ବିଚ୍‌ ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତକୁ ନେଇ ଘଟଣାସ୍ଥଳ ଯାଞ୍ଚ କଲା ପୁଲିସ

ଭୁବନେଶ୍ୱର: ବିଚ୍‌-ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗିରଫ ଦୀପକ ସାହୁକୁ ନେଇ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ସ୍ପଟ୍‌-ଭେରିଫିକେସନ୍‌ କରିଛି। ଅପରାହ୍‌ଣ ପ୍ରାୟ ୧ଟା ବେଳେ ଦୀପକ ମୁହଁରେ କଳା କନା ବାନ୍ଧି ପୁଲିସ ଘଟଣାସ୍ଥଳ ସମେତ ବିଭିନ୍ନ ଜାଗାରେ ଯାଞ୍ଚ କରିଛି। କେଉଁ ବାଟ ଦେଇ ଛାତ୍ରୀଜଣଙ୍କ ଯାଉଥିଲେ, କେମିତି ସେ ତାଙ୍କୁ ପିଛା କଲା, କେତେଦିନ ହେବ ପିଛା କରୁଥିଲା, ଦୀପକ ସେ ସବୁ ପୁଲିସ ଆଗରେ ବୟାନ କରିଛି। ସିସିଟିଭି ଫୁଟେଜ୍‌ରେ ରେକର୍ଡ ଦୃଶ୍ୟ ଓ ଦୀପକର ବୟାନରେ ସାମଞ୍ଜସ୍ୟ ମିଳିବା ପରେ ତା’ର ଡାକ୍ତରୀ ପରୀକ୍ଷା କରି କୋର୍ଟଚାଲାଣ କରାଯାଇଛି। ଏନେଇ ପୁଲିସ କମିସନର୍‌ ସୁଧାଂଶୁ ଶେଖର ଷଡ଼ଙ୍ଗୀ କହିଛନ୍ତି, ଅଭିଯୁକ୍ତକୁ ଗିରଫ କରାଯିବା ପରେ ସ୍ପଟ୍‌ ଭେରିଫିକେସନ୍‌ କରାଯାଇଛି। ଆବଶ୍ୟକ ପଡ଼ିଲେ ରିମାଣ୍ଡ‌ରେ ଆଣି ପଚରାଉଚରା କରିବୁ। ଅଭିଯୁକ୍ତର ଟିଆଇ ପରେଡ୍‌ ହେବାକୁ ଥିବାରୁ ଏବେ ଅଧିକ କିଛି କହିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଦୀପକ ସହିଦନଗର ଅଞ୍ଚଳରେ ଫଳ ବ୍ୟବସାୟ କରେ। ଜଣେ ଟାଣୁଆ ନେତାଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଅଭିଯୁକ୍ତର ଅନେକ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ରହିଛି। କିନ୍ତୁ ଟିଆଇ ପରେଡ୍‌ ହେବାକୁ ଥିବାରୁ ତା’ର ଫଟୋ ନ ଛାପିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନା ମୁତାବକ, ଗତ ୨୧ ତାରିଖରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ସାଇକେଲ୍‌ରେ ଟ୍ୟୁସନ ଯିବା ବେଳେ ଦୀପକ ତାକୁ ଏକ ବ‌ାଇକ୍‌ରେ ପିଛା କରିଥିଲା। ଶବରସାହି ଲେନ୍‌ର ନିଛାଟିଆ ସ୍ଥାନରେ ତାଙ୍କୁ ବିଚ୍‌ ରାସ୍ତାରେ ଅସଦାଚରଣ କରିଥିଲା। ଏହି ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭିରେ କ୍ୟାମେରାରେ କଏଦ ହୋଇଥିଲା। ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ତତ୍ପର ହୋଇଥିଲା। ଏତଲାର ୪ ଦିନ ପରେ ଅଭିଯୁକ୍ତକୁ ଖୋର୍ଧା ଅଞ୍ଚଳରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର