ମହାବୀର ଜୈନ କେମିତି ସନ୍ନ୍ୟାସୀ ହେଲେ, ସେ ନେଇ ରୋଚକ କାହାଣୀ ରହିଛି।
ପିଲାଟି ଦିନରୁ ସ˚ସାର ପ୍ରତି ବୀତସ୍ପୃହ ଥିବା ମହାବୀର ଯୁବକ ଅବସ୍ଥାରେ ସନ୍ନ୍ୟାସୀ ହେବା ଲାଗି ସ୍ଥିର କରି ମାତାଙ୍କ ଅନୁମତି ଲାଗି ଆସିଲେ। ମାତା ଏହା ଶୁଣି ମ୍ରିୟମାଣ ହୋଇ ବିଳାପ କରି କହିଲେ- ବାବୁରେ ତୁ ଯଦି ସନ୍ନ୍ୟାସୀ ହୋଇ ଚାଲିଯିବୁ, ତେବେ ଆମର କ’ଣ ହେବ ଭାବିଛୁ ତ? ବଞ୍ଚି ଥାଉ ଥାଉ ତୋ ବାପା ଓ ମା’ ମରିଯିବେ। ଆମେ ମଲା ପରେ ତୁ ସନ୍ନ୍ୟାସୀ ହୁଅ, ଆମର କିଛି କହିବାର ନାହିଁ।
ମହାବୀର ଏ କଥା ଚୁପଚାପ ଶୁଣିଲେ ଓ କିଛି ନ କହି ଘର ଭିତରକୁ ଚାଲିଗଲେ।
ଏଣେ ମହାବୀର ଅପେକ୍ଷା କଲେ। କିଛି ବର୍ଷ ପରେ ତାଙ୍କର ବାପା ଓ ମାଆ ଉଭୟଙ୍କ ଦେହାନ୍ତ ହୋଇଗଲା। ତାଙ୍କର କ୍ରିୟାକର୍ମ ସାରି ଶ୍ମଶାନରୁ ଫେରିବା ବାଟରେ ସେ ପୁଣି ଥରେ ଭାଇଙ୍କୁ ନିଜ ସନ୍ନ୍ୟାସ ନେବା କଥା କହି ଅନୁମତି ମାଗିଲେ। ଭାଇ ମଧୢ ଏହା ଶୁଣି ବିଳାପ କରି କହିଲେ-ବାପା, ମା’ ଏଇ କ୍ଷଣି ଚାଲିଗଲେ। ତା ପରେ ତୁ ଯଦି ଚାଲିଯିବୁ ମୁଁ ବଞ୍ଚିବି କେମିତି? ମହାବୀର ଏଥର ମଧୢ ଆଉ କିଛି ନ କହି ଘରକୁ ଫେରିଲେ।
କିନ୍ତୁ ଏହା ପରେ ମହାବୀର ଆଉ ପୂର୍ବର ମହାବୀର ହୋଇ ରହିଲେ ନାହିଁ। ସେ ଘର ଭିତରେ ଥିଲେ, କିନ୍ତୁ ନ ଥିବା ଭଳି। ସେ ପରିବାର ଭିତରେ ବିଚରଣ କରୁଥିଲେ, କିନ୍ତୁ ଲାଗୁଥିଲା ସେ ଯେମିତି ନାହାନ୍ତି। ପବନ ଭଳି ସର୍ବତ୍ର ବିଦ୍ୟମାନ, କିନ୍ତୁ ତାଙ୍କ ଉପସ୍ଥିତିକୁ ଅନୁଭବ କରି ହେଉ ନ ଥିଲା।
ଏମିତି ଅନେକ ଦିନ ଗଲା। ଏବେ ପରିବାରର ଲୋକେ ତାଙ୍କୁ କହିଲେ- ମହାବୀର, ଏବେ ଆଉ ତୁମକୁ ସ˚ସାରରେ ବାନ୍ଧି ରଖି ହେବନାହିଁ। ତୁମେ ଏବେ ଯାଇପାର। ମହାବୀର କହିଲେ- ଆପଣମାନେ ବହୁ ବିଳମ୍ବରେ ଅନୁମତି ଦେଲେ। ମୁଁ ତ କେବେ ଠାରୁ ସବୁ ଛାଡ଼ି ଯାଇ ସାରିଛି। ଏହା କହି ସେ ବାହାରି ଚାଲିଗଲେ।