ଜାତୀୟ ଅସିଚାଳନାଛ ମଣିପୁରକୁ ସ୍ୱର୍ଣ୍ଣ ସହ ୫ ପଦକ

କଟକ: ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଜାତୀୟ ଅସିଚାଳନା ପ୍ରତିଯୋଗିତାର ଚତୁର୍ଥ ଦିନରେ ମଣିପୁରକୁ ୫ ପଦକ ମିଳିଛି। ଦଳଗତ ପର୍ଯ୍ୟାୟର ୧୪ ବର୍ଷରୁ କମ୍‌ ବାଳିକା ଇପିରେ ମଣିପୁରର ଏସ୍‌ କ୍ରାଉନଲେଡି, ଏସ୍‌ ନେଲ୍‌ସାଇରୋଜ୍‌, ଟିଏଚ୍‌ ସନ୍ଧ୍ୟା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ପଞ୍ଜାବ ରୌପ୍ୟ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନା କାଂସ୍ୟ ପଦକ ପାଇଛନ୍ତି। ଉପ କନିଷ୍ଠ ବାଳିକା ଫଏଲ୍‌ରେ ଦିଲ୍ଲୀକୁ ସ୍ୱର୍ଣ୍ଣ, ତାମିଲନାଡୁକୁ ରୌପ୍ୟ, ମଣିପୁର ଓ ଛତିଶଗଡ଼କୁ କାଂସ୍ୟ ପଦକ ମିଳିଛି। କ୍ୟାଡେଟ୍‌ ବାଳିକା ଇପିରେ ହରିୟାଣାକୁ ସ୍ୱର୍ଣ୍ଣ, କର୍ଣ୍ଣାଟକକୁ ରୌପ୍ୟ, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାକୁ କାଂସ୍ୟ ପଦକ ପ୍ରଦାନ କରାଯାଇଛି। ଉପକନିଷ୍ଠ ବାଳକ ସବରରେ କେରଳ ସ୍ୱର୍ଣ୍ଣ, ହରିୟାଣ ରୌପ୍ୟ, ମହାରାଷ୍ଟ୍ର ଓ ମଣିପୁର କାଂସ୍ୟ ପଦକ ହାସଲ କରିଛନ୍ତି। ଉପକନିଷ୍ଠ ବାଳକ ଇପିରେ ଏସ୍‌ଏସ୍‌ସିବି ସ୍ୱର୍ଣ୍ଣ, ତେଲେଙ୍ଗାନା ରୌପ୍ୟ, ମଧ୍ୟପ୍ରଦେଶ ଓ ମଣିପୁର କାଂସ୍ୟ ଜିତିଛି। କ୍ୟାଡେଟ ବାଳକ ଫଏଲ୍‌ରେ ହରିୟାଣା ସ୍ୱର୍ଣ୍ଣ, ଏସ୍‌ଏସ୍‌ସିବି ରୌପ୍ୟ ଏବଂ ଛତିଶଗଡ଼ ଓ ମଣିପୁର କାଂସ୍ୟ ପଦକ ପାଇଛନ୍ତି। ଶନିବାରର ପୁରସ୍କାର ପ୍ରଦାନ ଉତ୍ସବରେ ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି, ଲୋକ ଅଦାଲତର ନ୍ୟାୟିକ ସଦସ୍ୟ ତପନ କୁମାର ମଣ୍ଡଳ, ରାଜ୍ୟ ଅସିଚାଳନା ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସ୍ମୃତି ରଂଜନ ପୁରୋହିତ, ରମେଶ ଚନ୍ଦ୍ର ମଲ୍ଲିକ, କାର୍ଯ୍ୟକାରୀ ସମିତିର ସଦସ୍ୟ ସହଦେବ ରାଉତ, ଉପେନ୍ଦ୍ର ମହାପାତ୍ର, ମହେଶ ମଲ୍ଲ ଓ ତପନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର