ଅନୁକୂଳ ହେଲା ରୁକୁଣାରଥ କାମ: ରୁକୁଣା ରଥଯାତ୍ରା ନୀତି ନିର୍ଘଣ୍ଟ, ସାଢ଼େ ୩ଟାରେ ରଥ ଗଡ଼ିବ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ତିଆରି ପାଇଁ ଆଜି କାମ ଅନୁକୂଳ ହୋଇଛି। ଆଜି ମଧ୍ୟାହ୍ନରେ ନୀତି ପୂଜା ପରେ ରଥଖଳାରେ ପୂଜାପଣ୍ଡା ସେବାୟତ ରଥକାଠ ପୂଜା କରିଥିଲେ। ପରେ ମହାରଣା ସେବାୟତମାନେ କୁରାଢ଼ିରେ ଆମ୍ବଗଛ କଟାଗଣ୍ଡିକୁ ଛେଦନ କରିଥିଲେ। ସେମାନେ ରଥ ନିର୍ମାଣ ଶୁଭାରମ୍ଭ କରିଥିଲେ। ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର, ହେମନ୍ତ ମହାପାତ୍ରଙ୍କ ସମେତ ବହୁ ସେବାୟତ ଉପସ୍ଥିତ ଥିଲେ। ଏପ୍ରିଲ୍‌ ୧୬ ତାରିଖରେ ପବିତ୍ର ଅଶୋକାଷ୍ଟମୀ। ସେଦିନ ଗଡ଼ିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ। ଅଣଲେଉଟା ରୁକୁଣା ରଥରେ ଚଢ଼ି ପ୍ରଭୁ ଶ୍ରୀଲିଙ୍ଗରାଜ ଯିବେ ମାଉସାମା’ ଘର। ଏହି ପ୍ରସିଦ୍ଧ ରଥଯାତ ପାଇଁ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ କାର୍ଯ୍ୟ ଯୋଗୁଁ ପ୍ରଶାସନିକ କୌଣସି ଅଧିକାରୀ ଉପସ୍ଥିତ ରହିପାରିନଥିଲେ। କିନ୍ତୁ ନିଯୋଗର ପ୍ରମୁଖ ସଦସ୍ୟମାନେ ବସି ନୀତି ନିର୍ଘଣ୍ଟ କରିଥିଲେ। ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ସ୍ଥିର କରାଯାଇଛି। ଏହି ଅବସରରେ ରଥଦାଣ୍ଡର ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଜଣାଇ ଦିଆଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଛି। ରଥ ପ୍ରତିଷ୍ଠା ଦିନ ସଅଳ ନୀତି କରାଯିବ। ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ସୁବିଧା କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର୍‌ ୫ଟାରେ ଠାକୁରଙ୍କ ଆଳତି, ଅବକାଶ ନୀତି ସମ୍ପନ୍ନ ହେବ। ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣମେଲା ଦର୍ଶନ ବ୍ୟବସ୍ଥା ରହିବ। ଏହାପରେ ରୋଷହୋମ, ପାକକାର୍ଯ୍ୟ ଓ ଛାମୁ ପରିଷ୍କାର ନୀତି ସମାହିତ ହେବ।

ସକାଳ ୭ଟାରୁ ୮ଟା ଭିତରେ ମହାସ୍ନାନ, ବେଶ, ଦ୍ୱାରପାଳ ଓ ସୂର୍ଯ୍ୟଦେବଙ୍କ ପୂଜା ବିଧିମତେ କରାଯିବ। ଶ୍ରୀଜିଉଙ୍କ ବଲ୍ଲଭ, ମା’ ଗୋପାଳୁଣୀ (ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ହେବା ପରେ ପୂର୍ବାହ୍ଣ ୯ଟା ୧୫ ସୁଦ୍ଧା ସକାଳ ଧୂପ ନୀତି ସରିବ। ଭୋଗ ମଣ୍ଡପ ନୀତି ୯ଟା ୪୫ରେ ଆରମ୍ଭ ହୋଇ ଘଣ୍ଟାକ ଭିତରେ ସରିବ। ଏହାପରେ ଅନ୍ୟାନ୍ୟ ପୂଜାନୀତି ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ। ସାଢ଼େ ୧୨ଟାରୁ ସାଢ଼େ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ। ଏହା ପରେ ସାଢ଼େ ୩ଟାରେ ରଥ ଟଣାହୋଇ ସାଢ଼େ ୭ଟା ମଧ୍ୟରେ ଶ୍ରୀଜିଉ ରାମେଶ୍ବର ବିଜେ କରିବେ ବୋଲି ନିଷ୍ପତ୍ତି ହୋଇଛି। ରଥଯାତ୍ରା ଓ ବାହୁଡ଼ାଯାତ୍ରାରେ ବଡ଼ସିଂହାର ବେଶ ରାତିସୁଦ୍ଧା ସାରିବାକୁ ବଡ଼ୁ ନିଯୋଗ ଓ ସମର୍ଥା ନିଯୋଗ ପ୍ରସ୍ତାବ ଦେଇଛନ୍ତି। ବଡ଼ସିଂହାର ବେଶ ନୀତି ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ହେବ ବୋଲି ପ୍ରସ୍ତାବ ରହିଥିଲା। ଏହି ବୈଠକରେ ପୂଜାପଣ୍ଡା ନିଯୋଗ ସଭାପତି ପ୍ରସନ୍ନ ପୂଜାପଣ୍ଡା, ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି, ବଡ଼ୁ ନିଯୋଗ ସମ୍ପାଦକ କମଳା ବଡ଼ୁ, ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ କୁମାର ସମର୍ଥା, ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ର, ମ୍ୟାନେଜର ଦେବେନ୍ଦ୍ର ମହାନ୍ତି, ମନ୍ଦିର କର୍ମଚାରୀ ଦ୍ବାରିକାନାଥ ପତି, ମାଗୁଣି ସମର୍ଥା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର