ଜନପ୍ରତିନିଧିଙ୍କୁ ସମ୍ମାନ ଦିଅ, କମିସନର୍‌ଙ୍କ ଚିଠିକୁ ନେଇ ଆଲୋଡ଼ନ

ଭୁବନେଶ୍ୱର: ସରକାରଙ୍କ ଅଂଶ ହିସାବରେ ବିଏମ୍‌ସି ଜନସାଧାରଣଙ୍କୁ ମୌଳିକ ସେବା ଯୋଗାଇ ଦେବା ପାଇଁ ଯଥା ସମ୍ଭବ ଉଦ୍ୟମ କରୁଛି। ଜନପ୍ରତିନିଧିମାନେ ବିଏମ୍‌ସି ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ଭଳି କାମ କରୁଛନ୍ତି। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଲୋକପ୍ରତିନିଧିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଏଣୁ ଜଣେ ଲୋକ ପ୍ରତିନିଧିକୁ ସମ୍ମାନ ଦେବା, ତାଙ୍କ କଥା ଶୁଣିବା ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀର ପ୍ରଥମ କର୍ତ୍ତବ୍ୟ। ସେମାନଙ୍କୁ ଉପେକ୍ଷା କଲେ ବା ଅସମ୍ମାନ କଲେ ବିଏମ୍‌ସିକୁ ଓଲଟା ଫଳ ମିଳିବ, ସାଧାରଣ ଲୋକଙ୍କୁ ସେବା ଯୋଗାଇବାରେ ବାଧା ଉପୁଜିବ। ସରକାର ପ୍ରତିଷ୍ଠା କରିଥିବା ଏହି ସମ୍ମାନଜନକ ଅନୁଷ୍ଠାନ ପ୍ରତି ସାଧାରଣ ଲୋକ ଆସ୍ଥା ହରାଇବେ। ଏଣୁ କର୍ମଚାରୀ ଓ ଅଧିକାରୀମାନେ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଜଣାଇ ତାଙ୍କ ସହ କାମ କରନ୍ତୁ। ଏହି ମର୍ମରେ ବିଏମ୍‌ସି କମିସନର ଚିଠି ଲେଖି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ଚେତାଇ ଦେଇଛନ୍ତି।

ନିକଟ ଅତୀତରେ କର୍ପୋରେସନ ଏକ ବର୍ଷର ପୂର୍ତ୍ତି ପାଳନ କରିଛି। ଜନପ୍ରତିନିଧି ଆସିବାର ବର୍ଷେ ପରେ କମିସନର କାହିଁକି ଅଧିକାରୀ ଓ କର୍ମଚାରୀମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ମନେ ପକାଇ ଦେଲେ? ଅଧିକାରୀ/କର୍ମଚାରୀ କ’ଣ ନିର୍ବାଚିତ ଜନପ୍ରତିନିଧିଙ୍କୁ ସମ୍ମାନ ଦେଉ ନାହାନ୍ତି? କେହି ଜନପ୍ରତିନିଧି ଅଭିଯୋଗ କରିଛନ୍ତି ନା କମିସନର ଏଭଳି ହେଉଥିବା ଅନୁଭବ କରିଛନ୍ତି? ଗତକାଲି କମିସନର ଲେଖିଥିବା ଏଭଳି ଚିଠିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଗତକାଲି ଅର୍ଥାତ୍‌ ୨୪ ତାରିଖରେ ଏକ ଷ୍ଟାଣ୍ଡିଂ କମିଟିର ବୈଠକ ଡକାଯାଇଥିଲା। ହେଲେ କମିଟି ଅଧ୍ୟକ୍ଷ ବୈଠକକୁ ଆସିନଥିଲେ। ଅନ୍ୟ କେତେକ ସଦସ୍ୟ ମଧ୍ୟ ଅନୁପସ୍ଥିତ ଥିଲେ। ଅନ୍ୟ ସଦସ୍ୟ ଓ ଅଧିକାରୀ ଢେର୍‌ ସମୟ ଧରି ବସି ରହିଥିଲେ ମଧ୍ୟ ଅଧ୍ୟକ୍ଷ ନ ଆସିବାରୁ ବୈଠକ ବାତିଲ କରିବାକୁ ପଡ଼ିଥିଲା। ସମସ୍ତ ଷ୍ଟାଣ୍ଡିଂ କମିଟି ବୈଠକ ସମ୍ପୂର୍ଣ୍ଣ ହୋଇ ବୈଠକର ନିଷ୍କର୍ସ ହସ୍ତଗତ ନ ହେଲେ କର୍ପୋରେସନ ବୈଠକ ବସିପାରେ ନାହିଁ। ଏଣୁ ଆସନ୍ତାକାଲି ଅର୍ଥାତ୍‌ ୨୬ ତାରିଖରେ ବସିବାକୁ ଥିବା କର୍ପୋରେସନ ବୈଠକକୁ ବାତିଲ କରିବାକୁ ପଡ଼ିଲା। ବିଏମ୍‌ସି ସଚିବ ଅଗତ୍ୟା ଚିଠି କରି ‘ଅନିବାର୍ଯ୍ୟ କାରଣବଶତଃ କର୍ପୋରେସନ ବୈଠକ ବାତିଲ କରାଗଲା’ ବୋଲି ସମସ୍ତ କର୍ପୋରେଟରଙ୍କୁ ଅବଗତ କରାଇଛନ୍ତି। ଆସନ୍ତା ୨୯ ତାରିଖରେ ଏହି ବୈଠକ ପାଇଁ ସମୟ ଧାର୍ଯ୍ୟ ହୋଇଛି। ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବୈଠକ ନ ଆସିବା, କର୍ପୋରେସନ ବୈଠକକୁ ୩ ଦିନ ଘୁଞ୍ଚାଇଦେବା ଓ କମିସନର ଏଭଳି ଚିଠି ଲେଖି ନିର୍ବାଚିତ ଜନପ୍ରତିନିଧିଙ୍କୁ ସମ୍ମାନ ଦେବାପାଇଁ ଅଧିକାରୀ/କର୍ମଚାରୀଙ୍କୁ ଚେତାଇବା ଘଟଣା ଗୋଟିଏ ଦିନ ଅର୍ଥାତ୍‌ ୨୪ ତାରିଖରେ ଘଟିଛି। ଏଭଳି ଗୋଟିଏ ଦିନରେ କାହିଁକି ଏ ସବୁ ଘଟଣା ଘଟିଲା ତାହାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି।

