ତାଳପତ୍ରରେ ରହିଗଲା ରାଜାଙ୍କ ‘ସ୍ମୃତ୍ୟର୍ଣ୍ଣବ’

କେନ୍ଦୁଝର: ତାଳପତ୍ର ପାଣ୍ଡୁଲିପିରେ ସୀମିତ ରହିଯାଇଛି କେନ୍ଦୁଝରଗଡ଼ର ୩୩ ତମ ରାଜା ଦନାର୍ଦ୍ଦନ ଭଞ୍ଜଙ୍କ ‘ସ୍ମୃତ୍ୟର୍ଣ୍ଣବ’। ତିନିଶହ ବର୍ଷ ତଳର ଏହି ପାଣ୍ଡୁଲିପିଟି ଅତ୍ୟନ୍ତ ମସିଆ ହୋଇଯାଇଥିବାରୁ ଏହାକୁ ପଢ଼ିବାରେ ସମସ୍ୟା ହେଉଛି। ଏହା ଉପରେ ଅଧିକ ଗବେଷଣା ସାଙ୍ଗକୁ ଏହାର ପ୍ରକାଶନ କରାଗଲେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିପାରିବ ବୋଲି କେନ୍ଦୁଝରର ବିଶିଷ୍ଟ ସଂଗ୍ରାହକ ସୁଜିତ ପଟ୍ଟନାୟକ କହିଛନ୍ତି। ୧୭୯୨ରୁ ୧୮୩୧ ମସିହା ପର୍ଯ୍ୟନ୍ତ କେନ୍ଦୁଝରଗଡ଼ର ରାଜା ଥିଲେ ଦନାର୍ଦ୍ଦନ ଭଞ୍ଜ। ଏହି ସମୟରେ ରାଜ୍ୟ ଶାସନଠାରୁ ଆରମ୍ଭ କରି ଓ ରାଜସ୍ବର ହିସାବ ରଖିବାପାଇଁ ସବୁକିଛି ତଥ୍ୟ ତାଳପତ୍ରରେ ଉଲ୍ଲେଖ କରାଯାଉଥିଲା। ରାଜା ଦନାର୍ଦ୍ଦନ ଭଞ୍ଜ ଖଜଣା ଆଦାୟ ପାଇଁ ପାଉତିର ବ୍ୟବସ୍ଥା କରିଥିଲେ। ଏସବୁକୁ ବିଚାରକୁ ‌ନେଲେ ତତ୍କାଳୀନ କେନ୍ଦୁଝରଗଡ଼ ଏକ ସମୃଦ୍ଧ ଓ ବୈଭବଶାଳୀ ରାଜ୍ୟ ଥିଲା ବୋଲି କୁହାଯାଉଛି। ଏହି ସମୟରେ ରାଜା ତାଳପତ୍ରରେ ‘ସ୍ମୃତ୍ୟର୍ଣ୍ଣବ’ ଲେଖିଥିଲେ। ପରବର୍ତ୍ତୀ ସମୟରେ ଏହାର ପ୍ରକାଶନ ହୋଇ ନ ପାରିବାରୁ ତାହା ପାଣ୍ଡୁଲିପି ହୋଇ ରହିଯାଇଛି। ୯୮ ବିଡ଼ାବିଶିଷ୍ଟ ଏହି ତାଳପତ୍ର ପାଣ୍ଡୁଲିପିଟି ଓଡ଼ିଆ ଭାଷାରେ ଲେଖା ହୋଇଥିଲେ ମଧ୍ୟ ଏହା ଅତ୍ୟନ୍ତ ମସିଆ ହୋଇଯାଇଥିବାରୁ ପଢ଼ିବା ସମ୍ଭବ ହେଉନି। ତିନିଶହ ବର୍ଷ ପୁରୁଣା ଏହି ପାଣ୍ଡୁଲିପିକୁ ଅତ୍ୟନ୍ତ ଯତ୍ନର ସହ ରଖିବାକୁ ପଡ଼ୁଛି। ବାରମ୍ବାର ଖୋଲିଲେ ତାଳପତ୍ରଗୁଡ଼ିକ ଭାଙ୍ଗି ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ‌ଭଲଭାବରେ ପଢ଼ି ହେଉନଥିବାରୁ ‘ସ୍ମୃତ୍ୟର୍ଣ୍ଣବ’ରେ କ’ଣ ଉଲ୍ଲେଖ ରହିଛି ତାହା ଆଜି ରହସ୍ୟଘେରରେ ରହିଯାଇଛି। ଏ ସମ୍ପର୍କରେ ବିଶିଷ୍ଟ ସଂଗ୍ରାହକ ସୁଜିତ ପଟ୍ଟନାୟକ କହିଛନ୍ତି, ‘ସ୍ମୃତ୍ୟର୍ଣ୍ଣବ’ରେ କ’ଣ ଉଲ୍ଲେଖ ରହିଛି, ତାହା ଲୋକଲୋଚନକୁ ଆସିବାର ଆବଶ୍ୟକତା ରହିଛି। ସରକାର କିମ୍ବା କୌଣସି ସଂଗଠନ ଏହାର ପ୍ରକାଶନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର