ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା, ଦୂତିଙ୍କ ସ୍ବର୍ଣ୍ଣିମ କୀର୍ତ୍ତିମାନ

ଭୁବନେଶ୍ବର: ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ମହିଳା ୧୦୦ ମିଟର ଦୌଡ଼ରେ ଦୌଡ଼ରାଣୀ ଦୂତି ଚାନ୍ଦ ଆଶାଜନକ ଭାବେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ମଧ୍ୟ ନୂଆ ମିଟ୍ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ଇଭେଣ୍ଟରେ ମାଙ୍ଗାଲୋର ବିଶ୍ବବିଦ୍ୟାଳୟର ଏସ୍ ଧନଲକ୍ଷ୍ମୀ (୧୧.୯୯ ସେକେଣ୍ଡ) ଓ ମହାତ୍ମା ଗାନ୍ଧୀ ବିଶ୍ବବିଦ୍ୟାଳୟର ସ୍ନେହା ଏସ୍‌ଏସ୍ (୧୨.୦୮ ସେକେଣ୍ଡ) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ଶନିବାର ସକାଳେ ଅନୁଷ୍ଠିତ ସେମିଫାଇନାଲରେ ୧୧.୫୯ ସେକେଣ୍ଡ ସମୟ ନେଇ ସହଜରେ ଫାଇନାଲ୍ ଟିକେଟ ହାସଲ କରି ନେଇଥିଲେ ଦୂତି। ସେହିଭଳି ଅପରାହ୍ନରେ ଅନୁଷ୍ଠିତ ଫାଇନାଲରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ୧୧.୪୯ ସେକେଣ୍ଡରେ ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ସେ ମଧ୍ୟ ବିଶ୍ବବିଦ୍ୟାଳୟସ୍ତରୀୟ ‌ଦୌଡ଼କୁଦରେ ଏମ୍‌ଜି ବିଶ୍ବବିଦ୍ୟାଳୟର ଏନଏସ୍ ସାମି ସ୍ଥାପନ କରିଥିବା କୀର୍ତ୍ତିମାନ ଭାଙ୍ଗିଛନ୍ତି। ସାମି ୨୦୧୮ରେ କର୍ଣ୍ଣାଟକର ମୁଦୁବିଦ୍ରିଠାରେ ଅନୁଷ୍ଠିତ ୭୯ତମ ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୧୦୦ ମିଟରକୁ ୧୧.୫୬ ସେକେଣ୍ଡରେ ପୂରଣ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଦୂତି ତାଙ୍କଠାରୁ .୦୭ ସେକେଣ୍ଡ କମ୍ ସମୟ ନେଇଛନ୍ତି। ତେବେ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଛୁଇଁ ପାରିନାହାନ୍ତି। ତଥାପି ନିଜ ପ୍ରଦର୍ଶନରେ ସନ୍ତୁଷ୍ଟ ଥିବା ଦୂତି କହିଛନ୍ତି। ପଦକ ଜିତିବା ପରେ ଦୂତି କହିଛନ୍ତି ଯେ ‌ମୋ ପାଇଁ ଚଳିତ ବର୍ଷର ଏହା ପ୍ରଥମ ପଦକ। ସେଥିପାଇଁ ବହୁତ ଖୁସି ଲାଗୁଛି। ମୁଁ ୧୧.୫୦ ସେକେଣ୍ଡ ତଳକୁ ଯିବା ଲକ୍ଷ୍ୟ ରଖିଥିଲି, ତାହା ପୂରଣ କରିଛି। ତା’ ସହ ନୂଆ ମିଟ୍ କୀର୍ତ୍ତିମାନ ମଧ୍ୟ ସ୍ଥାପନ କରିଛି। ଏଠାରେ ସେତେଟା ପ୍ରତିଦ୍ବନ୍ଦ୍ବିତା ନଥିଲା। ଏଣୁ ୧୧.୧୫ ସେକେଣ୍ଡ ସମୟ ଛୁଇଁ ପାରିଲି ନାହିଁ। କାରଣ ମୋତେ ଯେତେ ଟକ୍କର ମିଳିବ ସେତେଭଲ। ଆଗାମୀ ପ୍ରତିଯୋଗିତାରେ ମୁଁ ଆଉ ୧୫-୨୦ ସେକେଣ୍ଡ ତଳକୁ ଯିବାକୁ ଲକ୍ଷ୍ୟ ରଖିଛି। ମୁଁ ଏବେ ପୂରା ଫିଟ୍ ଅଛି। ତେବେ ମୋତେ ମୋ ସମୟରେ ଉନ୍ନତି ଆଣିବାକୁ ହେବ। ଅଲିମ୍ପିକ୍ସ ଯୋଗ୍ୟତା ଲାଗି ଦିନକୁ ୬-୭ ଘଣ୍ଟା ପ୍ରସ୍ତୁତି କରୁଛି। ୧୦୦ ମିଟର ସହ ଦୂତି ମଧ୍ୟ ୨୦୦ ମିଟରରେ ଅଂଶଗ୍ରଂହଣ କରୁଛନ୍ତି। ରବିବାର ପ୍ରତିଯୋଗିତାର ଶେଷ ଦିନରେ ସେ ୨୦୦ ମିଟର ଦୌଡ଼ରେ ଅବତୀର୍ଣ୍ଣ ହେବେ। ଏଥିରେ ପ୍ରଥମ ସ୍ଥାନ ଅଧିକାର କରି ଆଉ ଏକ ଯୁଗଳ ସଫଳତା ନିଜ ନାମରେ କରିନେବା ଲକ୍ଷ୍ୟରେ ଅଛନ୍ତି। ମହିଳା ୧୦୦ ମିଟର ଦୌଡ଼ର ୮ ଜଣିଆ ଫାଇନାଲରେ ଉତ୍କଳ ବିଶ୍ବବିଦ୍ୟାଳୟର ଦୀପାଳି ମହାପାତ୍ର (୧୨.୩୫ ସେକେଣ୍ଡ) ଓ ବିନତୀ ବେହେରା (୧୩.୨୪ ସେକେଣ୍ଡ) ଯଥାକ୍ରମେ ପଞ୍ଚମ ଓ ଅଷ୍ଟମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର