କର୍ଣ୍ଣାଟକ ବିପକ୍ଷ ଦ୍ବିପାକ୍ଷିକ ଦୃଷ୍ଟିହୀନ ମହିଳା କ୍ରିକେଟ୍: ରୋମାଞ୍ଚକର ବିଜୟ ସହ ଓଡ଼ିଶା ବିଜେତା

ଭୁବନେଶ୍ବର: ଶେଷ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ସହ କର୍ଣ୍ଣାଟକ ବିପକ୍ଷ ଦ୍ବିପାକ୍ଷିକ ଦୃଷ୍ଟିହୀନ ମହିଳା କ୍ରିକେଟ୍ ଶୃଙ୍ଖଳାରେ ଓଡ଼ିଶା ବିଜେତା ଆଖ୍ୟା ଅର୍ଜନ କରିଛି। ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ୦-୧ରେ ପଛୁଆ ଥିବା ଓଡ଼ିଶା ଦଳ ଦ୍ବିତୀୟ ମୁକାବିଲାକୁ ୨୦ ରନ୍‌ ଜିତି ସ୍ଥିତି ୧-୧ କରି ନେଇଥିଲା। ଲଗାଣ ବର୍ଷା ପାଇଁ ୧୦ ଓଭରକୁ କମାଇ ଦିଆଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ବିନା ୱିକେଟ୍‌ରେ ୮୯ ରନ୍ କରିଥିଲା। ଏହାର ଜବାବରେ ଘରୋଇ କର୍ଣ୍ଣାଟକ ୫ ୱିକେଟ୍ ହରାଇ ମାତ୍ର ୬୯ ରନ୍ କରିପାରିଥିଲା। ଓଡ଼ିଶା ଦଳର ପରିପକ୍ବତା ଏବଂ ପ୍ରଚଣ୍ଡ ପ୍ରତିଭାର ପରିଚୟ କିନ୍ତୁ ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ଶେଷ ମୁକାବିଲାରେ ‌ଦେଖିବାକୁ ମିଳିଥିଲା। ଏହି ଉତ୍କଣ୍ଠାପୂର୍ଣ୍ଣ ଲଢ଼େଇରେ ପୁଣି ବର୍ଷା ବ୍ୟା‌ଘାତ ଦେଖିବାକୁ ମିଳିଥିଲା। ଫଳରେ ମ୍ୟାଚ୍‌କୁ ୮ ଓଭର ବିଶିଷ୍ଟ କରାଯାଇଥିଲା।

ଏଥିରେ ଓଡ଼ିଶା ୫ ୱିକେଟ୍ ବିନିମୟରେ ୭୪ ରନ୍ କରିଥିଲା। ଝିଲି ୨୧ ଏବଂ ରଚନା ୧୪ ରନ୍ କରିଥିଲେ। ୭୫ ରନ୍‌ର ବିଜୟ ଲକ୍ଷ୍ୟ ‌ନେଇ ବ୍ୟାଟିଂ ଆରମ୍ଭ କରିଥିବା କର୍ଣ୍ଣାଟକ ୭ ଓଭରରେ ୬୪ ରନ୍ କରି ନେଇଥିଲା। ଫଳରେ ବିଜୟ ପାଇଁ ଶେଷ ୬ ବଲ୍‌ରୁ ଏହି ଦଳକୁ ଆଉ ମାତ୍ର ୧୨ ରନ୍‌ର ଦରକାର ଥିଲା। କର୍ଣ୍ଣାଟକ କିନ୍ତୁ କେବଳ ୯ ରନ୍ କରି ପାରିଥିଲା। ଫଳରେ ୨ ରନ୍‌ରେ ମ୍ୟାଚ୍ ସହ ଶଷ ଶୃଙ୍ଖଳାକୁ ଜିତି ନେଇଥିଲା ଓଡ଼ିଶା। ଚମତ୍କାର ବୋଲିଂ ଓ କ୍ଷେତ୍ରରକ୍ଷଣ କରିଥିବା ପାର୍ବତୀ ଟୁଡୁଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା। ୨୦୧୮ ମସିହା‌ରୁ କୌଣସି ଜାତୀୟସ୍ତରୀୟ ପ୍ରତିଯୋଗିତା ହାରି ନଥିବା ଓଡ଼ିଶା ମହିଳା ଦୃଷ୍ଟିହୀନ କ୍ରିକେଟ୍ ଦଳକୁ ଏହି ସଫଳତା ଲାଗି ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଭିୟୁଜ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ସନ୍ୟାସି କୁମାର ବେ‌ହେରା , ପ୍ରଜ୍ଞା ପାରମିତା ବେହେରା, ବିରଞ୍ଚି ନାରାୟଣ ସାହୁ, ଅଶୋକ କୁମାର ସାହୁ, ଯୋଗେନ୍ଦ୍ର ଜାନି, ଅର୍ପିତା ମହାପାତ୍ର, ପ୍ରକାଶ ରଥ ଏବଂ କ୍ୟାଭି ଓଡ଼ିଶାର ସଭାପତି ତଥା ଅନ୍ତର୍ଜାତୀୟ ଦୃଷ୍ଠିହୀନ କ୍ରିକେଟର୍‌ ମହମ୍ମଦ ଜାଫର ଇକବାଲ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର