ପୂଜାରେ କନ୍ଦେଇବ ଝାରପଡ଼ାକୁ ସଂଯୋଗ କରୁଥିବା ରାସ୍ତା

ଭୁବନେଶ୍ବର: ଝାରପଡ଼ା ଦୁର୍ଗାପୂଜା ସମିତି ପକ୍ଷରୁ ଏଥର ନିଜସ୍ବ ପରିକଳ୍ପାନରେ ‘ସୁନାର ପ୍ରାସାଦ’ ତୋରଣ ନିର୍ମାଣ କରାଯାଉଛି। ପୂଜା ପାଖେଇ ଆସୁଥିବାରୁ ଦିନ ରାତି ଏକ କରି ଶତାଧିକ କାରିଗର ତୋରଣ ନିର୍ମାଣରେ ଲାଗିଛନ୍ତି। ପ୍ରତି ବର୍ଷ ପରି ଏଥର ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମୀନାବଜାର, ଚକ୍ରିଦୋଳି ଓ ଖାଦ୍ୟର ପସରା ଖୋଲିବ। ରାବଣପୋଡ଼ି ଓ ଆତସବାଜି ମଧ୍ୟ କରାଯିବ। ଭୁବନେଶ୍ବରବାସୀଙ୍କ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପୂଜା ବୁଲିବା ପାଇଁ ହଜାର ହଜାର ଲୋକେ ଆସିବେ। ହେଲେ ଝାରପଡ଼ା ଓ ଏହାକୁ ସଂଯୋଗ କରୁଥିବା ରାସ୍ତାର ଦୁରବସ୍ଥା ପୂଜା ଉପରେ ବଡ଼ ପ୍ରଭାବ ପକାଇବ ବୋଲି ଆଶାଙ୍କା କରାଯାଉଛି। ପ୍ରଥମତଃ ଲକ୍ଷ୍ମୀସାଗର-ଝାରପଡ଼ା ଅଞ୍ଚଳବାସୀଙ୍କ ମୁଖ୍ୟରାସ୍ତା ତଥା ଝାରପଡ଼ା ମଣ୍ଡପକୁ ସଂଯୋଗ କରୁଥିବା ଲକ୍ଷ୍ମୀସାଗର ଲୁପ୍‌-ରୋଡ୍‌ର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଲକ୍ଷ୍ମୀସାଗର ଛକରୁ ଝାରପଡ଼ା ଜେଲ୍‌ ଦେଇ ଝାରପଡ଼ା ଓଭରବ୍ରିଜ୍‌ ପର୍ଯ୍ୟନ୍ତ ଦେଢ଼ କିଲୋମିଟର ବିଶିଷ୍ଟ ଏହି ରାସ୍ତାରେ ଲକ୍ଷ୍ମୀସାଗର, ଝାରପଡ଼ା, ଜଗନ୍ନାଥ ନଗର, ହଳଦୀପଡ଼ିଆ ଆଦି ଅଞ୍ଚଳର ହଜାର ହଜାର ଲୋକ ନିର୍ଭରଶୀଳ। ଏହି ରାସ୍ତା ଦେଇ କେଶୁରା, କୋରଡ଼କଣ୍ଟା, ବାଙ୍କୁଆଳ ଲୋକମାନେ ସହର ଭିତରକୁ ଯା’ ଆସ କରନ୍ତି। କିନ୍ତୁ ଏହି ରାସ୍ତାରୁ ପିଚୁ ଉଠିଯିବା ସହ ଠାଏଠାଏ କଂକ୍ରିଟ୍‌ ଛାଡ଼ି ଯାଇଛି।

ଲକ୍ଷ୍ମୀସାଗର ସ୍କୁଲ୍‌ ନିକଟ, ଝାରପଡ଼ା ଜେଲ୍‌ ସମ୍ମୁଖ, ଥାନା ସମ୍ମୁଖ ଭଳି ଅନେକ ସ୍ଥାନରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତେବେ ପୂଜା ପାଖେଇ ଆସୁଥିବା ବେଳେ ବେଳେ କାହିଁକି ଏବେ ଯାଏ ଏହି ରାସ୍ତାକୁ ମରାମତି କରାଯାଇନାହିଁ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେହିପରି ପୂଜା ମଣ୍ଡପଠାରୁ ମହାଦେବନଗର ଦେଇ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ସଙ୍ଗିନ। ଝାରପଡ଼ା ସ୍କୁଲ୍‌ ନିକଟରେ ପ୍ରାୟ ଦୁଇ ଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି। ମହାଦେବ ନଗର ରାସ୍ତାରେ ବର୍ଷା ଜଳ ନିସ୍କାସନ ହୋଇ ପାରୁନଥିବାରୁ ଏହି ରାସ୍ତାଟି ଅଧିକ ଖରାପ ହୋଇଯାଇଛି। ଏହି ରାସ୍ତା ଦେଇ ଉପକଣ୍ଠ ଲୋକେ ପୂଜା ଦେଖିବା ପାଇଁ ସହରକୁ ପ୍ରବେଶ କରିଥାନ୍ତି। ପୂଜା ପୂର୍ବରୁ ରାସ୍ତା ମରାମତି ନହେଲେ ଭୟଙ୍କର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ ବୋଲି ସ୍ଥାନୀୟ ବାସୀନ୍ଦା ଶକ୍ତି ପ୍ରସାଦ ମହାନ୍ତି, ବ୍ୟବସାୟୀ ଅମୀୟ ବରାଳ ଓ ଗିରିଜା ମହାନ୍ତି ପ୍ରମୁଖ କହିଛନ୍ତି। ଅନ୍ୟପଟେ ଝାରପଡ଼ାକୁ ସଂଯୋଗ କରୁଥିବା ଦୟାୱେଷ୍ଟ କେନାଲ ରାସ୍ତା ଅବସ୍ଥା ମଧ୍ୟ ଶୋଚନୀୟ।

ବାରମ୍ବାର ରାସ୍ତା କାମ ହେଉଥିଲେ ହେଁ ଏକାଧିକ ସ୍ଥାନରେ ରାସ୍ତାରେ ଖାଲ ଖମା ସୃଷ୍ଟି ହୋଇଛି। ଅନ୍ୟ ଏକ ବଡ଼ ସମସ୍ୟା ହେଲା ଜଗନ୍ନାଥ ନଗରରେ ଦୀର୍ଘ ଦିନ ଧରି ସ୍ବେରେଜ୍‌ କାମ ଚାଲିଥିଲେ ହେଁ ସରି ପାରୁନାହିଁ। ମନ୍ଥର ଗତିରେ କାମ ଚାଲୁଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି। ପୂଜା ପୂର୍ବରୁ ଯଦି ଏହି କାମ ନସରେ ତେବେ ଲୋକେ ନାହିଁ ନଥିବା ହଇରାଣ ହେବେ। ଏବେର ସ୍ଥିତିରେ ଯଦି ସୁଧାର ନ ଆସେ ତେବେ ଲୋକେ ଟ୍ରାଫିକ୍‌ ଜାମ୍‌ରେ ଫସିବେ ଏବଂ ପୂଜା ବୁଲା ଫସର ଫାଟିବ ବୋଲି ଆଲୋଚନା ହେଉଛି। ଏନେଇ ସ୍ଥାନୀୟ କର୍ପୋରେଟର ତଥା ଝାରପଡ଼ା ଦୁର୍ଗାପୂଜା ସମିତିର ଆବାହକ ଶ୍ରୀଧର ଜେନା କହିଛନ୍ତି ଲକ୍ଷ୍ମୀସାଗରରୁ ଝାରପଡ଼ା, ଝାରପଡ଼ାରୁ ଜାତୀୟ ରାଜପଥ ରାସ୍ତା ଏବଂ କେନାଲ ରାସ୍ତା ମରାମତି କରିବାକୁ ସମନ୍ବୟ ବୈଠକରେ ପୂର୍ତ୍ତ ବିଭାଗକୁ କୁହାଯାଇଥିଲା। କିନ୍ତୁ ସେମାନେ ଏପର୍ଯ୍ୟନ୍ତ କାମ ଆରମ୍ଭ କରିନାହାନ୍ତି। ୱାଟ୍‌କୋ କରୁଥିବା ଜନ୍ନାଥ ନଗର ସ୍ବେରେଜ୍‌ କାମ ପୂଜା ପୂର୍ବରୁ ଶେଷ କରିବା ସହ ରାସ୍ତାକୁ ମରାମତି କରି ଦେବାକୁ କୁହାଯାଇଛି। ବାକି ବିଏମ୍‌ସି ଅଧୀନରେ ଥିବା ରାସ୍ତା ପୂଜା ପୂର୍ବରୁ ମରାମତି ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର