ଭୁବନେଶ୍ବର ରେଳଷ୍ଟେସନର ସୁରକ୍ଷା ବ୍ୟବସ୍ଥା ଏମିତି! କାମ କରୁନି ଅଧାରୁ ଅଧିକ ସିସିଟିଭି

ଭୁବନେଶ୍ବର: ଭୁବନେଶ୍ବର ରେଳଷ୍ଟେସନ୍‌ ସୁରକ୍ଷିତ କି? ସିସିଟିଭି, ମେଟାଲ୍‌ ଡିଟେକ୍ଟର ସବୁ ଠିକରେ କାମ କରୁଛି ତ? କୋଣାର୍କ ଏକ୍ସପ୍ରେସ୍‌ରୁ ବିପୁଳ ବୋମା ଓ ଧାନବାଦ୍‌ ଏକ୍ସପ୍ରେସ୍‌ରୁ ମହିଳାଙ୍କ ଶବ ଜବତ ହେବା ଭଳି ଦୁଇ ଦୁଇଟି ଅଘଟଣ ପରେ ବର୍ତ୍ତମାନ ରେଳଯାତ୍ରୀଙ୍କ ମନରେ ଏଭଳି ପ୍ରଶ୍ନ ଉଙ୍କି ମାରିଛି। ରାଜ୍ୟ ରାଜଧାନୀର ଏହି ମୁଖ୍ୟ ରେଳଷ୍ଟେସନରେ ଲୁଟ୍‌ପାଟ୍‌ କଥା ନ କହିବା ଭଲ। ଷ୍ଟେସନରେ ମାଳମାଳ ସିସିଟିଭି ଲାଗିଛି। ପ୍ରବେଶ ପଥରୁ ପ୍ରସ୍ଥାନ ପଥ ପର୍ଯ୍ୟନ୍ତ ସିବୁଠି ପୁଲିସ ମେଟାଲ୍‌ ଡିଟେକ୍ଟରରେ ଯାତ୍ରୀଙ୍କୁ ଯାଞ୍ଚ କରି ଷ୍ଟେସନକୁ ଛାଡ଼ିବା ନିୟମ ରହିଛି। ଷ୍ଟେସନରେ ସବୁଆଡ଼େ ଆର୍‌ପିଏଫ୍‌, ଜିଆର୍‌ପି ପୁଲିସ ୨୪ ଘଣ୍ଟିଆ ପଇଁତରା ମାରୁଛନ୍ତି। ଏତେସବୁ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କିଭଳି ଅପରାଧୀମାନେ ଟ୍ରେନ୍‌ରେ ଆସି ଅପରାଧ ଘଟାଉଛନ୍ତି ଏବଂ ଅପରାଧ ଘଟାଇବା ପରେ ପୁଲିସକୁ ଚକ୍‌ମା ‌ଦେଇ ଷ୍ଟେସନରୁ ଖସିଯାଉଛନ୍ତି, ତାହା ଏବେ ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ଉଦ୍‌ବେଗର କଥା ହେଉଛି ଏହି ଷ୍ଟେସନରେ ୪୦ରୁ ଅଧିକ ସିସିଟିଭି ଲାଗିଛି। ମାତ୍ର ସେଥିରୁ ୨୦ଟିରୁ ଅଧିକ ବହୁ ଦିନ ହେଲା କାମ କରୁନାହିଁ। ରେଳ ବିଭାଗର ଟେଲିକମ୍‌ ଡିପାର୍ଟମେଣ୍ଟ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଛି। କିନ୍ତୁ କିଭଳି ରକ୍ଷଣାବେକ୍ଷଣ ହେଉଛି, ଜଳଜଳ ହୋଇ ଦେଖାଯାଉଛି। ଏଥିପାଇଁ ଅଧିକାଂଶ ଘଟଣାରେ ଭିଡିଓ ଫୁଟେଜ୍‌ ମିଳିପାରୁ ନାହିଁ ଏବଂ ଅପରାଧୀମାନଙ୍କୁ ଧରିବା ପୁଲିସ ପାଇଁ ସହଜ ହେଉନାହିଁ। ଗତ ଦୁଇ ସପ୍ତାହରେ ଭୁବନେଶ୍ବର ରେଳଷ୍ଟେସନରେ ଦୁଇ ଦୁଇଟି ସଂଗିନ୍‌ ଅପରାଧ ଘଟିଥିଲେ ବି ପୁଲିସ ଅପରାଧୀମାନଙ୍କ ପତ୍ତା ପାଇନାହିଁ। ଗତ ୧୨ ତାରିଖର ଘଟଣା। କୋଣାର୍କ ଏକ୍ସପ୍ରେସ୍‌ ଭୁବନେଶ୍ବର ଷ୍ଟେସନରେ ଅଟକିଥିଲା। ମୁମ୍ବାଇରୁ ଫେରି ଏହି ଟ୍ରେନ୍‌ ଭୁବନେଶ୍ବରରେ ପହଞ୍ଚିବା ପରେ ସବୁ ଯାତ୍ରୀ ଓହ୍ଲାଇ ଯାଇଥିଲେ।

ଟ୍ରେନ୍‌ଟି ସତ୍ୟନଗରସ୍ଥିତ ୱାସିଂ ସେଡ୍‌କୁ ଯିବା ପାଇଁ ପ୍ରସ୍ତୁତ ହେଉଥିଲା। ଏତିକିବେଳେ ହଠାତ୍ ଗୋଟିଏ ବଗିରୁ ପ୍ରବଳ ଧୂଆଁ ବାହାରିଲା। କ’ଣ ହୋଇଛି ବୋଲି ବୁଝିବା ପୂର୍ବରୁ ଏକ ପ୍ରଚଣ୍ଡ ବିସ୍ଫୋରଣ ହେଲା। ସଫେଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ସୁରକ୍ଷା କର୍ମଚାରୀ ଏବଂ ଅନ୍ୟାନ୍ୟ ଟ୍ରେନ୍‌କୁ ବିଭିନ୍ନ ପ୍ଲାଟଫର୍ମରେ ଅପେକ୍ଷା କରିଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଲେ। ଏମିତିକି କିଛି ଯାତ୍ରୀ ଭୟରେ ଷ୍ଟେସନ ବାହାରକୁ ଦୌଡ଼ିପଳାଇଥିଲେ। କିଛି ସମୟ ପରେ ଧୂଆଁ କମି ଯାଇଥିଲା। ସେତେବେଳକୁ ଆର୍‌ପିଏଫ୍‌, ଜିଆର୍‌ପି ଥାନା ପୁଲିସଠାରୁ ଖବର ପାଇ ବୋମା ନିଷ୍କ୍ରିୟକାରୀ ଟିମ୍‌ ପହଞ୍ଚିଯାଇଥିଲେ। ସେମାନେ ଟ୍ରେନ୍‌ ଭିତରୁ ୨୩ଟି ଜୀବନ୍ତ ‌ରକେଟ୍‌ ବୋମା ଜବତ କରିଥିଲେ। ୧୪ ତାରିଖ ଦିନ ସକାଳେ ବୋମାଗୁଡ଼ିକ ନିଷ୍କ୍ରିୟକାରୀ ଟିମ୍‌ କୁଆଖାଇ ନଦୀ ପଠାରେ ନିଷ୍କ୍ରିୟ କରିଥିଲା। ଏହି ଘଟଣାକୁ ଦୁଇ ସପ୍ତାହ ବିତିଗଲାଣି। ଟ୍ରେନ୍‌ରେ କିଏ ବୋମା ଛାଡ଼ିଯାଇଛି, ତା’ର ସାମାନ୍ୟତମ ସୁରାକ ପୁଲିସ ହାତରେ ଲାଗିନାହିଁ। କୋଣାର୍କ ଏକ୍ସପ୍ରେସ୍‌ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ରେ କେହି ଦୁର୍ବୃତ୍ତ ଏତେ ସଂଖ୍ୟାରେ ବୋମା ଛାଡ଼ିଗଲା, ଅଥଚ ପୁଲିସ ତା’ର ଟେର୍‌ ପାଉନାହିଁ।

ସେହିଭଳି ଘଟଣାର ଠିକ୍‌ ସପ୍ତାହକ ପରେ ଅର୍ଥାତ୍‌ ୨୦ ତାରିଖ ଦିନ ଧାନବାଦ୍‌-ଭୁବନେଶ୍ବର ଏକ୍ସପ୍ରେସ୍‌ରେ ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରାଗଲା। ସଫେଇ କର୍ମଚାରୀମାନେ ଏସ୍‌-୫ କୋଚ୍‌ ସଫା କରୁଥିବା ବେଳେ ପାଇଖାନାରେ ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଦେଖିଥିଲେ। ଜିଆର୍‌ପି ଥାନା ପୁଲିସ ମୃତଦେହକୁ ଜବତ କରି ମହିଳାଙ୍କ ପରିଚୟ ପାଇବା ପାଇଁ ଖୋଳତାଡ୍‌ କଲା। ଧାନବାଦ୍‌ରୁ ଭୁବନେଶ୍ବର ଭିତରେ ଟ୍ରେନ୍‌ ଅଟକି ଥିବା ସବୁ ଷ୍ଟେସନର ସିସିଟିଭି ଯାଞ୍ଚ କରାଯାଉଛି। କିନ୍ତୁ ମହିଳାଙ୍କ ପରିଚୟ ମିଳିପାରୁନାହିଁ। କାରଣ ଭୁବନେଶ୍ବର ଭଳି ଅନ୍ୟ ଷ୍ଟେସନଗୁଡ଼ିକରେ ସିସିଟିଭିର ଅବସ୍ଥା ସମାନ ବୋଲି କୁହାଯାଉଛି। ଏହି ଦୁଇ ଘଟଣା ପରେ ଏବେ ଭୁବନେଶ୍ବର ଷ୍ଟେସନର ସୁରକ୍ଷା ବ୍ୟବସ୍ଥାକୁ ନେଇ ରେଳଯାତ୍ରୀମାନେ ଭୀତତ୍ରସ୍ତ। ପୁଲିସ ଯଦି ଏହି ସାଧାରଣ ଘଟଣାରେ ଅପରାଧୀମାନଙ୍କୁ ପାଉନାହିଁ, ବଡ଼ବଡ଼ ଅଘଟଣରେ କିଭଳି ଯାତ୍ରୀଙ୍କୁ ସୁରକ୍ଷା ମିଳିବ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ କରାଯାଉଛି।

ସମ୍ବନ୍ଧିତ ଖବର