ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ

ଭୁବନେଶ୍ବର : ବିଷ ପିଇ ଗୁରୁତର ହୋଇପଡ଼ିଥିବା ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ପୁଲିସ ଏକ ଘରୋଇ ହସ୍ପିଟାଲରୁ ମୃତଦେହ ଜବତ କରିଛି। ମୃତ ମହିଳା ହେଲେ ବଡ଼ଗଡ଼ ଅଞ୍ଚଳର ଜୁଲି ପାତ୍ର(୨୫)। ଲକ୍ଷ୍ମୀସାଗର ଥାନା ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।

ସୂଚନା ମୁତାବକ, ପାଖାପାଖି ୪ବର୍ଷ ତଳେ ଜୁଲି ବଡ଼ଗଡ଼ ଅଞ୍ଚଳର ଜ୍ଞାନରଂଜନ ପାତ୍ରଙ୍କୁ ବିବାହ କରିଥିଲେ। କିନ୍ତୁ ପାରିବାରିକ ସମସ୍ୟା ଯୋଗୁଁ ଗତ ଦେଢ଼ ବର୍ଷ ହେବ ଜୁଲି ବିଜେବିନଗରସ୍ଥିତ ବାପଘରେ ରହୁଥିଲେ। ସୋମବାର ରାତି ୨ଟା ସମୟରେ ଜୁଲି ବାନ୍ତି କରିବା ସହ ଗୁରୁତର ହୋଇପଡ଼ିଥିଲେ। ସେ ବିଷ ଖାଇଥିବା ପରିବାର ଲୋକଙ୍କୁ କହିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ସେଠାରୁ ତାଙ୍କୁ ନାଲ୍‌କୋ ଛକସ୍ଥିତ ଏକ ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ଲକ୍ଷ୍ମୀସାଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର