ମେଟ୍ରୋ ଟ୍ରେନ୍‌ ପାଇଁ ପ୍ରସ୍ତୁତି: ଡିପିଆର୍‌ ପ୍ରସ୍ତୁତ କରିବ ଡିଏମ୍‌ଆର୍‌ସି

ଭୁବନେଶ୍ୱର: କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ପ୍ରସ୍ତୁତି ଜୋରସୋର୍‌ରେ ଆରମ୍ଭ ହୋଇଛି। ଆଜି ବିଡିଏରେ ବସିଥିବା ସହର ସମନ୍ବୟ କମିଟି (ସିସିସି)ର ପ୍ରଥମ ବୈଠକରେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରାଯାଇଛି। ସମସ୍ତ ବିଭାଗ ସହ ସମନ୍ବୟ ରକ୍ଷା କରାଯାଇ କିଭଳି ଏହି ପ୍ରକଳ୍ପକୁ ସୁରୁଖୁରୁରେ ପ୍ରସ୍ତୁତ କରାଯାଇ ପାରିବ, ସେନେଇ ଗୁରୁତ୍ବାରୋପ କରାଯାଇଛି। ଏହି ପ୍ରକଳ୍ପ ପାଇଁ ଓଡ଼ିଶା ରେଲ୍‌ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ଡେଭଲପ୍‌ମେଣ୍ଟ ଲିମିଟେଡ୍‌ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌(ଡିଏମ୍‌ଆର୍‌ସି) ଜରିଆରେ ଡିପିଆର ପ୍ରସ୍ତୁତ କରୁଛି। ଏହି ଡିପିଆର୍‌ ପ୍ରସ୍ତୁତି ପାଇଁ ସମ୍ପୃକ୍ତ ସଂସ୍ଥାର ଚାହିଦା ମୁତାବକ ଆବଶ୍ୟକ ତଥ୍ୟ ଉପଲବ୍ଧ କରାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି।

ଏହି ମେଟ୍ରୋ ନେଟ୍‌ୱର୍କ ପାଇଁ ଖୋର୍ଦ୍ଧା, ପୁରୀ, କଟକ ଓ ଭୁବନେଶ୍ବରକୁ ନେଇ ଏକ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ ହେବ। କମ୍‌ ସମୟ ମଧ୍ୟରେ ଏ ସବୁ ପ୍ରସ୍ତୁତ ହେବାକୁ ଥିବାରୁ ଏହାକୁ ଏକ ଚାଲେଞ୍ଜ ଭାବରେ ନିଆଯାଇଥିବା କହିଛନ୍ତି କମିଟି ଅଧ୍ୟକ୍ଷ ତଥା ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ। ଅନ୍ୟମାନଙ୍କ ମଧ୍ୟରେ କମିସନର ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ, ୱାଟ୍‌କୋ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସାଧାରଣ ପ୍ରଶାସନ, ବିଏସ୍‌ଏନ୍‌ଏଲ୍‌, ଶକ୍ତି, ଗେଲ୍‌, ପୂର୍ତ୍ତ ବିଭାଗ, ଏନ୍‌ଏଚ୍‌ଏଆଇ, କ୍ରୁଟ୍‌ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଯାତ୍ରୀ ପରିବହନ ବ୍ୟବସ୍ଥା ସୁଗମ ହେବ। ଘରୋଇ ଯାନ ବ୍ୟବହାର କମ୍‌ ହେବା ସହ ଉଭୟ ସହର ଯାତାୟାତରେ ଅଯଥା ସମୟ ନଷ୍ଟ ହେବ ନାହିଁ। ସଡ଼କ ଗୁଡ଼ିକରେ ମଧ୍ୟ ଭିଡ଼ କମିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର