ଖେଳ ମଝିରୁ ବିରତି ନେଇ ୭ ମାସର ଶିଶୁକୁ ପଡ଼ିଆରେ କରାଇଲେ ସ୍ତନ୍ୟପାନ, ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଲେ ମହିଳା ଖେଳାଳି

ନୂଆଦିଲ୍ଳୀ: ମିଜୋରାମ୍‌ର ଜଣେ ଭଲିବଲ୍‌ ଖେଳାଳି ଏବେ ସୋସିଆଲ୍‌ ମିଡିଆରେ ଛାଇ ଯାଇଛନ୍ତି। ସେ ଖେଳ ମଝିରୁ ପଡ଼ିଆ ଭିତରେ ତାଙ୍କ କୁନି ପିଲାକୁ ସ୍ତନ୍ୟପାନ କରାଉଥିବା ବେଳର ଦୃଶ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ମହିଳା ଖେଳାଳି ଜଣଙ୍କୁ ବହୁ ପ୍ରଶଂସା ମିଳିଛି।

ଏହି ଫଟୋଟିକୁ ନିଙ୍ଗ୍‌ଲୁନ୍‌ ହଙ୍ଗଲନ ନାମକ ଜଣେ ମହିଳା ଫେସ୍‌ବୁକ୍‌ରେ ସେୟାର କରିବା ପରେ ପୋଷ୍ଟ୍‌ଟି ଆକାଉଣ୍ଟ୍‌ରୁ ଆକାଉଣ୍ଟ୍‌କୁ ସେୟାର ହେବାରେ ଲାଗିଛି। ତେବେ ଏହି ଫଟୋର ଶ୍ରେୟ ଯାଉଛି ଲିଣ୍ଡା ଚକଚୁଆକ ନାମକ ଜଣେ ବ୍ୟକ୍ତିଙ୍କୁ।

ଏହି ଭଲିବଲ୍‌ ଖେଳାଳିଙ୍କ ନାମ ଲାଲ୍‌ଭେନ୍ତଲଆଙ୍ଗି। ‌ସେ ତୁଇକୁମ୍‌ ଭଲିବଲ୍‌ ଟିମ୍‌ ପାଇଁ ଖେଳନ୍ତି। ଖେଳାଳି ଜଣକ ଖେଳୁ ଖେଳୁ ତାଙ୍କର ୭ ମାସର ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ ଟିକେ ବିରତି ନେଇଥିଲେ। ଖେଳରୁ ବିରତି ନେଇ ସର୍ବସାଧାରଣ ସ୍ଥାନରେ ନିଜ ପିଲାକୁ ସ୍ତନ୍ୟପାନ କରାଇବା ବେଳେ ଟିକେ ବି କୁଣ୍ଠିତ ଅନୁଭବ କରି ନ ଥିଲେ ‌ସେ, ଯାହାକି ଏବେ ତାଙ୍କୁ ସୋସିଆଲ୍‌ ମିଡିଆରେ ରାଣୀ ସଜାଇଛି।

ଏହି ଘଟଣା ପ୍ରଚାରିତ ହେବା ପରେ ମିଜୋରାମର କ୍ରୀଡ଼ାମନ୍ତ୍ରୀ ଲାଲ୍‌ଭେନ୍ତଲଆଙ୍ଗିଙ୍କୁ ତାଙ୍କର ଏହି କାର୍ଯ୍ୟ ଲାଗି ସମ୍ମାନ ସ୍ବରୂପ ୧୦,୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର