ସିଏସ୍‌କେ ପାଇଁ ଧୋନିଙ୍କ ପରବର୍ତ୍ତୀ ୧୦ ବର୍ଷ ଚିନ୍ତା: ଜାଦେଜାଙ୍କ ଦ୍ବିଶତକ, ଡୁ’ପ୍ଲେସିସ୍‌ଙ୍କ ଶତକ

ଦୁବାଇ: ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ଚତୁର୍ଥ ଥର ଆଇପିଏଲ୍ ମୁକୁଟ ବିଜେତା କରିବା ପରେ ମହେନ୍ଦ୍ର ସିଂହ ‌ଧୋନି କହିଛନ୍ତି ଫ୍ରାଞ୍ଚାଇଜ୍‌ ଏବେ କେଉଁ ଖେଳାଳିମାନଙ୍କୁ ଆଗାମୀ ମେଗା ନିଲାମ ପୂର୍ବରୁ ବଜାୟ ରଖିବ ବିଚାର କରିବ। ସିଏସ୍‌କେ ପାଇଁ ପରବର୍ତୀ ୧୦ ବର୍ଷ‌ ଭଲ କରିବାର ପ୍ରତିଶ୍ରୁତି ଏବଂ ସମାନ ଢ଼ଙ୍ଗରେ ପ୍ରଦର୍ଶନ ଦେଇପାରୁଥିବା ଖେଳାଳିଙ୍କୁ ନିଶ୍ଚିତ ଆଭ୍ୟନ୍ତରୀଣ ଗୋଷ୍ଠୀରେ ରଖାଯିବ। ବ୍ୟକ୍ତିଗତ ଭାବେ ଧୋନି କିନ୍ତୁ ଆଉ ଖେଳିବେ କି ନା ସ୍ପଷ୍ଟ କରିନାହାନ୍ତି। ହଳଦିଆ ଜର୍ସି ସହିତ ଆସନ୍ତା ଋତୁରେ ରହିବେ ବୋଲି କିନ୍ତୁ ପୂର୍ବରୁ ସେ କହି ସାରିଛନ୍ତି। ଫ୍ରାଞ୍ଚାଇଜ୍ ପାଇଁ ଯେଉଁ ନିଷ୍ପତ୍ତି ଶ୍ରେଷ୍ଠ ବିବେଚିତ ହେବ ତାହା ନେବେ ବୋଲି ପ୍ରକାଶ କରିଛନ୍ତି।

୨୦୦୮ ମସିହାରୁ ଯେଭଳି ଭାବେ ଆମେ କରି ଆସିଛୁ ସେଭଳି ଦୃଢ଼ ଆଭ୍ୟନ୍ତରୀଣ ଗୋଷ୍ଠୀ ଗଠନର ଆବଶ୍ୟକତା ରହିଛି। ପରବର୍ତୀ ଋତୁରୁ ୧୦ ଦଳୀୟ ଆଇପିଏଲ୍‌ ଖେଳାଯିବାକୁ ଥିବାବେଳେ ୨୦୨୨ ଜାନୁଆରିରେ ମେଗା ନିଲାମ କରାଯିବ। ଏଥି ପୂର୍ବରୁ ଚେନ୍ନାଇ ମଧ୍ୟ କିଛି‌ ପୁରୁଖା ଖେଳାଳିଙ୍କୁ ଛାଡ଼ିଦେବ। ୨୦୨୫ ପୂର୍ବରୁ ଆଉ ନିଲାମ ହେବାର ସୁଯୋଗ ରହିବ ନାହିଁ। କ୍ରିକେଟ୍ ବି‌ଶାରଦ ମା‌ନେ କିନ୍ତୁ ବିଶ୍ବାସ କରୁଛନ୍ତି ଧୋନି ଆଉ ‌ଖେଳାଳି ଭାବେ ନୁହେଁ, ପ୍ରଶିକ୍ଷକ କିମ୍ବା ମାର୍ଗଦର୍ଶକ ଭାବେ ସିଏସ୍‌କେ ସହ ଜଡ଼ିତ ରହିବେ।

କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ଫାଇନାଲ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ଏବଂ ଓପନର ଫାଫ୍ ଡୁ’ପ୍ଲେ ସିସ୍ ଯଥାକ୍ରମେ ନିଜ ନିଜର ୨୦୦ ଏବଂ ୧୦୦ତମ ଆଇପିଏଲ୍ ମ୍ୟାଚ୍ ଖେଳିଥି‌ଲେ। ଉଭୟଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ଦଳ ଟ୍ବିଟ୍ କରି ସଲାମ କରିଥିଲା। ଚେନ୍ନାଇ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଡୁ’ପ୍ଲେସିସ୍ ଚଳିତବର୍ଷ ୧୫ ମ୍ୟାଚ୍ ଖେଳି ୫୪୭ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଜାଦେଜା ୧୫ ମ୍ୟାଚ୍‌ରୁ ୨୨୭ ରନ୍ କରିବା ସହ ୧୧ ୱିକେଟ୍ ହାସଲ କରିଛନ୍ତି। ଆଇପିଏଲ୍ କ୍ୟାରିୟରରେ ଡୁ’ପ୍ଲେସିସ୍ ୨୮୪୯ ଏବଂ ଜାଦେଜା ୨୩୮୬ ରନ୍ କରିଛନ୍ତି। ସ୍ପିନ୍ ବୋଲର ଜାଦେଜା ୧୨୫ ୱିକେଟ୍ ମଧ୍ୟ ନେଇଛନ୍ତି।

ସମ୍ବନ୍ଧିତ ଖବର