ବଢ଼ୁଛି ବିଜେଡି ଅନ୍ତଃ କନ୍ଦଳ: ସାଂସଦ-ବିଧାୟକ ଗୋଷ୍ଠୀ ମୁହାଁମୁହିଁ

ଶିଳାନ୍ୟାସକୁ ନେଇ ଆରମ୍ଭ ହୋଇଛି ହଟଚମଟ

ଅନୁଗୁଳ : ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। କିନ୍ତୁ ଏହି ସମୟ‌ରେ ଜିଲ୍ଲାରେ ବାହାରିଛି ବିଜେଡିର ପୁରୁଣା ରୋଗ। ଦଳର ଆଭ୍ୟନ୍ତରୀଣ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଡିଏମ୍‌ଏଫ୍‌ ପାଣ୍ଠିରୁ ବିଭିନ୍ନ ବିଦ୍ୟାଳୟର ଉନ୍ନତି ଲାଗି ଅନୁଦାନ ଦିଆଯାଇଥିଲାବେଳେ ଏହାର ଶିଳାନ୍ୟାସ ଓ ଠିକାଦାରୀକୁ ନେଇ ଢେଙ୍କାନାଳ ସାଂସଦ ଓ ଅନୁଗୁଳ ବିଧାୟକଙ୍କ ଗୋଷ୍ଠୀ ଭିତରେ ଟଣାଓଟରା ଚାଲିଛି।

ସୂଚନା ଅନୁସାରେ, ଅନୁଗୁଳ ଓ ବଅଁରପାଳ ବ୍ଲକ୍‌ର ବିଭିନ୍ନ ବିଦ୍ୟାଳୟର ଉନ୍ନତୀକରଣ ପାଇଁ ଡିଏମଏଫ୍‌ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯାଇଛି। ଅନୁଗୁଳ ବ୍ଳକ୍‌ରେ ୩୬ଟି ବିଦ୍ୟାଳୟ ଓ ବଅଁରପାଳ ବ୍ଲକ୍‌ରେ ୫୪ଟି ବିଦ୍ୟାଳୟର ଉନ୍ନତୀକରଣ କରାଯିବ। ଏହିସବୁ ବିଦ୍ୟାଳୟର କାମ ଆରମ୍ଭ ନେଇ ଏବେ ଶିଳାନ୍ୟାସ କରାଯାଉଛି। ଆଉ ଏହାକୁ ନେଇ ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଗୋଷ୍ଠୀ ଭିତରେ ବିବାଦ ଆରମ୍ଭ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଡିଏମଏଫ୍‌ ପାଣ୍ଠିରୁ ନିର୍ମାଣ ହେବାକୁ ଥିବା ବିଦ୍ୟାଳୟଗୁଡ଼ିକରେ ତାଙ୍କ ସମର୍ଥକଙ୍କୁ କାମ ଦେବାପାଇଁ ସାଂସଦ ଶ୍ରୀ ସାହୁ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ଠିକାଦାରମାନଙ୍କ ନାମ ବି ଲେଖା ହୋଇଛି। ଅପରପକ୍ଷେ, ବିଧାୟକ ରଜନୀକାନ୍ତ ସିଂହଙ୍କ ସମର୍ଥକ ଏହାକୁ ଗ୍ରହଣ କରି ପାରିନାହାନ୍ତି। ଉଭୟ ଅନୁଗୁଳ ଓ ବଅଁରପାଳ‌ ପଞ୍ଚାୟତ ସମିତିର ଅଧ୍ୟକ୍ଷ ହେଉଛନ୍ତି ବିଧାୟକଙ୍କ ଗୋଷ୍ଠୀର। ତେଣୁ ସେମାନଙ୍କୁ ନେଇ ବିଧାୟକ ଗୋଷ୍ଠୀ ଏହି ବିଦ୍ୟାଳୟର ଶିଳାନ୍ୟାସ କରୁଥିଲାବେଳେ ସାଂସଦ ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନଙ୍କୁ ନେଇ ବିଭିନ୍ନ ବିଦ୍ୟାଳୟର ଶିଳାନ୍ୟାସ କରୁଛନ୍ତି। ସ୍ଥିତି ଏମିତି ହେଉଛି ଯେ, ଗୋଟିଏ ବିଦ୍ୟାଳୟ ପାଇଁ ଦୁଇ ଦୁଇଥର ଶିଳାନ୍ୟାସ ହେବା ସହ ଫଳକ ‌ପୋତାଯାଇଛି। ଗୋଟିଏ କାମକୁ ଗୋଟିଏ ଦଳର ଦୁଇ ନେତା ପୃଥକ୍‌ ପୃଥକ୍‌ ଭାବେ ଶିଳାନ୍ୟାସ କରିବା ବିଜେଡି କନ୍ଦଳକୁ ପଦାରେ ପକାଇଛି।

ଅନୁଗୁଳ ବ୍ଳକ୍‌ ପୋକତୁଙ୍ଗା, କାଙ୍ଗୁଲା ଓ ଚମ୍ପତ୍ତିମୁଣ୍ଡାରେ ଏହି ଫଳକ ସ୍ଥାପନ ନେଇ ବିଧାୟକ ଓ ସାଂସଦ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏପରିକି ଉଭୟ ଗୋଷ୍ଠୀ ଭିତରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଛି। ଏପଟେ ବଅଁରପାଳ ବ୍ଲକ୍‌ ଗଡ଼ସନ୍ତ୍ରୀ ଓ ବଳରାମପ୍ରସାଦରେ ମଧ୍ୟ ସମାନ ଅବସ୍ଥା। ଗଡ଼ସନ୍ତ୍ରୀରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶିଳାନ୍ୟାସ କରିବାର କିଛିସମୟ ପରେ ସାଂସଦଙ୍କ ସମର୍ଥକ ଶିଳାନ୍ୟାସ କରିଥିଲେ।

ବିଭିନ୍ନ ବିଦ୍ୟାଳୟର ଉନ୍ନତୀକରଣ କାମ ନେଇ ସାଂସଦ ଓ ବିଧାୟକଙ୍କ ଭିତରେ ଟଣାଓଟରା ଚାଲିଥିଲାବେଳେ ଏହିସବୁ କାମ କେମିତି ହେବ, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏପଟେ ଏହି ବିବାଦ ଆଗକୁ ବିଜେଡିକୁ ଅଡ଼ୁଆରେ ପକାପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର