ଭୁବନେଶ୍ବର: ବିଏମ୍ସି ପକ୍ଷରୁ ବାସିଖାଦ୍ୟ ଓ ପଲିଥିନ୍ ବ୍ୟବହାର କରୁଥିବା ହୋଟେଲ ଉପରେ ଚଢ଼ଉକୁ ଜୋରଦାର କରାଯାଇଛି। ଆଜି ବିଏମ୍ସିର ପ୍ଲାଷ୍ଟିକ୍ ଏନ୍ଫୋର୍ସମେଣ୍ଟ ଟିମ୍ ଓ ଖାଦ୍ୟ ନିରାପତ୍ତା ଟିମ୍ କୋଳଥିଆ ଓ ସମ୍ ହସ୍ପିଟାଲ୍ ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ଉପରେ ମିଳିତ ଚଢ଼ଉ କରି ୪୦ରୁ ୫୦ କେଜି ବାସି ଖାଦ୍ୟ ନଷ୍ଟ କରିବା ସହ ୧୨ କେଜି ସିଙ୍ଗିଲ୍ ଇୟୁଜ୍ ପଲିଥିନ୍ ବ୍ୟାଗ୍ ଜବତ କରିଛି। ୧୨ଜଣ ବ୍ୟବସାୟୀଙ୍କଠାରୁ ବାସି ଖାଦ୍ୟ ପାଇଁ ୧୦ ହଜାର ଓ ପଲିଥିନ୍ ବ୍ୟବହାର ପାଇଁ ୧୨ ହଜାର ଟଙ୍କା ଜରିମାନା ସଂଗ୍ରହ କରାଯାଇଛି। ବାସି ଖାଦ୍ୟରେ ଫିନାଇଲ୍ ପକାଇ ନଷ୍ଟ କରାଯାଇଛି; ଯାହା ଫଳରେ ଏହାକୁ ବ୍ୟବସାୟୀ ଆଉ ବ୍ୟବହାର କରି ପାରିବ ନାହିଁ। ଆଗକୁ ଏଭଳି ଅପରାଧର ପୁନରାବୃତ୍ତି ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ସାଧାରଣ ଲୋକମାନେ ୨୪ ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ୧୯୨୯ରେ ଏଭଳି ଅଭିଯୋଗ କରିପାରିବେ ବୋଲି କୁହାଯାଇଛି। ବିଏମ୍ସି ପକ୍ଷରୁ ନିୟମିତ ଏଭଳି ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି।