କୋଭିଡ୍‌ ପରୀକ୍ଷା ନାଁରେ ଲୁଟୁଛନ୍ତି ଘରୋଇ ହସ୍ପିଟାଲ: ଆଣ୍ଟିଜେନ୍ କିଟ୍‌ ସରକାରୀ ଦର ୪୫୦ ଟଙ୍କା, ଘରୋଇ ହସ୍ପିଟାଲରେ ୮ଶହ

କୋଭିଡ୍‌ ପରୀକ୍ଷା ଲୁଟ୍‌କୁ ଜଗିବ କିଏ? ଚେତିଲା ସ୍ବାସ୍ଥ୍ୟ ବିଭାଗ, ୧୦୦ ଟଙ୍କାରେ ରାପିଡ୍‌ ଆଣ୍ଟିଜେନ୍ ପରୀକ୍ଷା

ଭୁବନେଶ୍ବର: ସରକାରୀ ନିର୍ଦେଶନାମାକୁ ମାନୁ ନାହାନ୍ତି ରାଜଧାନୀର ଘରୋଇ ହସ୍ପିଟାଲ। କୋଭିଡ୍‌ ପରୀକ୍ଷା ନାଁରେ ଲୋକଙ୍କୁ ମନଇଚ୍ଛା ଲୁଟୁଛନ୍ତି। କୋଭିଡ୍‌ ପରୀକ୍ଷା ଦର ସରକାର ଯାହା ଧାର୍ଯ୍ୟ କରିଛନ୍ତି, ତା’ଠାରୁ ଯଥେଷ୍ଟ ଅଧିକ ଟଙ୍କା ନେଉଛନ୍ତି। ଘରୋଇ ହସ୍ପିଟାଲଗୁଡ଼ିକ ବିରୋଧରେ ଏଭଳି ଗଦା ଗଦା ଅଭିଯୋଗ ଆସିଲାଣି। ବିଶେଷକରି ସାମାଜିକ ଗଣମାଧ୍ୟମରେ ଲୋକେ ଖୋଲାଖୋଲି ଅଭିଯୋଗ କରିବା ସହିତ ସ୍ବାସ୍ଥ୍ୟ ବିଭାଗକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ମାତ୍ର ସରକାରୀ ଉଦାସୀନତା ଏଭଳି ଦିନ ଦ୍ବିପ୍ରହରର ଲୁଟ୍‌କୁ ପ୍ରୋତ୍ସାହିତ କରୁଛି।

image credit : nordic life sciences

ଅପରପକ୍ଷରେ ସବୁଠାରୁ ବିଶ୍ବସନୀୟ କୋଭିଡ୍‌ ପରୀକ୍ଷା ଆର୍‌ଟି-ପିସିଆର୍‌ ଦରକୁ ରାଜ୍ୟ ସରକାର ୪ଶହ ଟଙ୍କାକୁ ହ୍ରାସ କରିଛନ୍ତି, ଯାହାକି ଦେଶରେ ସବୁଠାରୁ କମ୍। ଆଜି ରାଜ୍ୟ ସରକାର ରାପିଡ୍ ଆଣ୍ଟିଜେନ୍ କିଟ୍‌ ଦର କମାଇଥିଲେ ମଧ୍ୟ ଘରୋଇ ହସ୍ପିଟାଲ‌ରେ ଲୋକଙ୍କଠାରୁ କେତେ ଟଙ୍କା ନିଆଯିବ, ତାହାର ଯାଞ୍ଚ କିଏ କରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦେବବ୍ରତ ମହାନ୍ତି ନାମକ ଜଣେ ବ୍ୟକ୍ତି ରାଜଧାନୀର ଏକ ନାମୀ ଘରୋଇ ହସ୍ପିଟାଲକୁ ନିଜ ବାପାଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ସେଠାରେ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ବାବଦରେ ୮ଶହ ଟଙ୍କା ଦାବି କରାଯାଇଥିଲା। ଏହାକୁ ସେ ବିରୋଧ କରିଥିଲେ। ହେଲେ ହସ୍ପିଟାଲରେ କେହି ଶୁଣି ନଥିଲେ। ଫଳରେ ବାଧ୍ୟ ହୋଇ ଦେବବ୍ରତ ଫେରି ଆସିଥିଲେ। ଏନେଇ ସେ ଟ୍ବିଟର୍‌ରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ବିଭାଗ ଓ ଆଇସିଏମ୍‌ଆରକୁ ଟ୍ୟାଗ୍‌ କରି ଏଭଳି ଲୁଟ୍‌ ସଂପର୍କରେ ସୂଚନା ଦେଇଛନ୍ତି।

ଗତ ଜୁଲାଇ ୧୪ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ ଦରକୁ ଘରୋଇ ହସ୍ପିଟାଲ ଓ ପରୀକ୍ଷାଗାର ପାଇଁ ୪୫୦ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସେବେଠାରୁ ଏହି ଦର ଅପରିବର୍ତିତ ରହିଛି। ହେଲେ ଘରୋଇ ହସ୍ପିଟାଲଗୁଡ଼ିକ ବିଭିନ୍ନ ବାହାନା କରି ରୋଗୀଙ୍କଠାରୁ ମନଇଚ୍ଛା ଦର ନେଉଛନ୍ତି; କେଉଁ ହସ୍ପିଟାଲରେ ୬ଶହ ତ ଆଉ କେଉଁଠି ୮ଶହ ଟଙ୍କା। ସେହିପରି ରାଜ୍ୟରେ ପୂର୍ବରୁ ଆର୍‌ଟି-ପିସିଆର୍‌ ପରୀକ୍ଷା ଦର ଘରୋଇ ହସ୍ପିଟାଲରେ ଅଢ଼େଇ ହଜାର ଓ ପରବର୍ତୀ ସମୟରେ ୧୨ଶହ ଟଙ୍କାକୁ ହ୍ରାସ କରାଯାଇଥିଲା। ନିକଟରେ ରାଜ୍ୟ ସରକାର ଏହାର ଦରକୁ ୪ଶହ ଟଙ୍କାକୁ କମାଇ ଦେଇଛନ୍ତି। ଦର କମାଇବାର ଉଦ୍ଦେଶ୍ୟ ଥିଲା, ଲୋକମାନେ ଯେପରି ଅଧିକରୁ ଅଧିକ ସଂଖ୍ୟାରେ କୋଭିଡ୍‌ ପରୀକ୍ଷା ପାଇଁ ଆଗ୍ରହ ପ୍ରକାଶ କରିବେ। ହେଲେ ରାଜଧାନୀର ଘରୋଇ ହସ୍ପିଟାଲମାନେ ଆର୍‌ଟି-ପିସିଆର ପରୀକ୍ଷା ଦର ୨ ହଜାର ଟଙ୍କାରୁ ୨୬ଶହ ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି।

ଜାଣିଶୁଣି ଏଥିରେ ଡାକ୍ତର କନସଲ୍‌ଟ ଓ ଅନ୍ୟ ଖର୍ଚକୁ ସାମିଲ କରିବା ଫଳରେ ଦରବୃଦ୍ଧି ପାଉଛି। ସରକାରଙ୍କ ଧାର୍ଯ୍ୟଦର ବଦଳରେ ଏଭଳି କାହିଁକି ଚଢ଼ା ଦର ନିଆଯାଉଛି, ପଚାରିଲେ ଅବାନ୍ତର ଯୁକ୍ତି କରିବା ସହ ଆମ ହସ୍ପିଟାଲରେ ଏହି ଦର ରହିଛି ବୋଲି କହ‌ୁଛନ୍ତି। ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିଥିବା ଲୋକମାନେ ଏଭଳି ଲୁଟ୍‌ ସଂପର୍କରେ ଜାଣୁଥିଲେ ହେଁ ପ୍ରତିବାଦ କରିପାରୁ ନାହାନ୍ତି। ରାଜଧାନୀରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ହସ୍ପିଟାଲଗୁଡ଼ିକରେ ଅନ୍ୟ ସାଧାରଣ ରୋଗୀଙ୍କ ଭିଡ଼ ହେଉଛି। ତେଣୁ ଏହାର ସୁଯୋଗ ନେଇ ଘରୋଇ ହସ୍ପିଟାଲଗୁଡ଼ିକ ମନଇଚ୍ଛା ଲୁଟ୍ କରୁଛନ୍ତି। ଅପରପକ୍ଷରେ ଘରୋଇ ହସ୍ପିଟାଲଗୁଡ଼ିକରେ ସରକାରୀ ଦର ଅନୁଯାୟୀ, ଟଙ୍କା ନିଆଯାଉଛି କି ନାହିଁ, ତାହା ଜାଣିବା ଲାଗି କୌଣସି ବ୍ୟବସ୍ଥା ନାହିଁ। ଅଧିକାରୀମାନେ କେବଳ ଅଭିଯୋଗ ଆସିଲେ ହିଁ ଏହାର ତଦନ୍ତ କରାଯିବ ବୋଲି କହୁଛନ୍ତି। ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶ୍ରୀ ମହାପାତ୍ର କହିଛନ୍ତି, ଏ ନେଇ ଏକ ଟିମ୍ ପଠାଯାଇ ଏହାର ତଦନ୍ତ କରାଯିବ।

ସମ୍ବନ୍ଧିତ ଖବର