ଭୁବନେଶ୍ବରର ୱାର୍ଡ ନମ୍ୱର ୪୬: ସବୁଠି ଅସନା ପରିବେଶ, ଆବର୍ଜନାର ପାହାଡ

ଭୁବନେଶ୍ୱର: ବିଏମ୍‌ସିର ୱାର୍ଡ ନମ୍ୱର ୪୬ ରାଜଧାନୀର ଅନ୍ୟତମ ଜନବହୁଳ ଅଞ୍ଚଳ। ଏହି ୱାର୍ଡରେ ବହୁ ସରକାରୀ ପ୍ରତିଷ୍ଠାନ ରହିଛି। ବିଶେଷକରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ସାଙ୍ଗକୁ କିଛି ନର୍ସିଂହୋମ୍‌ ଓ ପାଥୋଲାବ୍‌ ଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକମାନେ ଏଠାକୁ ଆସନ୍ତି। ଏହି ୱାର୍ଡରେ ପ୍ରାୟ ସବୁ ରାସ୍ତା ଭଲ। ବସ୍ତି ଅଞ୍ଚଳ ରାସ୍ତାରେ ମଧ୍ୟ ପେଭର ବ୍ଲକ୍‌ ପଡ଼ିଛି। କିନ୍ତୁ ସ୍ୱଚ୍ଛତାର ନାଁ ଗନ୍ଧ ନାହିଁ। ଅଧିକାଂଶ ସ୍ଥାନରେ ଆବର୍ଜନାର ପାହାଡ ଗଦା ହୋଇ ରହିଛି। ସବୁଆଡ଼େ ଅସନ‌ା ପରିବେଶ। କିଛି ପ୍ରମୁଖ ଡ୍ରେନ୍‌ ଆବର୍ଜନାରେ ପୋତି ହୋଇଗଲାଣି। ୟୁନିଟ୍‌-୭ସ୍ଥିତ ଶିମିଳି ବସ୍ତି, କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଛପଟ ଅଞ୍ଚଳ, ୟୁନିଟ୍‌-୬ ସ୍ଥିତ ମଙ୍ଗଳା ବସ୍ତି ଆଦି ସ୍ଥାନରେ ଆବର୍ଜନା ଗଦା ହୋଇ ରହୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାସ୍ତା କଡ଼ରେ ଆବର୍ଜନା ମାସ ମାସ ଧରି ପଡ଼ି ରହୁଛି। ସେହିପରି ସାଧାରଣ ଶୌଚାଳୟ ଅଭାବରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଛ ପଟେ ରାସ୍ତା କଡ଼ ପାଲଟିଛି ଅସ୍ଥାୟୀ ଶୌଚାଳୟ। ଉକ୍ତ ରାସ୍ତାରେ ସ୍ବାଭାବିକ ଭାବେ ଚଳପ୍ରଚଳ ସମ୍ଭବ ହେଉନାହିଁ। ଗନ୍ଧ‌ରେ ନାକ ଫାଟି ପଡ଼ୁଛି।

ସେହିପରି ମୁକୁଳା ଡ୍ରେନ୍‌ ଏହି ୱାର୍ଡର ଅନ୍ୟତମ ମୁଖ୍ୟ ସମସ୍ୟା। ଆଜି ବି ବହୁ ଡ୍ରେନ୍‌ ମୁକୁଳା ପଡ଼ିଛି। ୨୦୧୮ ମସିହାରେ ଏହି ଵାର୍ଡସ୍ଥିତ ଗଭର୍ଣ୍ଣର ହାଉସ୍‌ ପଟୁ ୟୁନିଟ୍‌-୭ ଦେଇ ଯାଇଥିବା ଏକ ଡ୍ରେନ୍‌ରେ ଭାସି ଯାଇ ମା’ ମଙ୍ଗଳା ବସ୍ତିର ଜଣେ ବ୍ୟକ୍ତି ହରିହରଙ୍କର ମୃତ୍ୟୁ ଘଟିଥିଲା। ଏବେ ଯଦିଓ ଏହି ଡ୍ରେନ୍‌ର କାମ ପ୍ରାୟ ସରିଯାଇଛି, କିନ୍ତୁ ଆଉ କିଛି ଅଞ୍ଚଳରେ ମୁକୁଳା ପଡ଼ିଛି ଡ୍ରେନ୍‌। ବିଶେଷକରି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ଲାଗି କରାଯାଇଥିବା ଡ୍ରେନ୍‌, ମଙ୍ଗଳା ବସ୍ତି ଡ୍ରେନ୍‌, ସୂର୍ଯ୍ୟନଗର ଛକରେ ଥିବା ଡ୍ରେନ୍‌, ଶିମିଳି ବସ୍ତିରେ ଥିବା ଡ୍ରେନ୍‌ ଆଦି ମୁକୁଳା ହୋଇପଡ଼ିଛି। କିଛି ସ୍ଥାନରେ ଡ୍ରେନ୍‌ ଉପରେ ପଡ଼ିଥିବା ସ୍ଲାବ୍‌ଗୁଡ଼ିକ ଭାଙ୍ଗି ଗଲାଣି।

ବିକାଶ ପାଇଁ ଚେଷ୍ଟା ଜାରି ରହିଛି

ମୋ ଵାର୍ଡର ବିକାଶ ପାଇଁ ଅନବରତ ଚେଷ୍ଟା ଚାଲିଛି। ବିଏମ୍‌ସିର ସାତ ନମ୍ୱର ଡ୍ରେନ୍‌ ପୁନରୁଦ୍ଧାର‌ରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସୂର୍ଯ୍ୟନଗରସ୍ଥିତ ଅଲ୍ଲୀ ପାର୍କ ବିକଶିତ ହେଉଛି। ଓଡ଼ିଶା ଡ୍ରଗ୍‌ ହାଉସରୁ ପୁରୁଣା ପାସ୍‌ପୋର୍ଟ ଅଫିସ ପର୍ଯ୍ୟନ୍ତ ରାସ୍ତା ବିକଶିତ ହୋଇଛି। ପିଚୁ ପଡ଼ିଆ ବସ୍ତି, ମଙ୍ଗଳା ବସ୍ତି ଆଦି ବସ୍ତିରେ ପେଭର ବ୍ଲକ୍‌ ପଡ଼ିଛି। ୨୪ ଘଣ୍ଟିଆ ପାଣି ଯୋଗାଣ ପାଇଁ କାମ ଚାଲିଛି, ଖୁବ ଶୀଘ୍ର କାମ ସରିବ। ଭେନସ୍‌ ପଛ ପଟେ ୧୧ ଲକ୍ଷ ଟଙ୍କା ବିନିମୟରେ ରାସ୍ତା କାମ ହୋଇଛି। ଭିଜିଲାନସ ଅଫିସ୍‌ରୁ ଏଲ୍‌ଆଇସି ଅଫିସ୍‌ ପର୍ଯ୍ୟନ୍ତ ରାସ୍ତା କାମ ହୋଇଛି।

-ପୁଷ୍ପା ରାଉତ, କର୍ପୋରେଟର

ସମ୍ବନ୍ଧିତ ଖବର