‘ରସଗୋଲା ଦିବସ’ରେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ: କ୍ଲଷ୍ଟର୍‌ରେ ଉପକୃତ ହେବେ ୮୪ ବ୍ୟବସାୟୀ

ଭୁବନେଶ୍ବର : ଖୁବ୍‌ ଶୀଘ୍ର ପାହାଳରେ ରସଗୋଲା କ୍ଲଷ୍ଟର୍‌ ନିର୍ମାଣ କରାଯିବ। ଏଥିରେ ୮୪ ଜଣ ବ୍ୟବସାୟୀ ଉପକୃତ ହେବେ। ଏହି କ୍ଲଷ୍ଟର୍‌ ଜରିଆରେ ଓଡ଼ିଶା ରସଗୋଲାର ପ୍ରଚାର ପ୍ରସାର ହେବା ସହ ପାହାଳ ଏହି ବ୍ୟବସାୟର ଏକ ବଡ଼ ପେଣ୍ଠସ୍ଥଳ ଭାବେ ପରିଗଣିତ ହେବ ଆଜି ପବିତ୍ର ନୀଳାଦ୍ରି ବିଜେ ଅବସରରେ ରାଜଧାନୀ ଉପକଣ୍ଠ ପାହାଳରେ ଆୟୋଜିତ ‘ରସଗୋଲା ଦିବସ’ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ଏହା କହିଛନ୍ତି।

ପାହାଳରେ ପ୍ରତିବର୍ଷ ‘ରସଗୋଲା ଦିବସ’ ପାଳନ କରାଯାଏ। କିନ୍ତୁ କରୋନା କଟକଣା କାରଣରୁ ଏ ଥର ନିରାଡ଼ମ୍ବର ଭାବେ ଏହି ଦିବସ ପାଳିତ ହୋଇଥିଲା। ଏହି ଅବସରରେ ଏକ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରରୁ ୩୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ଶିବିରକୁ ଭୁବନେଶ୍ବର ରେଡକ୍ରସ୍‌ ତରଫରୁ ସମସ୍ତ ସହଯୋଗ କରାଯାଇଥିଲା। ପାହାଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ବିଧାୟକ ଶ୍ରୀ ରାଉତଙ୍କ ସହ ଅନ୍ୟତମ ଅତିଥି ଭାବେ ‘ଓଡ଼ିଶା ମୋ ପରିବାର’ର ସଭାପତି ଅରୂପ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରସଗୋଲାକୁ ଜିଆଇ ମାନ୍ୟତା ମିଳିବାରେ ବିଶେଷ ଭୂମିକା ନିର୍ବାହ କରିଥିବା ବିଶିଷ୍ଟ ଗବେଷକ ଅସିତ ମହାନ୍ତି, ଦୁର୍ଗା ସାମନ୍ତରାୟ, ରାଜ୍ୟ ମିଷ୍ଠାନ ସଂଘ ସଭାପତି ବିମ୍ବାଧର ବେହେରା, ପ୍ରକାଶ ତ୍ରିପାଠୀ, ଅଶ୍ବିନୀ ସୁନ୍ଦରାୟ, ସୂର୍ଯ୍ୟକାନ୍ତ ଜେନା, ରୁଦ୍ର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ। ଅତିଥିମାନେ ପାହାଳ ଶ୍ମଶାନ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ‌ରେ ସାମିଲ ହୋଇଥିଲେ। ପାହାଳ ରସଗୋଲା ଫାଉଣ୍ଡେସନର ସଭାପତି ଅକ୍ଷୟ କୁମାର ଲେଙ୍କା ଓ ୮୪ ଜଣ ରସଗୋଲା ବ୍ୟବସାୟୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର