ମା’ ଆସୁଛନ୍ତି: ଭସାଣରେ ବାଜିବ ନାସିକ୍ ଢୋଲ

ସହିଦନଗର ଦୁର୍ଗାପୂଜା କମିଟି

ଭୁବନେଶ୍ୱର: ୪୬ ବର୍ଷରେ ପଦାର୍ପଣ କରୁଛି ସହିଦନଗର ଦୁର୍ଗାପୂଜା। ରାଜଧାନୀର ଅନ୍ୟତମ ଏହି ଦୁର୍ଗା ପୂଜାରେ ଚଳିତ ବର୍ଷ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ବଡ଼ କଥା ହେଉଛି ଏଥର ଭସାଣରେ ଡିଜେ ବାଜିବ ନାହିଁ। ଏବର୍ଷ ଭସାଣ ଶୋଭାଯାତ୍ରାରେ ନାସିକ୍‌ ଢୋଲ ବିଶେଷ ଆକର୍ଷଣ ସାଜିବ। ୧୦୦ ମହିଳା ଢୋଲ ବାଦକ ‌ମା’ଙ୍କ ଭସାଣ ଶୋଭାଯାତ୍ରାର ଶୋଭା ବଢ଼ାଇବେ। ସେହିଭଳି ଏଥର କମିଟି କୌଣସି ଐତିହ୍ୟର ନକଲ କରି ତୋରଣ ନିର୍ମାଣ କରୁନାହିଁ। କମିଟିର କର୍ମକର୍ତ୍ତାମାନଙ୍କ ମାନସ ପ୍ରସ୍ତୁତ କାଳ୍ପନିକ ଚିତ୍ର ଡିଜାଇନ୍‌ରେ ତୋରଣ ନିର୍ମାଣ କରାଯାଉଛି। ଏହି ତୋରଣର ସ୍ବତନ୍ତ୍ରତା ହେଉଛି ଏହା ଆବର୍ଜନାମୁକ୍ତ ତଥା ପରିବେଶ ଅନୁକୂଳ ହେବ। ୮୫ ଫୁଟ୍‌ ଉଚ୍ଚ, ୧୨୦ ଫୁଟ୍‌ ଦୈର୍ଘ୍ୟ ବିଶିଷ୍ଟ ଏହି ତୋରଣ ଇକୋ-ଫ୍ରେଣ୍ଡଲି କରାଯାଉଛି। ୫୦ ବଙ୍ଗୀୟ କାରିଗର ଗଣେଶ ଚତୁର୍ଥୀଠାରୁ ଏହାର ନିର୍ମାଣରେ ଲାଗିଛନ୍ତି।

କମିଟିର ସଭାପତି, ସମ୍ପାଦକଙ୍କ ସହ ଉପଦେଷ୍ଟା ସୁଧୀର ଶତପଥୀ, ମନୋରଞ୍ଜନ ଦାସ, ଉପସଭାପତି ଚନ୍ଦନ ପାଲିତ, ଅଚ୍ୟୁତ ବେହେରା, ଉପସଭାପତି ଓ ମିଡ଼ିଆ ସଂଯୋଜକ ସରୋଜ କୁମାର ପାତ୍ର, କର୍ପୋରେଟର ରାଜକିଶୋର ଦାସ, ସହ ସମ୍ପାଦକ ବିଶ୍ୱପ୍ରସାଦ ମହାନ୍ତି, ମହେନ୍ଦ୍ର ତ୍ରିପାଠୀ, ସୁଦର୍ଶନ ସାହୁ, ହରିଶ ରଥ, ବିଶ୍ବରଞ୍ଜନ ରାୟ, ଗୋପାଳ ମହାନ୍ତି, ସ୍ମୃତିରଞ୍ଜନ ଜେନା, ଅଭିଜ୍ଞ ନାୟକ, ଦିଲୀପ ମଲ୍ଲିକ, ଆଦର୍ଶ ପଟ୍ଟନାୟକ, ହେମନ୍ତ ମଲ୍ଲିଆ, ନିର୍ମଳ ସାହୁ, ମହେଶ୍ୱର ମହାନ୍ତି, ଆଶିଷ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ ଦେଢ଼କେଜି ସୁନାରେ ତିଆରି ହୋଇଛି ମା’ଙ୍କ ମୁକୁଟ ଓ ଅନ୍ୟାନ୍ୟ ଅଳଙ୍କାର। ୧୬୦୦ କେଜି ଚାନ୍ଦିରେ ତିଆରି ହେଉଛି ମେଢ଼। ତାରକସି କାମର ରୁପା ମେଢ଼ରେ ସ୍ବର୍ଣ୍ଣ ଅଳଙ୍କାର ପରିହିତା ମା’ ଦୁର୍ଗା ମଣ୍ଡପରେ ଝଟକିବେ। ପୂଜା ବିଧି ଯାଥାରୀତି ଅନୁଷ୍ଠିତ ହେବ ଏବଂ ଦର୍ଶକମାନେ ଶୃଙ୍ଖଳିତ ଦର୍ଶନ କରିବାକୁ ସ୍ବେଚ୍ଛାସେବୀମାନେ ମଣ୍ଡପ ନିକଟରେ ସବୁ ସମୟରେ ନିୟୋଜିତ ରହିବେ।

ବାଜିବନି ଡିଜେ
ଡିଜେ ବାଦ୍ୟ ଶବ୍ଦ ପ୍ରଦୂଷଣ କରୁଥିବାରୁ ସବୁ ମହଲରୁ ଏହାକୁ ବନ୍ଦ କରିବାକୁ ଦାବି କରାଯାଉଛି। ତେଣୁ ବରିଷ୍ଠ ନାଗରିକ, ଶିଶୁ ଓ ମହିଳାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଏହି ବାଦ୍ୟକୁ ବର୍ଜନ କରିବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ କମିଟି ବ୍ୟବସ୍ଥା କରିଛି। ସେଥିପାଇଁ ଢୋଲ ସହ ପାରମ୍ପରିକ ବାଦ୍ୟକୁ ଏଥିରେ ସାମିଲ କରାଯାଇଛି।
ହେମନ୍ତ ପରିଡ଼ା, ସଭାପତି

ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା
ଏଥର ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ପୂଜାବିଧିକୁ ପ୍ରତିବର୍ଷ ଭଳି ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଛି। ବୟସ୍କ, ମହିଳା ଓ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏଥର ପ୍ରଥମ କରି ୧୦୦ ମହିଳା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସିସିଟିଭିର ବ୍ୟବସ୍ଥା କରାଯାଇଛି। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ଏଠାରେ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ରହିଛି। ତା’ ଛଡ଼ା ପିଲାମାନଙ୍କ ପାଇଁ ସବୁଠୁ ବଡ ଦୋଳି, ଛୋଟ ଦୋଳି ଓ ମୀନାବଜାରର ଆୟୋଜନ ମଧ୍ୟ କରାଯାଇଛି। ପୂର୍ବରୁ ଭସାଣି କମିଟିର ସଭାପତି ସ୍ବର୍ଗତ ଡା. ଜଗନ୍ନାଥ ମହାପାତ୍ର ରହିଥିଲେ। ତାଙ୍କ ସ୍ମୃତିରେ ଏଥର ଏକ ଶୋଭେନିୟର ଉନ୍ମୋଚିତ ହେବ।
ସଚ୍ଚିନନ୍ଦନ ନାୟକ, ସମ୍ପାଦକ

ସମ୍ବନ୍ଧିତ ଖବର