ରାଜଭବନର ନିଷ୍ପତ୍ତିରେ ଶତାୟୁ ସଂଗ୍ରାମୀଙ୍କ କ୍ଷୋଭ

ଶହେ ବର୍ଷ ଜନ୍ମଦିନ ଆଉ ପାଳିବି ନାହିଁ: ନୀଳମଣି

ଭୁବନେଶ୍ବର: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଓ କେନ୍ଦ୍ର ସରକାରଙ୍କ ସ୍ବାଧୀନତା ସଂଗ୍ରାମୀ କଲ୍ୟାଣ ବୋର୍ଡର ସଦସ୍ୟ ‘ଶତାୟୁ ପୁରୁଷ’ ନୀଳମଣି ସାମଲଙ୍କ ପ୍ରତି ରାଜଭବନର ବ୍ୟବହାର ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ସଂଗ୍ରାମୀ ଶ୍ରୀ ସାମଲ ନିଜେ ଟ୍ବିଟ୍‌ କରି କ୍ଷୋଭ ପ୍ରକାଶ କରିବା ସହ ନିଜର ଶହେ ବର୍ଷର ଜନ୍ମଦିନ ଆଉ ପାଳିବେ ନାହିଁ ବୋଲି କହିଛନ୍ତି।

ସୂଚନା‌ଯୋଗ୍ୟ, ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କୁ ସେ ତିନିଥର ଭେଟି ତାଙ୍କ ଗ୍ରାମ ‘ସଂଗ୍ରାମୀ ପୀଠ’ ବାଲି ପଡ଼ିଆକୁ ଯିବା ପାଇଁ ନିମନ୍ତ୍ରଣ କରିଥିଲେ। ରାଜ୍ୟପାଳ ମଧ୍ୟ ଯିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରାଜଭବନ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଇ ଦିଆଗଲା ନାହିଁ। ସଂଗ୍ରାମୀ ନୀଳମଣି ସାମଲ ଗ୍ରାମର ସରପଞ୍ଚ, ଗ୍ରାମ ଯୁବକ ସଂଘର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବିଧାୟକଙ୍କ ସହ ଦୁଇଥର ରାଜଭବନକୁ ଆସି ବିଧିବଦ୍ଧ ଭାବେ ରାଜ୍ୟପାଳଙ୍କୁ ନିମନ୍ତ୍ରଣ କରିଥିଲେ। ରାଜ୍ୟପାଳଙ୍କ ପକ୍ଷରୁ ପୂର୍ଣ୍ଣ ସମ୍ମତି ଥିଲା। ରାଜଭବନ ପକ୍ଷରୁ କୁହାଯାଇଥିଲା ଯେ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇ ପରବର୍ତ୍ତୀ ସମୟରେ ଅବଗତ କରାଯିବ। କିନ୍ତୁ ଅପେକ୍ଷା କରି କରି ମାସ ବିତିଗଲା। ଶେଷରେ କାର୍ଯ୍ୟକ୍ରମ ହୋଇପାରିଲା ନାହିଁ।

ସୋମବାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶ୍ରୀ ସାମଲ ଏ ସଂପର୍କରେ ଟ୍ବିଟ୍‌ କରି ତାଙ୍କ କ୍ଷୋଭ ପ୍ରକଟ କରିଛନ୍ତି। ସେ ଲେଖିଛନ୍ତି ଯେ ରାଜ୍ୟପାଳଙ୍କ ଉପସ୍ଥିତିରେ ନିଜର ଶହେ ବର୍ଷର ଜନ୍ମଦିନ ପାଳନ କରିବା ଲାଗି ଇଚ୍ଛା ରଖି ତିନିଥର ନିଜ ଗାଁକୁ ରାଜ୍ୟପାଳଙ୍କୁ ସେ ନିମନ୍ତ୍ରଣ କରିଥିଲେ। ପ୍ରତ୍ୟେକଥର ରାଜ୍ୟପାଳ ମଧ୍ୟ ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ରାଜଭବନ କର୍ତ୍ତୃପକ୍ଷଙ୍କ ଉଦାସୀନ ମନୋଭାବ କାରଣରୁ ଏହି କାର୍ଯ୍ୟକ୍ରମ ହୋଇପାରିଲା ନାହିଁ।

ସମ୍ବନ୍ଧିତ ଖବର