ଓଡ଼ିଶା ରଣଜୀ ଦଳରେ ୧୮ ଖେଳାଳି, ୧୦ ଅଧିକାରୀ

ଅନୁରାଗ, ପ୍ରୟା‌ସ, ସୂର୍ଯ୍ୟକାନ୍ତ ବାଦ୍‌: ଦେବେନ୍ଦ୍ର, ଜାମେଲା, ତାପସ, ପ୍ରଦୀପ ସାମିଲ

ଭୁବନେଶ୍ବର: ଚଳିତ ରଣଜୀ ଋତୁରେ ଖରାପ ପ୍ରଦର୍ଶନରେ ଗତି କରୁଥିବା ଓଡ଼ିଶା ଶେଷ ଗ୍ରୁପ୍‌ ମ୍ୟାଚ୍‌ ପାଇଁ ୧୮ ଜଣିଆ ଖେଳାଳିଙ୍କୁ ନେଇ ଦିଲ୍ଲୀ ଗସ୍ତ କରିଛି। କିନ୍ତୁ ଏଥର ଦଳରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ଖରାପ ଲୟରେ ଗତି କରୁଥିବା ପ୍ରାରମ୍ଭିକ ବ୍ୟାଟର ଅନୁରାଗ ଷଡ଼ଙ୍ଗୀ, ଅଲରାଉଣ୍ଡର୍‌ ପ୍ରୟାସ ସିଂହ ଓ ଦ୍ରୁତ ବୋଲର୍‌ ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ଶେଷ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଛି। ଏମାନଙ୍କ ସ୍ଥାନରେ ବାମହାତୀ ସ୍ପିନର୍‌ ଜାମେଲା ଭଞ୍ଜନ ମହାପାତ୍ର, ଦ୍ରୁତ ବୋଲର ତାପସ ଦାସ, ପ୍ରଦୀପ ପ୍ରଧାନ ଏବଂ ଦେବେନ୍ଦ୍ର କୁଅଁରଙ୍କୁ ଦଳ ସହିତ ଦିଲ୍ଲୀ ପଠାଯାଇଛି।

ଓଡ଼ିଶା ଚଳିତ ଋତୁରେ ୬ ମ୍ୟାଚ୍‌ରୁ ୧ ବିଜୟ, ୩ ପରାଜୟ ପାଇ ୧୨ ପଏଣ୍ଟ୍‌ ସହ ଏଲିଟ୍‌ ଗ୍ରୁପ୍‌ ଡି’ରେ ସପ୍ତମ ସ୍ଥାନରେ ରହିଛି। ହିମାଚଳ ପ୍ରଦେଶ ବିପକ୍ଷରେ ଓଡ଼ିଶା ଜିତିଥିଲା ବେଳେ ବରୋଦା, ଜମ୍ମୁ କାଶ୍ମୀର ଓ ଉତ୍ତରାଖଣ୍ଡଠୁ ପରାସ୍ତ ହୋଇଥିଲା। ଶୁକ୍ରବାରଠୁ ଦିଲ୍ଲୀ ବିପକ୍ଷରେ ଓଡ଼ିଶା ଶେଷ ଲିଗ୍‌ ମ୍ୟାଚ୍‌ ଖେଳିବ। ବିସିସିଆଇ ଘରୋଇ ମ୍ୟାଚ୍‌ ପାଇଁ ଦଳମାନେ ସର୍ବାଧକ ୧୫ଜଣ ଖେଳାଳିଙ୍କୁ ଦଳରେ ନେଇପାରିବେ। କିନ୍ତୁ ଓଡ଼ିଶା ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ରଖିବା ଓ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ଲକ୍ଷ୍ୟରେ ୧୮ ଜଣ ଖେଳାଳିଙ୍କୁ ଦିଲ୍ଲୀ ପଠାଇଥିବା ଓସିଏର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଖେଳାଳିଙ୍କ ବ୍ୟତୀତ ୧୦ଜଣ ପ୍ରଶିକ୍ଷକ ଓ ସହାୟକ ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି। ମୁଖ୍ୟ ପ୍ରଶିକ୍ଷକ ଦୀନେଶ ମୋଙ୍ଗିଆ, ପ୍ରଶିକ୍ଷକ ଅବକାଶ ଖଟୁଆ, ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ ପ୍ରଶିକ୍ଷକ ପ୍ରତ୍ୟୁଷ, ଫିଜିଓ ରୋନି ଚାଟାର୍ଜୀ, ଭିଡିଓ ବିଶ୍ଳେଷକ ସାରଦା ବିଶ୍ବାଳ, ସାଇଡ୍‌ ଆର୍ମ ଥ୍ରୋଅର ରତ୍ନାକର ବେହେରା, ମାଲିସବାଲା ବିଶ୍ବଜିତ ବେହେରା, ପ୍ରବନ୍ଧକ ଦୁଲାଲ ଚନ୍ଦ୍ର ପ୍ରଧାନ, ପର୍ଯ୍ୟବେକ୍ଷକ ସୁଜିତ ପ୍ରଧାନ, ମେଣ୍ଟର ଦେବାଶିଷ ପାଢୀ ଦିଲ୍ଲୀ ଯାଇଥିବା ଓସିଏ ସୂତ୍ରରୁ ଜଣାପଡ଼ିଛି।

ଓଡ଼ିଶା ଦଳ: ଶାନ୍ତନୁ ମିଶ୍ର (ଅଧିନାୟକ), ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ସନ୍ଦୀପ ପଟ୍ଟନାୟକ, ଦେବବ୍ରତ ପ୍ରଧାନ, ବିପ୍ଳବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ରାଜେଶ ମହାନ୍ତି, କାର୍ତ୍ତିକ ବିଶ୍ବାଳ, ସ୍ବସ୍ତିକ ସାମଲ, ତରଣୀ ସା’, ସୁନୀଲ କୁମାର ରାଉଳ, ହର୍ଷିତ ରାଠୋଡ଼, ଆଶୀର୍ବାଦ ସ୍ବାଇଁ, ଦେବେନ୍ଦ୍ର କୁଅଁର, ଜାମେଲା ଭଞ୍ଜନ ମହାପାତ୍ର, ତାପସ କୁମାର ଦାସ, ପ୍ରଦୀପ ପ୍ରଧାନ।

ସମ୍ବନ୍ଧିତ ଖବର