କଞ୍ଚା ଅମୃତଭଣ୍ଡାରୁ ରଙ୍ଗିନ ଫୁଲ ତିଆରି କରୁଛନ୍ତି ଭିଏତନାମୀ ଶିଳ୍ପୀ

କାଠ, ପଥର ଆଦି ଖୋଦେଇ କରି ବିଭିନ୍ନ ବସ୍ତୁର ଜୀବନ୍ତ ପ୍ରତିକୃତି ନିର୍ମାଣ ହେବା ଆମେ ଦେଖିଛନ୍ତି। ତେବେ ଗୁଁଏନ୍‌ ଥି ଥୁ ନାମକ ଜଣେ ଭିଏତନାମୀ ଶିଳ୍ପୀ ଅମୃତଭଣ୍ଡା କାଟି ନାନା ଜାତୀୟ ଫୁଲର ସୂକ୍ଷ୍ମ ତଥା ଅବିକଳ ପ୍ରତିକୃତି ଗଢ଼ି ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ମାତ୍ର ୧୫ ବର୍ଷ ବୟସରୁ ସେ କଞ୍ଚା ଅମୃତଭଣ୍ଡାରୁ କଳାକୃତି ତିଆରି କରିବାର ପାରମ୍ପରିକ କଳାକୁ ଆପଣେଇଥିଲେ। ଏଥିରେ ସେ ଜଣେ ନିପୁଣ କାରିଗର ହୋଇପାରିଥିବା ବେଳେ ତାଙ୍କୁ ୧୯୯୦ ଦଶକରେ ୧୫ ବର୍ଷ ପାଇଁ ରୁଷିଆ ଯିବାକୁ ପଡ଼ିଥିଲା। ମାତ୍ର ସେଠାରେ କଞ୍ଚା ଅମୃତଭଣ୍ଡା ନମିଳିବାରୁ ସେ ଅନ୍ୟାନ୍ୟ ଫଳମୂଳ କାଟି ନିଜ ପସନ୍ଦର କଳାକୃତି ଗଢ଼ିବାର ଅଭ୍ୟାସ ବଜାୟ ରଖିଥିଲେ। ସେଠାରୁ ୨୦୦୯ରେ ହୋନୋଇ ଫେରିବା ପରେ ସେ ପୁଣି ଅମୃତଭଣ୍ଡାରେ ଖୋଦେଇ କାମ ଆରମ୍ଭ କରିଥିଲେ।

ଗୁଁଏନ୍‌ଙ୍କ କହିବାନୁଯାୟୀ, ଅମୃତଭଣ୍ଡାର ଲମ୍ବା ଆକାର, କୋମଳ ତଥା ଗାଢ଼ ସବୁଜ ରଙ୍ଗର ଚୋପା ଏବଂ ଭିତରର ସଫେଦ ଚେହେରା ବିଭିନ୍ନ ପ୍ରକାର ଫୁଲର ପ୍ରତିକୃତି ଖୋଦେଇ କରିବା ପାଇଁ ପ୍ରକୃଷ୍ଟ ଉପାଦାନ। ଫୁଲର ଆକାର ଫିଟିଗଲା ପରେ ସେଥିରେ ବିଭିନ୍ନ ରଙ୍ଗ ବୋଳି ସେ ଫୁଲର ଜୀବନ୍ତ ରୂପରେଖ ପ୍ରସ୍ତୁତ କରନ୍ତି। ଗୋଲାପ, ପଦ୍ମ, କଇଁ ଓ ସେବତୀ ଆଦି ଫୁଲ ଗଢ଼ିବାରେ ସେ ସିଦ୍ଧହସ୍ତା। ପୃଥିବୀରେ ପ୍ରାୟ ୩,୦୦୦ରୁ ଅଧିକ ପ୍ରଜାତିର ସେବତୀ ଫୁଲ ଥିବାରୁ ସେ ଯଦି ପ୍ରତ୍ୟହ ଗୋଟିଏ ସେବତୀ ଫୁଲ ଖୋଦେଇ କରିବାରେ ନିଜକୁ ଉତ୍ସର୍ଗ କରନ୍ତି ତେବେ ତାଙ୍କ ଜୀବନକାଳ ଭିତରେ ସବୁ ଫୁଲର ପ୍ରତିକୃତି ବି ସମ୍ଭବ ହେବନାହିଁ ବୋଲି ସେ କହିଛନ୍ତି। ବିଭିନ୍ନ ମେଳା, ମହୋତ୍ସବ ଓ ସାମାଜିକ ସମାବେଶରେ ସେ ତାଙ୍କର କଳାକୃତି ପ୍ରଦର୍ଶନ କରିବା ସହ ଏହି ପାରମ୍ପରିକ କଳାକୁ ବଜାୟ ରଖିବା ଲାଗି ଅନ୍ୟମାନଙ୍କୁ ଏ ସମ୍ପର୍କରେ ଶିକ୍ଷାଦାନ କରୁଛନ୍ତି।

ସମ୍ବନ୍ଧିତ ଖବର