ଅଧିକାରୀ, କର୍ମଚାରୀଙ୍କୁ ତାଗିଦ୍‌ କଲେ କମିସନର୍‌
ଜନପ୍ରତିନିଧିଙ୍କୁ ଉପେକ୍ଷା କଲେ ଓଲଟା ଫଳ ମିଳିବ
ଷ୍ଟାଣ୍ଡିଂ କମିଟି ବୈଠକରେ ଅଧ୍ୟକ୍ଷ-ଅଧିକାରୀ ବିବାଦ ଚର୍ଚ୍ଚାରେ
ତିନି ଦିନ ଘୁଞ୍ଚିଲା ବିଏମ୍‌ସି ମାସିକ ବୈଠକ

ଗତମାସରେ ଏକ ଷ୍ଟାଣ୍ଡିଂ କମିଟି ବୈଠକରେ ‌କେତେକ ପ୍ରସଙ୍ଗକୁ ନେଇ ବିଭାଗୀୟ ଅଧିକାରୀ ଓ ଅଧ୍ୟକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଯାହାକୁ ନେଇ ଅଧ୍ୟକ୍ଷ ଅସମ୍ମାନ ବୋଧ କରିଥିଲେ। ଏ ନେଇ ସେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲେ। ସମ୍ପୃକ୍ତ ଅଧିକାରୀଙ୍କର ଦୁଇ ଦୁଇ ଥର ବଦଳି ହୋଇଥିଲେ ମଧ୍ୟ ତାଙ୍କୁ କାହିଁକି ରଖାଯାଇଛି? ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ତାଙ୍କୁ କେବେ ବିଏମ୍‌ସିରୁ ହଟାଯାଉଛି ବୋଲି ପ୍ରଶ୍ନ କରିବା ସହ ସେ ବୈଠକ ଆସିଲେ ମୁଁ ଆସିବି ନାହିଁ ବୋଲି କୁଆଡ଼େ ସଫା ସଫା ଶୁଣାଇ ଦେଇଥିଲେ।

କର୍ତ୍ତୃପକ୍ଷ ତାଙ୍କୁ ଯଥା ସମ୍ଭବ ବାଝାସୁଝା କରିଥିଲେ ଏବଂ ଭୁଲି ଯାଇଥିଲେ। କିନ୍ତୁ ବାସ୍ତବରେ ଅଧ୍ୟକ୍ଷ ଗତକାଲି ଷ୍ଟାଣ୍ଡିଂ କମିଟି ବୈଠକକୁ ନ ଆସିବାରୁ ପ୍ରସଙ୍ଗର ଗୁରୁତ୍ବ ବଢ଼ି ଯାଇଥିଲା। ଯଦିଓ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଏ ନେଇ ମୁହଁ ଖୋଲି ନାହାନ୍ତି, ବିଏମ୍‌ସି କର୍ତ୍ତୃପକ୍ଷ ମଧ୍ୟ ଏହାକୁ ଲୁଚାଇ ରଖିବାକୁ ଯଥା ସମ୍ଭବ ଉଦ୍ୟମ କରିଛନ୍ତି। ତଥାପି ଏହି ଘଟଣାକୁ ନେଇ କମିସନର୍‌ ଅସନ୍ତୋଷ ପ୍ରକାଶ କରିବା ସହ ଚିଠି ଲେଖିଥିବା କୁହାଯାଉଛି। ଅନ୍ୟପଟେ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ କର୍ପୋରେସନ ବୈଠକ ପୂର୍ବରୁ ବୁଝାସୁଝା କରାଇ ଷ୍ଟାଣ୍ଡିଂ କମିଟି ବସାଇ ଦେବାକୁ ମସୁଧା ଚାଲିଥିବା କୁହାଯାଉଛି। ଏହା ବାଦ୍ ପୂର୍ବରୁ ମଧ୍ୟ କିଛି ଘଟଣାରେ ବିଏମ୍‌ସିର ଅଧିକାରୀମାନେ କର୍ପୋରେଟର୍‌ଙ୍କ କଥା ଶୁଣୁ ନଥିବା ନେଇ ଅଭିଯୋଗ ହୋଇଥିଲା। ଯଦିଓ ଏ ନେଇ କର୍ପୋରେଟର୍‌ମାନେ କେବେ ଲିଖିତ ଅଭିଯୋଗ କରି ନଥିଲେ, ତେବେ ସେମାନେ ବିଭିନ୍ନ ସମୟରେ ଅସନ୍ତୋଷ ଖୋଲାଖୋଲି ପ୍ରକାଶ କରୁଥିଲେ।

ସମ୍ବନ୍ଧିତ ଖବର