ଭୁବନେଶ୍ୱର: ଗୁରୁବାର ପୂର୍ବାହ୍ନ ସାଢ଼େ ୧୧ଟା। ଜୟଦେବବିହାର ଅଞ୍ଚଳରେ ବିଚ୍ ରାସ୍ତାରେ ଜଣେ ଯୌନ ପାଗଳ ଯୁବକର ଅଭାବନୀୟ କାଣ୍ଡ ଆଜି ଆତଙ୍କ ଖେଳାଇ ଦେଇଥିଲା। ଯୁବକ ଜଣକ ଏମିତି ଉନ୍ମତ୍ତ ଅବସ୍ଥାରେ ଥିଲା ଯେ ରାସ୍ତାରେ ଯାଉଥିବା ଯୁବତୀମାନଙ୍କୁ କୁଣ୍ଢାଇ ପକାଇବା ସହ ସେମାନଙ୍କୁ କାମୁଡ଼ି ପକାଉଥିଲା। ଆଉ କେହି ଏଭଳି କାମରୁ ନିବୃତ୍ତ କରିବାକୁ ଗଲେ ତାକୁ ମଧ୍ୟ ଛାଡ଼ୁ ନଥିଲା। ଶେଷରେ ପ୍ରାୟ ଅଧ ଘଣ୍ଟାର କସରତ ପରେ ସ୍ଥାନୀୟ ଲୋକ ଓ ନୂଆପଲ୍ଲୀ ଥାନା ପୁଲିସ ମିଶି ଏହି ଯୌନ ପାଗଳ ଯୁବକକୁ ଏକ ନର୍ଦମା ଭିତରୁ କାବୁ କରିଥିଲେ। କିନ୍ତୁ ସେତେବେଳକୁ ତା’ର ଆକ୍ରମଣରେ ୨ ଯୁବତୀଙ୍କ ସମେତ ମୋଟ ୪ ଜଣ ଆହତ ହୋଇ ସାରିଥିଲେ। ଯୁବକର ନାମ ସନ୍ତୋଷ ବେହେରା ଓ ତା’ର ଘର ନୟାଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି।
ପୁଲିସ ସୂଚନା ମୁତାବକ, ଯୁବକ ଜଣକ ଜୟଦେବବିହାର ଥିବା ଛପନଭୋଗ ସମ୍ମୁଖରେ ଏଭଳି ଆତଙ୍କ ସୃଷ୍ଟି କରିଥିଲା। ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ହୋଟେଲ୍କୁ ଖାଇବାକୁ ଯାଉଥିବା ସମୟରେ ସନ୍ତୋଷ ତାଙ୍କୁ ପିଛା କରିଥିଲା ଏବଂ ଯୁବତୀ ଜଣଙ୍କ କିଛି ବୁଝିବା ପୂର୍ବରୁ ସନ୍ତୋଷ ତାଙ୍କୁ ପଛପଟୁ କୁଣ୍ଢାଇ ପକାଇ ଶରୀର ବିଭିନ୍ନ ଅଙ୍ଗକୁ କାମୁଡ଼ିବାରେ ଲାଗିଥିଲା। ଜୀବନ ବିକଳରେ ଯୁବତୀ ଜଣଙ୍କ ଚିତ୍କାର କରିଥିଲେ। ଯୁବତୀଙ୍କ ପାଟିଶୁଣି ସେଠାରେ ଥିବା କେତେକ ଯୁବକ ଧାଇଁଆସି ଯୁବତୀଙ୍କୁ ସନ୍ତୋଷ କବଳରୁ ରକ୍ଷା କରିଥିଲେ। ହେଲେ ସନ୍ତୋଷ ସେଠାରୁ ଯୁବତୀଙ୍କୁ ଛାଡ଼ି ରାସ୍ତାରେ ଯାଉଥିବା ଆଉ ଜଣେ ଯୁବତୀଙ୍କୁ ମଧ୍ୟ ସମାନ ଆଚରଣ କରିଥିଲା। ଏମିତି ଜଣକ ପରେ ଜଣେ ୨ଜଣ ଯୁବତୀ ଓ ୩ଜଣ ଯୁବକଙ୍କୁ ସନ୍ତୋଷ ଆକ୍ରମଣ କରିଚାଲିଥିଲା।
ସ୍ଥାନୀୟଲୋକମାନେ ସନ୍ତୋଷକୁ ଧରିବା ପାଇଁ ରାସ୍ତା ସାରା ଧାଁ ଧାପଡ଼ କରିଥିଲେ। ଯିଏ ଯେମିତି ପାରିଥିଲା ତାକୁ ନିସ୍ତୁକ ମାଡ଼ ମାରିଥିଲା। କିଏ କାଠଫାଳିଆରେ ପିଟୁଥାଏ ତ କିଏ ଟେକା ମାରୁଥାଏ। ମାଡ଼ ଭୟରେ ସେ କେତେବେଳେ ସେଠାର ଥିବା କାଦୁଅରେ ଗଡ଼ିଯାଇ ଲୋକଙ୍କୁ ଉପରକୁ କାଦୁଅ ଫିଙ୍ଗୁଥିଲା ତ କେତେବେଳେ ଡ୍ରେନ୍ ଭିତରକୁ ପଶିଯାଇ ଥିଲା ତ କେତେବେଳେ ଦୋକାନ ଭିତରକୁ ପଶି କବାଟ ବନ୍ଦ କରିଦେଉଥିଲା। ତେଣୁ ତାକୁ କାବୁ କରିବା ବଡ଼ କଷ୍ଟକର ହୋଇପଡ଼ିଥିଲା। ସନ୍ତୋଷକୁ କାବୁ ପାଇଁ ସେଠାରେ ଘଣ୍ଟାଏ କାଳ ରାସ୍ତା ଜାମ ହୋଇଯାଇଥିଲା।
ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଥିବା ଡ୍ରେନ୍ ତଳୁ ସନ୍ତୋଷକୁ କାବୁ କରିଥିଲା। ପୁଲିସ ତୁରନ୍ତ ଆହତ ହୋଇଥିବା ୨ଯୁବତୀ ଓ ଯୁବକଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ସନ୍ତୋଷକୁ ମଧ୍ୟ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସନ୍ତୋଷ ସେଠାରେ ମଧ୍ୟ ପାଗଳାମୀ ଦେଖାଇଥିଲା। ମତେ ମାରି ପକାଇଲେ... ମାରି ପକାଇଲେ ଚିତ୍କାର କରିଥିଲା। ଯାହାପଟିରେ ପଶିଥିଲା ଡାକ୍ତରମାନଙ୍କୁ ଗାଳି କରିଥିଲା। ତାକୁ ଚିକିତ୍ସା ପାଇଁ ଡାକ୍ତରମାନେ ମଧ୍ୟ ନୟାନ୍ତ ହୋଇପଡ଼ିଥିଲେ। ଚିକିତ୍ସା ପରେ ପୁଲିସ ସନ୍ତୋଷକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ତେବେ ସେ ଜଣେ ମାନସିକ ବିକୃତ ବୋଲି ପୁଲିସ କହିଛି।