ସିଟୁ କାର୍ଯ୍ୟାଳୟ ଭାଙ୍ଗିଲା ବିଏମ୍‌ସି

ଖଣ୍ଡଗିରି: ଡୁମୁଡୁମାସ୍ଥିତ ସିଟୁ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଛି ବିଏମ୍‌ସି। ସରକାରୀ ଜମି ଜବରଦଖଲ ଉଚ୍ଛେଦ ଅଭିଯୋଗ ପରେ ଏହି ପଦକ୍ଷେପ ଗ୍ରହଣ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଏପରିକି ସିଟୁ କର୍ମକର୍ତ୍ତା ଏବଂ ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଆଲୋଚନା ପରେ ସିଟୁ କାର୍ଯ୍ୟାଳୟର ଦୁଇଟି ଆଜବେଷ୍ଟସ୍‌ ଘର ଏବଂ ଗୋଟିଏ ସମ୍ପ୍ରସାରଣ ଅଂଶକୁ ଭାଙ୍ଗି ଦିଆଯାଇଛି।

ଅନ୍ୟଦିଗରେ ସିଟୁ ନେତା ପ୍ରଦୀପ ନାଏକଙ୍କ ଅଭିଯୋଗ ଅନୁସାରେ, ସିଟୁ ପକ୍ଷରୁ ବିଏମ୍‌ସିକୁ ୬ ମାସ ସମୟ ମଗାଯାଇଥିଲା। ଏହି ସମୟ ମଧ୍ୟରେ ସେମାନେ ନୂତନ କାର୍ଯ୍ୟାଳୟ ନିର୍ମାଣ କରି ପୁରାତନ କାର୍ଯ୍ୟାଳୟକୁ ଭାଙ୍ଗି ଦେବେ ବୋଲି କହିଥିଲେ। ମାତ୍ର ଏହା କେହି ଶୁଣିନଥିଲେ। ଏପରିକି ଏନଫୋର୍ସମେଣ୍ଟ ଟିମ୍‌ କାର୍ଯ୍ୟାଳୟରେ ଥିବା ଦୁଇଟି କମ୍ପ୍ୟୁଟର, ପ୍ରିଣ୍ଟର, ଜେରକ୍ସ ମେସିନ, ୫୦ରୁ ଅଧିକ ଚୌକି, ପଙ୍ଖା ସମେତ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ କାଢ଼ିବା ପାଇଁ ସମୟ ଦେଇନଥିଲା। ଏଥିଯୋଗୁଁ ଏହି ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଥିଲା। ଯେଉଁଭଳି ଭାବରେ କାର୍ଯ୍ୟାଳୟ ଭଙ୍ଗା ଯାଇଥିଲା ତାକୁ ଶ୍ରମିକ ନେତା ବସନ୍ତ ସାହୁ, ରାଜେନ୍ଦ୍ର ପାତ୍ର, ଅଲ୍ଲୀସାନ ବିବିଙ୍କ ସମେତ ଅନ୍ୟମାନେ ନିନ୍ଦା କରିଛନ୍ତି। ବିଏମସି ପକ୍ଷରୁ ଦେବରାଜ ସେଠୀ, ଶୁଭ୍ରାଂଶୁ ମହାନ୍ତିଙ୍କ ତତ୍ତ୍ବାବଧାନରେ ଏହି ଉଚ୍ଛେଦ କରାଯାଇଥିଲା।

ସମ୍ବନ୍ଧିତ ଖବର