ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ପିଟି ହତ୍ୟା ମାମଲା: ଅନ୍ତେବାସୀଙ୍କୁ ନେଇଗଲେ ପରିବାର

ଧଉଳି: ଧଉଳି ଥାନା ନିକଟ ‘ସ୍ବୀକାର’ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀ କେଦାରପଲ୍ଲୀ ଝରଣାସାହିର ଛବି ନାୟକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ମାମଲା ପରେ ଛନକା ପଶିଛି। ସେଠାରେ ରହି ଚିକିତ୍ସିତ ହେଉଥିବା ଅନ୍ୟ ଅନ୍ତେବାସୀଙ୍କ ମଧ୍ୟରୁ ୫ ଜଣଙ୍କୁ ଆଜି ତାଙ୍କ ପରିବାର ଲୋକ ଘରକୁ ନେଇ ଯାଇଥିବା ଜଣାପଡ଼ିଛି। ସେହିପରି ସେଠାରେ ଆହୁରି ୨୦ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଘରକୁ ବା ଅନ୍ୟ କେନ୍ଦ୍ରକୁ ନେବା ଲାଗି ପୁଲିସର ସହାୟତା ଲୋଡ଼ିଛନ୍ତି ପରିବାର ଲୋକ। ନିଶା ନିବାରଣ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ଅନ୍ତେବାସୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। କେବଳ ଏହି ନିଶା ନିବାରଣ କେନ୍ଦ୍ର ନୁହେଁ, ରାଜଧାନୀର ଅନ୍ୟ କେତେକ କେନ୍ଦ୍ରକୁ ନେଇ ମଧ୍ୟ ପରିବାର ଲୋକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଛବି ନାୟକଙ୍କ ହତ୍ୟା ମାମଲାରେ ତନାଘନା ଜାରି ରଖିଛି ଧଉଳି ଥାନା ପୁଲିସ। ଆଜି ନିଶା ନିବାରଣ କେନ୍ଦ୍ରକୁ ଯାଇ ଅନ୍ତେବାସୀଙ୍କ ବୟାନ ରେକର୍ଡ କରିଛି। ବିଶେଷ କରି ଛବି ରହୁଥିବା ରୁମ୍‌ର ଅନ୍ତେବାସୀଙ୍କ ବୟାନ ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ଥିବାରୁ ତାଙ୍କୁ ଟିକିନିଖି ପଚରାଉଚରା କରାଯାଇଛି। ସଂସ୍ଥାର କର୍ତ୍ତୃପକ୍ଷଙ୍କୁ ଦ୍ବିତୀୟ ଦିନରେ ପଚରାଉଚରା କରାଯିବା ସହ ରେଜିଷ୍ଟର ଜବତ କରିଛି ପୁଲିସ। ନିଶା ନିବାରଣ କେନ୍ଦ୍ର କେଉଁ ସବୁ ନିୟମକୁ ଆଧାର କରି ଚାଲୁଥିଲା, ଅନ୍ତେବାସୀଙ୍କ ପାଇଁ କ’ଣ ବ୍ୟବସ୍ଥା ରହିଥିଲା- ସେ ନେଇ ମଧ୍ୟ ପୁଲିସ ଯାଞ୍ଚ କରିଛି। ଅନ୍ତେବାସୀଙ୍କ ବୟାନ, ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ସିସିଟିଭି ଫୁଟେଜରୁ ରହସ୍ୟ ଉନ୍ମୋଚନ ହେବ ବୋଲି ପୁଲିସ କହିଛି।

ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ଛବିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁ ମୃତ୍ୟୁ ହୋଇଥିଲା ବୋଲି ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ କହୁଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ। ଏ ନେଇ ଧଉଳି ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର