ଅକ୍ଷରଙ୍କୁ କ୍ୟାରିୟର ଶ୍ରେଷ୍ଠ ୧୮ତମ ସ୍ଥାନ

ଟେଷ୍ଟ୍‌ ମାନ୍ୟତା: କୁଲ୍‌ଦୀପ ବି ଉଠିଲେ

ଦୁବାଇ: ଭାରତୀୟ ସ୍ପିନ୍‌ ଅଲ୍‌ରାଉଣ୍ଡର ଅକ୍ଷର ପଟେଲ ଆଇସିସି ଟେଷ୍ଟ୍‌ ମାନ୍ୟତାରେ କ୍ୟାରିୟର ଶ୍ରେଷ୍ଠ ସ୍ଥାନ ପାଇଛନ୍ତି। ବାଂଲାଦେଶ ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ରେ ୫ ୱିକେଟ୍‌ ଦଖଲ କରିଥିବା ଅକ୍ଷର ବୁଧବାର ପ୍ରକାଶିତ ବୋଲରଙ୍କ ମାନ୍ୟତା ତାଲିକାରେ ୨୦ ସ୍ଥାନ ଲମ୍ଫ ମାରି ୧୮ରେ ପହଞ୍ଚିଛନ୍ତି। ତାଙ୍କ ରୢାଙ୍କିଙ୍ଗ୍‌ ପଏଣ୍ଟ୍‌ ୬୫୦ ରହିଛି। ଅନ୍ୟତମ ଭାରତୀୟ ସ୍ପିନର କୁଲ୍‌ଦୀପ ଯାଦବ ମଧ୍ୟ ଏହି ତାଲିକାରେ ବଡ଼ ଲମ୍ଫ ମାରିଛନ୍ତି। ଚଟ୍ଟୋଗ୍ରାମ ଟେଷ୍ଟ୍‌ରେ ୮ ୱିକେଟ୍‌ ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର କରାୟତ୍ତ କରିଥିବା କୁଲ୍‌ଦୀପ (୪୫୫ ପଏଣ୍ଟ୍‌) ୧୯ ସ୍ଥାନ ଉଠି ୪୯ତମ ସ୍ଥାନରେ ପହଞ୍ଚିଯାଇଛନ୍ତି। ତେବେ ଆହତ ଯୋଗୁଁ ଏହି ଶୃଙ୍ଖଳାରୁ ବଞ୍ଚିତ ରହିଥିବା ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା (ଚତୁର୍ଥ) ଏବଂ ଆର୍‌ ଅଶ୍ବିନ (ପଞ୍ଚମ) ଶୀର୍ଷ-୫ରେ ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି।

ବ୍ୟାଟର୍‌ଙ୍କ ମାନ୍ୟତା ତାଲିକାରେ ଚେତେଶ୍ବର ପୂଜାରା (୬୬୪ ପଏଣ୍ଟ୍‌) ଏବଂ ଯୁବ ଓପ୍‌ନର ଶୁବମନ ଗିଲ୍‌ (୫୧୭ ପଏଣ୍ଟ୍‌) ପ୍ରତ୍ୟେକ ୧୦ ସ୍ଥାନ ଲମ୍ଫ ମାରି ଯଥାକ୍ରମେ ୧୬ ଓ ୫୪ତମ ସ୍ଥାନରେ ପହଞ୍ଚିଛନ୍ତି। ଶ୍ରେୟସ ଆୟର ମଧ୍ୟ ୧୧ ସ୍ଥାନ ଉଠି ୨୬ରେ ପହଞ୍ଚିଥିଲା ବେଳେ ଋଷଭ ପନ୍ତ୍‌ (ଷଷ୍ଠ) ଏବେ ବି ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଭାରତୀୟ ରହିଛନ୍ତି। ଅଧିନାୟକ ରୋହିତ ଶର୍ମା ନବମ ଏବଂ ବିରାଟ କୋହଲି ଗୋଟିଏ ସ୍ଥାନ ଉଠି ଦ୍ବାଦଶରେ ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର