ଚନ୍ଦ୍ରଗିରିରୁ ବିଶ୍ବଜିତ ଦାଶ
ଓଡ଼ିଶାରେ ୬୧ବର୍ଷ ରହିବା ପରେ ତିବ୍ବତୀୟ ଶରଣାର୍ଥୀଙ୍କୁ ରାଜ୍ୟ ସରକାର ମତଦାନ ଅଧିକାର ଦେଇଛନ୍ତି। ମେ’ ୧୩ରେ ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସେମାନେ ଭୋଟ୍ ଦେବେ। ଏଥିପାଇଁ ସେମାନଙ୍କୁ ଭୋଟର ଫଟୋ ପରିଚୟପତ୍ର ଦିଆଯାଇଛି। ହେଲେ ଜୀବନରେ ପ୍ରଥମ ଥର ପାଇଁ ମତଦାନ କରିବାର ଅଧିକାର ପାଇଥିଲେ ମଧ୍ୟ ସେମାନେ ଖୁସି ନାହାନ୍ତି। କାରଣ ଓଡ଼ିଶାରେ ଥରେ ମତଦାନ କଲେ ଭାରତର ନାଗରିକ ହୋଇଯିବେ ଏବଂ ଆଉ ଶରଣାର୍ଥୀର ସୁବିଧା ସୁଯୋଗ ମିଳିବନି। ତେଣୁ ଏବେ ଭୋଟର ତାଲିକାରେ ନାଁ ଯୋଡ଼ିଥିବା ଶତାଧିକ ତିବ୍ବତୀୟ ଶରଣାର୍ଥୀ ଭୋଟ୍ ଦେବେ ନା ନାହିଁ ସେନେଇ ଦ୍ବନ୍ଦ୍ବରେ ଅଛନ୍ତି। ୧୯୬୩ ମସିହାରେ ରାଜ୍ୟ ସରକାର ଗଜପତି ଜିଲ୍ଲାର ୫ଟି ସ୍ଥାନରେ ୫ଟି କ୍ୟାମ୍ପ ମାଧ୍ୟମରେ ତିବ୍ବତୀୟ ଶରଣାର୍ଥୀମାନଙ୍କୁ ରହିବାକୁ ଅନୁମତି ଦେଇଥିଲେ। ଚନ୍ଦ୍ରଗିରି, ତାଣ୍ଡିପାତର, ଲୁବେରସିଂହ, ଜିରାଙ୍ଗ, ମହେନ୍ଦ୍ରଗଡ଼ରେ ୨୪୭୯ଜଣ ତିବ୍ବତୀୟ ଶରଣାର୍ଥୀ ରହିବା ପାଇଁ ୨୫ଫୁଟରେ ୨୦ଫୁଟ ଜମିରେ ମାଟି,ଟାଇଲ୍ ଘର ସହ ଚାଷ କରି ଚଳିବା ପାଇଁ ମୋଟ୍ ୫ଏକର ଲେଖାଏଁ ଜମି ଦିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ରାଜ୍ୟ ସରକାର ୩୦୩ଜଣ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଓ ୨୩୭ଜଣଙ୍କୁ ରାସନ୍ କାର୍ଡ ଦେବା ପରେ ଏବେ ସେମାନଙ୍କୁ ଭୋଟର ତାଲିକାରେ ସାମିଲ କରିଛନ୍ତି। ହେଲେ ସେମାନେ ଭୋଟ୍ ଦେବାକୁ ଅମଙ୍ଗ। କାରଣ ଥରେ ଭାରତରେ ନାଗରିକ ଭାବେ ମତଦାନ କଲେ ବର୍ତ୍ତମାନ ସୁଦ୍ଧା ସେମାନେ ଶରଣାର୍ଥୀ ଭାବେ ପାଉଥିବା ସୁବିଧା ସୁଯୋଗ ହରାଇବେ। ତିବ୍ବତୀୟ ସରକାରଙ୍କ ଠାରୁ ଯେଉଁ ପ୍ରକାରର ସୁବିଧାସୁଯୋଗ ପାଉଛନ୍ତି ତାହା ମଧ୍ୟ କଟିଯିବାର ଭୟ ଘାରିଛି। ଓଡ଼ିଶାରେ ରହୁଥିବା ତିବ୍ବତୀୟ ଶରଣାର୍ଥୀଙ୍କ ସବୁ ସମସ୍ୟାର ତ୍ବରିତ ସମାଧାନ କରିବାକୁ ଏଠାରେ କେନ୍ଦ୍ରୀୟ ତିବ୍ବତୀୟ ପ୍ରଶାସନ ପକ୍ଷରୁ ‘ଫୁଣ୍ଟସୋକ୍ଲିଂ ତିବ୍ବତୀୟ କାର୍ଯ୍ୟାଳୟ’ ଖୋଲାଯାଇଛି। ସେଠାରେ ନିଯୁକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଓଡ଼ିଶା ସମେତ ସାରା ଭାରତ ଓ ବିଶ୍ବରେ ତିବ୍ବତୀୟଙ୍କ ପରିଚୟ ହେଉଛି ଶରଣାର୍ଥୀ। ଯେଉଁମାନେ ତିବ୍ଦତରେ ନାହାନ୍ତି ସେମାନେ ଶରଣାର୍ଥୀ ଭାବେ ରହୁଛନ୍ତି। ଆମ ପାଇଁ ସ୍ବତନ୍ତ୍ର ପଞ୍ଜୀକରଣ ସାର୍ଟିଫିକେଟ୍ ଇସ୍ୟୁ କରାଯାଇଥାଏ। ପାସପୋର୍ଟ ଭଳି ଆମକୁ ଆଇଡେଣ୍ଟିଟି ସାର୍ଟିଫିକେଟ୍ ଦିଆଯାଇଥାଏ। ଏହି ପରିଚୟପତ୍ର ଦେଖାଇଲେ ଆମକୁ ବିଭିନ୍ନ ସୁବିଧା ସୁଯୋଗ ମିଳେ। ଯଦି ଭାରତରେ ଭୋଟ୍ ଦେଇ ନାଗରିକ ହୋଇଗଲୁ ତେବେ ଆମେ ଆଉ ଶରଣାର୍ଥୀ ହୋଇ ରହିପାରିବୁନି।
ପ୍ରଥମଥର ପାଇଁ ମତଦାନ ଅଧିକାର ପାଇ ବି ଭୋଟ୍ ଦେବାକୁ ନାରାଜ
ଭାରତରେ ଭୋଟ୍ ଦେଲେ ତିବ୍ଦତରେ ବିଦେଶୀ ହୋଇଯିବେ
ଅପରପକ୍ଷେ ଓଡ଼ିଶାରେ ତିବ୍ବତୀୟ ଶରଣାର୍ଥୀଙ୍କ ସଂଖ୍ୟା କମିବାରେ ଲାଗିଛି। ୧୯୬୩ମସିହାରେ ୨୪୭୯ଜଣ ତିବ୍ବତୀୟ ଓଡ଼ିଶା ଆସିଥିବା ବେଳେ ଏବେ ପ୍ରାୟ ୧୪୦୦ଜଣ ଅଛନ୍ତି। ସେଥିରେ ଅଧିକାଂଶ ବୟସ୍କ ବୃଦ୍ଧବୃଦ୍ଧା ଏବଂ ଛୋଟ ପିଲା। ଅଧିକାରୀଙ୍କ କହିବାନୁଯାୟୀ ଓଡ଼ିଶାରେ ଯେଉଁଠାରେ ଏବେ ତିବ୍ବତୀୟ ଘର କରି ଅଛନ୍ତି ଏହାକୁ ଦଲାଇଲାମାଜୀ ‘ଫୁଣ୍ଟସୋକ୍ଲିଂ’ ନାମ ଦେଇଥିଲେ। ‘ଫୁଣ୍ଟସୋକ୍ଲିଂ’ର ଅର୍ଥ ହେଉଛି ‘ସବୁକିଛି ମିଳୁଥିବା ସ୍ଥାନ’। ହେଲେ ଏଠାରେ ସବୁ କିଛି ମିଳୁନଥିବାରୁ ବହୁ ତିବ୍ବତୀୟ ଓଡ଼ିଶା ଛାଡ଼ି ଦେଉଛନ୍ତି। ଏଠାରେ ଶରଣାର୍ଥୀଙ୍କ ଉନ୍ନତି ଓ ରୋଜଗାର ପାଇଁ ସରକାରଙ୍କର ବିଶେଷ ସୁବିଧା ସୁଯୋଗ ନାହିଁ। ବେକାରୀ ସମସ୍ୟା ବଢ଼ିବାରୁ ବହୁ ଲୋକ ବିଦେଶରେ ଯାଇ କାମ କରୁଛନ୍ତି। ଏଠାରୁ ପ୍ରାୟ ହଜାରେରୁ ଅଧିକ ତିବ୍ବତୀୟ ଯୁବକ ଯୁବତୀ ରୋଜଗାର ପାଇଁ ବିଦେଶକୁ ପଳାଇଛନ୍ତି। ବିଶେଷକରି ବେଲଜିୟମ, କାନାଡ଼ା, ଫ୍ରାନ୍ସ, ଆମେରିକା ଭଳି ଦେଶରେ ଅଛନ୍ତି।
ଏହି ଶରଣାର୍ଥୀ ଯେପରି ଅଧିକରୁ ଅଧିକ ତିବ୍ବତୀୟ ଆନ୍ଦୋଳନରେ ସାମିଲ ହେବେ ଏବଂ ସେମାନେ ବିଦେଶକୁ ଯିବେନି, ସେଥିପାଇଁ କେନ୍ଦ୍ରୀୟ ତିବ୍ଦତ ପ୍ରଶାସନ ପକ୍ଷରୁ ୨୦୧୪ରୁ ନିୟମ କରାଯାଇଛି ଯେ ଯେଉଁମାନେ ଦୁଇରୁ ଅଧିକ ପିଲା ଜନ୍ମ କରିବେ ସେମାନଙ୍କୁ ପିଲା ପିଛା ମାସକୁ ୫୦୦ଟଙ୍କା ମାସକୁ ମିଳିବ। ଏଥିରେ ଓଡ଼ିଶାର ୨୮ଜଣ ଉପକୃତ ହେଉଛନ୍ତି। ୫ମ ଯାଏ ମାଗଣାରେ ପାଠ ପଢ଼ିବାର ସୁବିଧା ମିଳିବ। ଧର୍ମଶାଳାରେ ବାକି ପାଠ ମାଗଣାରେ ପଢ଼ିପାରିବେ। ଦ୍ବାଦଶ ଶ୍ରେଣୀ ପରେ ଯେକୌଣସି ବୃତ୍ତିଗତ ପ୍ରଶିକ୍ଷଣ ନେଲେ ୨୦% ନିଜେ ଦେବ, ବାକି ୮୦% ତିବ୍ବତୀୟ ସରକାର ଦେବେ। ଏପରିକି କର୍ଣ୍ଣାଟକ ସରକାର ତିବ୍ବତୀୟ ଶରଣାର୍ଥୀଙ୍କ ପାଇଁ ବର୍ଷକୁ ୩କୋଟି ଲେଖାଏଁ ଦେଉଛନ୍ତି। ହେଲେ ଓଡ଼ିଶାରେ ତିବ୍ବତୀୟ ଶରଣାର୍ଥୀଙ୍କ ପାଇଁ ପୂର୍ବରୁ ମିଳିଥିବା ସୁବିଧା ସୁଯୋଗ ବ୍ୟତୀତ ନୂଆ କିଛି ମିଳୁନି। ରାସନ୍ କାର୍ଡରେ ୫କେଜି ଚଉେଳ ମିଳୁଛି। ଏଠାକାର ବାସିନ୍ଦାଙ୍କର ମୁଖ୍ୟ ବୃତ୍ତି ମକା ଚାଷ। ବର୍ଷକୁ ପ୍ରାୟ ୧୫୦୦ରୁ ୧୬୦୦ଏକର ଜମିରେ ମକା ଚାଷ ହୋଇଥାଏ। ହେଲେ ମକା କିପରି ବିକ୍ରି ହେବ ସେନେଇ ରାଜ୍ୟ ସରକାର କିଛି ବ୍ୟବସ୍ଥା କରିନାହାନ୍ତି କି ଏମ୍ଏସ୍ପି ବି ମିଳେନି। ଟନ୍ ପିଛା ପ୍ରାୟ ୨ଲକ୍ଷ ଟଙ୍କାରେ ମକା ବିକ୍ରି ହୋଇଥାଏ। ତେଣୁ ଏଥିରେ ବର୍ଷତମାମ୍ ଚଳିବା କଷ୍ଟକର ହେଉଥିବାରୁ ଲୋକମାନେ ବିଦେଶରେ ଶ୍ରମିକ ଭାବେ ଖଟନ୍ତୁ ପଛେ ପଳାଉଛନ୍ତି। ଓଡ଼ିଶାରେ ଏବେ ତିବ୍ବତୀୟଙ୍କ ଠାରୁ ଅଧିକ ନେପାଳୀ ଓ ଭୂଟାନ ନାଗରିକ ଆସି ରହୁଛନ୍ତି। ସମସ୍ତେ ସେମାନଙ୍କୁ ତିବ୍ବତୀୟ ଭାବୁଛନ୍ତି। ବାସ୍ତବରେ ଓଡ଼ିଶାରୁ ତିବ୍ବତୀୟଙ୍କ ସଂଖ୍ୟା କମିଗଲାଣି।