ବଢ଼ିବାରେ ଲାଗିଛି ସାହାରା ମରୁଭୂମିର ପରିସୀମା!

ବିଶ୍ୱର ସବୁଠାରୁ ବଡ଼ ଗରମ ମରୁଭୂମି ଭାବେ ପରିଚିତ ସାହାରା ମରୁଭୂମିର ପରିସୀମା ବଢ଼ିବାରେ ଲାଗିଛି। ତେବେ ଏହା ପଛରେ ଗ୍ଲୋବାଲ ୱାର୍ମିଙ୍ଗର କାରଣ ରହିଥିବା ଦର୍ଶାଯାଉଛି। ଆମେରିକାର ମେରିଲ୍ୟାଣ୍ଡ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ସାହାରା ମରୁଭୂମିର ପରିସୀମା ୧୦ପ୍ରତିଶତରୁ ଅଧିକ ବଢିଯାଇଛି। ଏହି ରିସର୍ଚ୍ଚ ଗତ ୧୦୦ ବର୍ଷର ତଥ୍ୟକୁ ନେଇ କରାଯାଇଛି। ରିପୋର୍ଟ ଅନୁସାରେ ସାହାରା ମରୁଭୂମି ଗତ ୧୦୦ ବର୍ଷରେ ୯ଲକ୍ଷ ବର୍ଗକିଲୋମିଟର କ୍ଷେତ୍ରଫଳ ବଢିଛି।

ରିସର୍ଚ୍ଚ କରିଥିବା ବିଶେଷଜ୍ଞଙ୍କ କହିବା କଥା ଭୂପୃଷ୍ଟର ତାପମାତ୍ରା ବଢିବା ସହ ମରୁଭୂମିର କ୍ଷେତ୍ରଫଳ ମଧ୍ୟ ବଢିଛି। ୧୯୨୦ ରୁ ୨୦୧୩ ମସିହା ମଧ୍ୟରେ ହୋଇଥିବା ମୌସୁମୀ ବର୍ଷାର ଆକଳନରୁ ଜଣାପଡିଛି ଯେ, ସାହାରାର ଆଖପାଖ ଅନେକ ଅଞ୍ଚଳ ପୂର୍ବରୁ ମରୁଭୂମି ନଥିଲା। କିନ୍ତୁ ଏବେ ସମ୍ପୂର୍ଣ୍ଣ ଭାବେ ବଦଳିଯାଇଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ଦିନକୁ ଦିନ ଆଫ୍ରିକାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଆଉ ଏଥିରେ ଆଫ୍ରିକୀୟ ଲୋକମାନଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡିପାରେ। ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡିପାରେ, ଯାହା ଦୁନିଆସାରା ଦେଖାଯିବ। କିଛି ଅଞ୍ଚଳରେ ୯୩ ବର୍ଷରେ ୧୬ପ୍ରତିଶତ ପର୍ଯ୍ୟନ୍ତ ମରୁଭୂମିର କ୍ଷେତ୍ରଫଳ ବଢୁଥିବାର ଦେଖିବାକୁ ମିଳିଛି।

ସାହାରା ମରୁଭୂମିରେ ଜାନୁଆରୀ ମାସରେ ୧୬ ଇଞ୍ଚ ପର୍ଯ୍ୟନ୍ତ ବରଫପାତ ହୋଇଥିଲା। ସାହାରାର ପ୍ରବେଶ ଦ୍ୱାର କୁହାଯାଉଥିବା ଉତ୍ତର ଆଲଜେରିଆରେ ନାଲି ବାଲି ଉପରେ ଧଳା ବରଫ ଛାଇ ହୋଇଯାଇଥିଲା। ଏଠାରେ ୪୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ପାଖାପାଖି ୩୮ବର୍ଷ ପୂର୍ବରୁ ଫେବୃଆରୀ ୧୯୭୯ରେ ଏଠାରେ କିଛି ଘଣ୍ଟା ପାଇଁ ବରଫପାତ ହୋଇଥିଲା ବୋଲି ରିସର୍ଚ୍ଚରୁ ଜଣାପଡିଛି।

ସମ୍ବନ୍ଧିତ ଖବର