ପାନି ନୋଭୋ ନର୍ଦିସ୍କ ସ୍ପଷ୍ଟ କରିଛି ଯେ ଏହାକୁ କେବଳ ଟାଇପ୍‌-୨ ମଧୁମେହର ଉପଚାର ପାଇଁ ବ୍ୟବହାର କରାଯିବା ଉଚିତ। ତଥାପି ହଲିଉଡ୍‌ ତାରକା ସମେତ ସେମାନଙ୍କୁ ଅନୁକରଣ କରି ସାଧାରଣ ଲୋକଙ୍କ ଭିତରେ ମଧ୍ୟ ଓଜନ ହ୍ରାସ ପାଇଁ ଏହାର ଚାହିଦା ବଢ଼ିବାରେ ଲାଗିଛି। ସାମାଜିକ ଗଣମାଧ୍ୟମରେ ଓଜୋମ୍ପିକ୍‌ ବ୍ୟବହାରକାରୀଙ୍କ ସଫଳତା ବାବଦରେ ପ୍ରଚାରିତ ସୂଚନା ଏହାକୁ ବେଶୀ ଲୋକପ୍ରିୟ କରାଇଛି। ତେବେ ୪୦ ବର୍ଷରୁ ଅଧିକ ବୟସ୍କଙ୍କ ଠାରେ ଏହାର ଉପଯୋଗ କଳ୍ପନାତୀତ ଭାବେ ଓଜନ କମାଇବା ସହ ମୁହଁର ଚର୍ମ ଅସ୍ବାଭାବିକ ଭାବେ ଝୁଲି ପଡ଼ିବା ଘଟଣା ଚିନ୍ତାର ବିଷୟ ହୋଇଛି। ଓଜେମ୍ପିକ୍‌ର ବ୍ୟବହାରକୁ ସୋଫି ଟର୍ଣ୍ଣର ଓ ଜାମିଲା ଜାମିଲ୍‌ଙ୍କ ଭଳି ତାରକା ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର