ବିତର୍କ: ଶକ୍ତିକାନ୍ତ ଦାସ ‘ଗଭର୍ଣ୍ଣର ଅଫ ଦି ଇଅର୍’

ଅନ୍ତର୍ଜାତୀୟ ଅର୍ଥନୈତିକ ଅନୁସନ୍ଧାନ ପତ୍ରିକା ‘ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ୍‌ ତରଫରୁ ୨୦୨୩ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ଣ୍ଣର ଅଫ ଦି ଇଅର୍ ଆୱାର୍ଡ଼’ ପ୍ରଦାନ କରାଯାଇଛି। ୨୦୧୫ରେ ରଘୁରାମ ରାଜନ ଏହି ପୁରସ୍କାର ପାଇଥିଲେ। କୁହାଯାଉଛି ଯେ ଶ୍ରୀ ଦାସଙ୍କ ନେତୃତ୍ୱରେ ରିଜର୍ଭ ବ୍ୟାଙ୍କ କୋଭିଡ -୧୯ ମହାମାରୀ ସମୟରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର, ଅଭିନବ ପେମେଣ୍ଟ ସିଷ୍ଟମ ଓ ଅଭିବୃଦ୍ଧିଭିତ୍ତିକ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ‌ଏହି ପ୍ରସଙ୍ଗରେ ଭିନ୍ନମତ ଯେ ରହିଛି, ‘ସମ୍ବାଦ’ ବିତର୍କରୁ ତାହା ଜଣାପଡ଼ିଛି।

ସପକ୍ଷ

‘ଟଙ୍କା ମୂଲ୍ୟର ସ୍ଥିରତା ବଜାୟ ରଖିବାରେ ସଫଳ ହୋଇଛନ୍ତି ’
ଶଶିକାନ୍ତ ଦାସ କରୋନା ଭଳି ପ୍ରାକୃ୍ତିକ ବିପର୍ଯ୍ୟୟ ସମୟରେ ଓ ତା’ର ପରବର୍ତ୍ତୀ ଅବସ୍ଥାରେ ଅର୍ଥନୀତି ତଥା ଟଙ୍କାର ମୂଲ୍ୟର ସ୍ଥିରତା ବଜାୟ ରଖିବାରେ ପ୍ରାୟତଃ ସଫଳ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ଯେତେଦୂର ସମ୍ଭବ ବିଭିନ୍ନ ‌କ୍ଷେତ୍ର (ସେକ୍ଟର)କୁ କୋଭିଡ୍‌ ବିପର୍ଯ୍ୟୟ ସମୟରେ ବାସ୍ତବତାକୁ ଆଖି ଆଗରେ ରଖି ଅର୍ଥ ବ୍ୟବସ୍ଥା କରିବାରେ ପ୍ରୟାସ କରିଥିଲେ। ଏପରିକି ରାଜ୍ୟ ସରକାରମାନଙ୍କୁ ଓଭରଡ୍ରାଫ୍ଟ ସୁବିଧା ଯୋଗାଇ ଦେବାରେ ମଧ୍ୟ ତତ୍ପର ଥିଲେ। କିନ୍ତୁ, କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ଅର୍ଥନୈତିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତିରେ ସମନ୍ବୟ ରଖିବାରେ ସଫଳ ହୋଇପାରିନାହାନ୍ତି। ଆମେରିକା କେନ୍ଦ୍ରୀୟ ବ୍ୟାଙ୍କର ସୁଧ ବୃଦ୍ଧି ପ୍ରକ୍ରିୟାକୁ ଅନ୍ଧ ଅନୁସରଣ କରିବା ହେଉଛି ଏହାର ଏକ ପ୍ରମୁଖ କାରଣ। ଆମେରିକା ଓ ଭାରତର ଅର୍ଥ ବ୍ୟବସ୍ଥାର ଚରିତ୍ର ସମାନ ନୁହେଁ। ଅବଶ୍ୟ ଜଗତୀକରଣ ଯୁଗରେ କୌଣସି ଦେଶର ଅର୍ଥ ବ୍ୟବସ୍ଥାକୁ ସଂପୂର୍ଣ୍ଣ ସ୍ବାଧୀନ ଭାବରେ ପରିଚାଳନା କରିବା ସମ୍ଭବ ନୁହେଁ ।
ଡ. ଦିଲୀପ ପଣ୍ଡା,ଅର୍ଥନୀତି ବିଶାରଦ, ସମ୍ବଲପୁର

‘ଜଟିଳ ପରିସ୍ଥିତିର ସଫଳ ମୁକାବିଲା କରିଛନ୍ତି’
ଆର୍‌ବିଆଇ ଗଭର୍ଣ୍ଣର ଶଶିକାନ୍ତ ଜଟିଳ ପରିସ୍ଥିତି ସମୟରେ ଦେଶର ମୁଦ୍ରାନୀତିକୁ ସୁନ୍ଦର ଭାବେ ପରିଚାଳନା କରିପାରିଛନ୍ତି। କରୋନା ପରବର୍ତ୍ତୀ ସମୟରେ ଅର୍ଥନୀତି ଅଭିବୃଦ୍ଧି ହାରକୁ ପରବାୟ ନକରି ଟଙ୍କା ମୂଲ୍ୟର ସ୍ଥିରତା ସୁନିଶ୍ଚିତ କରିବାରେ ବି ସଫଳ ହୋଇଛନ୍ତି। ୟୁକ୍ରେନ-ରୁଷିଆ ଯୁଦ୍ଧ ଭଳି ସମୟରେ ଡଲାର ତୁଳନାରେ ରୁପି ଦୁର୍ବଳ ହୋଇଥିବା ବେଳେ ମଧ୍ୟ ଏହି ଜଟିଳ ସ୍ଥିତିର ସଫଳ ମୁକାବିଲା କରିପାରିଥିଲେ।
ଡ. ଉମାଚରଣ ପତି, ଅର୍ଥନୀତି ବିଶେଷଜ୍ଞ

ବିପକ୍ଷ

‘ରିଜର୍ଭ ବ୍ୟାଙ୍କର ସଫଳ ଗଭର୍ଣ୍ଣର ନୁହନ୍ତି’
ଶକ୍ତିକାନ୍ତ ଦାଙ୍କୁ ଆରବିଆଇର ସଫଳ ଗଭର୍ଣ୍ଣର ବୋଲି କହି ହେବନାହିଁ। ସେ ଜଣେ ଇତିହାସର ଛାତ୍ର। ସେ ଅର୍ଥନୀତିଜ୍ଞ ନୁହନ୍ତି, ଯାହା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ହେବା ପାଇଁ ଜରୁରୀ। ସେ ଦାୟିତ୍ୱ ନେବାପରେ ମନଇଚ୍ଛା ସୁଧ ହ୍ରାସ କରି ଚାଲିଲେ। ଯେତେବେଳେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ବାହାରକୁ ଗଲା ସେତେବେଳେ କହିଲେ ଯେ ଏହା ଆମଦାନୀ ଭିତ୍ତିକ ମୁଦ୍ରାସ୍ଫୀତି। ଯେମିତି ଆମେରିକା ସୁଧ ହାର ବୃଦ୍ଧି କରି ଚାଲିଲା, ସେତେବେଳେ ସେ ମଧ୍ୟ ଅନୁକରଣ କରି ସୁଧ ହାର ବୃଦ୍ଧି କଲେ। ଖୁଚୁରା ମୁଦ୍ରାସ୍ଫୀତି ୨୦୨୨ ଜାନୁଆରିରୁ ୨୦୨୩ ଫେବ୍ରୁଆରି ମଧ୍ୟରେ ୧୨ ମାସରେ ୬% ରୁ ଅଧିକ ରହିଛି। ଏହା ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟଲକ୍ଷ୍ୟ ଠାରୁ ଅଧିକ। ଋଣ ଖିଲାପକାରୀଙ୍କ ସ୍ୱାର୍ଥ ପାଇଁ ତାଙ୍କ ସମୟରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଛାଡ଼ କରାଯାଇଛି। କିଛି ବଡ଼ବଡ଼ ଶିଳ୍ପପତିଙ୍କ ଠାରୁ ସେମାନଙ୍କ ଋଣ ଓ ସୁଧର ହାରାହାରି ମାତ୍ର ୧୫% ସଂଗ୍ରହ କରି ଆଉ ସବୁ ଛାଡ଼ କରି ଦିଆଯାଇଛି। ସେ ମଧ୍ୟ ଅନାବଶ୍ୟକ ଭାବେ ୧.୭୬ ଲକ୍ଷ ହଜାର କୋଟି ଟଙ୍କାର ଲାଭାଂଶ ରିଜର୍ଭ ବ୍ୟାଙ୍କରୁ ସରକାରଙ୍କୁ ଦେଇ ବିବାଦୀୟ ହୋଇଛନ୍ତି। ଏସବୁ କାରଣରୁ ତାଙ୍କୁ ଜଣେ ସଫଳ ଗଭର୍ଣ୍ଣର ବୋଲି କହି ହେବନାହିଁ।
ଡକ୍ଟର ସନ୍ତୋଷ କୁମାର ମହାପାତ୍ର, ଅର୍ଥନୀତିଜ୍ଞ ତଥା ସ୍ତମ୍ଭକାର

ସମ୍ବନ୍ଧିତ ଖବର