ଅଣ୍ଡାକଥା ଏବେଯାଏ ଥଣ୍ଡାଘରେ: ନିୟମ ପାଳନ କରିବା ସମ୍ଭବ ହେଉନି

ଖୋର୍ଦ୍ଧ‌ାରେ ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା କାର୍ଯ୍ୟକାରୀ, ନିର୍ଦ୍ଦେଶ ସତ୍ତ୍ବେ ଗଠନ ହେଉନି ସ୍ଥାନୀୟ ଦର କମିଟି

ଭୁବନେଶ୍ବର: ଅଣ୍ଡା ଦର ବୃଦ୍ଧି ଯୋଗୁଁ ଖୋର୍ଧାରେ ଝୁଣ୍ଟିଥିବା ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା ଚଳିତ ମାସରୁ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଅଙ୍ଗନବାଡ଼ି କର୍ମୀଙ୍କ ଉପରେ ଅଣ୍ଡା ଦରର ପ୍ରଭାବ ବଳବତ୍ତର ରହିଛି। ଏଥିଯୋଗୁଁ ସରକାରୀ ନିର୍ଦ୍ଦେଶ ଅନୁସାରେ, କିଶୋରୀଙ୍କୁ ମାସକୁ ୧୬ ବଦଳରେ ୧୨ ଏବଂ ଶିଶୁ, ଗର୍ଭବତୀ ଓ ପ୍ରସୂତିଙ୍କୁ ୧୨ ବଦଳରେ ୧୦ଟି ଅଣ୍ଡା ଦିଆଯାଉଛି ବୋଲି ଅଲ ଓଡ଼ିଶା ଅଙ୍ଗନବାଡି ଲେଡିଜ ୱାର୍କର ଆସୋସିଏସନ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ, ରାଜ୍ୟରେ ସମୁଦାୟ ୨୫୬୭ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କେନ୍ଦ୍ର ଜରିଆରେ ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କୁ ଦିଆଯାଉଥିବା ଅଣ୍ଡା ପାଇଁ ୫.୫୦ ଟଙ୍କା ଏବଂ ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା ଅନ୍ତର୍ଗତରେ ଅଣ୍ଡା ପାଇଁ ୫ ଟଙ୍କା ଦିଆଯାଉଛି। କିନ୍ତୁ ଭୁବନେଶ୍ବର ବଜାରରେ ଅଣ୍ଡା ଦର ୬.୬୦ରୁ ୭ ଟଙ୍କା ରହିଛି। ଏଥିଯୋଗୁଁ ବର୍ତ୍ତମାନ ସ୍ଥିତିରେ ପ୍ରତ୍ୟେକ ଅଙ୍ଗନବାଡ଼ି କର୍ମୀ ପ୍ରାୟ ୨ରୁ ୨.୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ଷତି ସହୁଛନ୍ତି।

ସଂଘର କୁଞ୍ଜଲତା ଦାସ କହିଛନ୍ତି, ରାଜ୍ୟରେ ବର୍ଷାଧିକ ସମୟ ହେଲା କୌଣସି ଜିଲ୍ଲାରେ ଅଣ୍ଡା ଦର ୬ ଟଙ୍କା ତଳକୁ ନାହିଁ। ସେଥିରେ ପୁଣି ସବୁ ଜିଲ୍ଲାରେ ଦର ମଧ୍ୟ ସମାନ ନୁହେଁ। ତେଣୁ ଜିଲ୍ଲାସ୍ତରରେ ଅଣ୍ଡା ଦର ନିର୍ଧାରଣ ନେଇ କମିଟି ଗଠନ ପାଇଁ ୨୦୧୮ ମସିହାରୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯାଇ ପାରିନାହିଁ। ଏପରିକି ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ମାତୃ କମିଟି ଦ୍ବାରା ଏହା ନିର୍ଦ୍ଧାରଣ କରାଯାଇ ପାରିବ ବୋଲି କୁହାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ବଜାରରେ ଅଣ୍ଡା ଦର ବଢ଼ୁଥିଲେ ମଧ୍ୟ ୫ ବର୍ଷ ହେଲା ସରକାରଙ୍କ ପକ୍ଷରୁ ଏହି ବାବଦରେ ଦିଆଯାଉଥିବା ଟଙ୍କା ବଢ଼ାଯାଉ ନାହିଁ। ଏଦିଗରେ ସ୍ଥାନୀୟ ପ୍ରଶାସନ କାହିଁକି ଦୃଷ୍ଟି ଦେଇନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେଥିରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ କେବଳ ଅଣ୍ଡା ଦିଆନଯାଇ ତରକାରି ଦେବା ପାଇଁ ନିୟମ ରହିଛି। ତେଣୁ ଏଠାରେ ତେଲ, ମସଲା ବାବଦରେ ମଧ୍ୟ ଅଧିକ ଖର୍ଚ୍ଚ ହୁଏ। କୋଭିଡ‌୍ ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ କୌଣସି ସମସ୍ୟା ହେଲେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କୁ ଭେଟିବା ସହଜ ହେଉଥିଲା। କୋଭିଡ୍‌ ପରେ ବର୍ତ୍ତମାନ ଥିବା ପାସ୍‌ ସିଷ୍ଟମ କରାଯିବାରୁ କର୍ମୀମାନେ ସେମାନଙ୍କ ସମସ୍ୟା ଜଣାଇ ପାରୁ ନାହାନ୍ତି। ରାଜ୍ୟରେ ବର୍ତ୍ତମାନ ପରିପ୍ରେକ୍ଷୀରେ ଶିଶୁ, କିଶୋରୀ ଓ ଗର୍ଭବତୀଙ୍କ ମଧ୍ୟରେ ଅପପୁଷ୍ଟି ଏବଂ ରକ୍ତହୀନତା ଲଗାମଛଡ଼ା ହୋଇଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ପୁଷ୍ଟି ଯୋଜନା ଓ ମମତା ଯୋଜନା କାର୍ଯ୍ୟକାରୀ କଲେ, କିନ୍ତୁ ବଜାର ଦର ଅନୁସାରେ ଅଙ୍ଗନବାଡ଼ି କର୍ମୀଙ୍କୁ ଟଙ୍କା ନ ଦେଲେ ଯୋଜନା କେବଳ କାଗଜ କଲମରେ ରହିଯିବ ବୋଲି ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର