ଦୌଡ଼କୁଦରେ ଗ୍ଲାମର୍‌ ଭରୁଛନ୍ତି ହରମିଲାନ, ସାମାଜିକ ଗଣମାଧ୍ୟମ ପୋଷ୍ଟ ସହ ଯୁଗଳ ସ୍ବର୍ଣ୍ଣକୁ ନେଇ ଚର୍ଚାରେ

ଭୁବନେଶ୍ବର: ପଞ୍ଜାବୀ ବିଶ୍ବବିଦ୍ୟାଳୟର ଲମ୍ବ ଦୂର ଧାବିକା ହରମିଲାନ କୌର ବେନ୍ସ ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ‘ଗ୍ଲାମର କୁଇନ୍’ ଆଖ୍ୟା ଲାଭ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ନିଜର ଆକର୍ଷଣୀୟ ଫଟୋ ପ୍ରକାଶ କରି ଢେର ଲୋକପ୍ରିୟତା ସାଉଣ୍ଟିଥିବା ଏହି ହୋସିଆରପୁର ଝିଅ କଳିଙ୍ଗ ଷ୍ଟାଡିୟମ୍ ଆଥ୍‌ଲେଟକ୍ ଟ୍ରାକ୍‌ରେ ନିଜ ଯାଦୁ ଦେଖାଇଛନ୍ତି। ୨୧ ବର୍ଷୀୟା ହରମିଲାନ ଦୁଇ ଦିନରେ ଦୁଇଟି ସ୍ବର୍ଣ୍ଣ ଜିତି ନିଜ କ୍ରୀଡ଼ା ଦକ୍ଷତାର ବଳିଷ୍ଠ ନମୁନା ଦେଇଛନ୍ତି। ତା’ ସହ ନିଜ ନିଆରା ଷ୍ଟାଇଲ୍ ଏବଂ କେଶସଜ୍ଜାରେ ଦୌଡ଼କୁଦ ପ୍ରତିଯୋଗିତାରେ ଗ୍ଲାମର ଭରି ଦେଇଛନ୍ତି। ଶୁକ୍ରବାରର ୧୫୦୦ ମିଟର ଦୌଡ଼ରେ ନୂଆ କୀର୍ତ୍ତିମାନ ସହ ସ୍ବର୍ଣ୍ଣିମ ସଫଳତା ଲାଭ କରିଥିଲେ ସେ। ଏହା ମଧ୍ୟ ଚଳିତ ବର୍ଷ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ଭାରତୀୟଙ୍କ ମଧ୍ୟରେ ମହିଳା ୧୫୦୦ ମିଟରର ଦ୍ରୁତତମ ଦୌଡ଼ ଥିଲା। ଶନିବାର ପୁଣି ଥରେ ନିଜ ଆଥ୍‌ଲେଟିକ୍ ଟ୍ରାକରେ ଚମକ ଦେଖାଇ ହରମିଲାନ ମହିଳା ୮୦୦ ମିଟର ଦୌଡ଼ର ପ୍ରଥମ ସ୍ଥାନ ଅଧିକାର କରି ନେଇଛନ୍ତି। ଏହା ପୂର୍ବରୁ ହରମିଲାନ କନିଷ୍ଠ ଏସୀୟ ଦୌଡ଼କୁଦରେ ପଦକ ଜିତିଥିଲେ। ସେ ମଧ୍ୟ ପୋଲାଣ୍ଡରେ ଅନୁଷ୍ଠିତ ହୋଇଥିବା ବିଶ୍ବ କନିଷ୍ଠ ଦୌଡ଼କୁଦର ୧୫୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିସାରିଛନ୍ତି। କନିଷ୍ଠ ସ୍ତରୀୟ ଦୌଡ଼କୁଦର ୧୫୦୦ ଓ ୮୦୦ ମିଟର ଦୌଡ଼ କୀର୍ତ୍ତିମାନ ମଧ୍ୟ ତାଙ୍କ ନାଁ’ରେ ରହିଛି। ଭୁବନେଶ୍ବରରେ ଯୁଗଳ ସ୍ବର୍ଣ୍ଣ ଜିତିବା ପରେ ଆଗକୁ ସେ ଫେଡେରେସନ୍ କପ୍‌ରେ ଏହି ସଫଳତା ଦୋହରାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ହରମିଲନ କହିଛନ୍ତି। ସର୍ବଭାରତୀୟ ସିବିଏସଇ କ୍ରୀଡ଼ାରେ ଆଧିପତ୍ୟ ବିସ୍ତାର କରିବା ପରେ ୧୫୦୦ ଓ ୮୦୦ ମିଟରକୁ ନିଜ ପ୍ରିୟ ଇଭେଣ୍ଟ୍‌ ଭାବେ ଗ୍ରହଣ କରିଥିବା ହରମିଲନଙ୍କ ଲକ୍ଷ୍ୟ ହେଲା ଅଲିମ୍ପିକ୍ସ ପୋଡିୟମରେ ଠିଆ ହୋଇ ସମଗ୍ର ଭାରତ ବର୍ଷକୁ ଗର୍ବିତ କରିବା। ନିଜ ସଫଳତାର ଶ୍ରୟ ସେ ପିତା-ମାତା ଓ ପ୍ରଶିକ୍ଷକଙ୍କୁ ଦେଇଛନ୍ତି। ହରମିଲନଙ୍କ ଜନ୍ମ ଏକ କ୍ରୀଡ଼ାବିତ୍ ପରିବାରରେ ହୋଇଥିଲା ବେଳେ ତାଙ୍କ ପିତା-ମାତା ଦୁଇ ଜଣ ଯାକ ଅମନଦୀପ ଓ ମାଧୁରୀ ବେନ୍ସ ଅନ୍ତର୍ଜାତୀୟ ଧାବକ। ଅମନଦୀପ ୧୯୯୬ ଦକ୍ଷିଣ ଏସୀୟ କ୍ରୀଡ଼ା ୧୫୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଜିତିଥିଲେ। ମାଧୁରୀ ୨୦୦୨ ବୁସାନ ଏସୀୟ କ୍ରୀଡ଼ାର ୮୦୦ ମିଟରରେ ରୌପ୍ୟ ପଦକ ପାଇଥି‌ଲେ। ସେ ମଧ୍ୟ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଛନ୍ତି।

ସମ୍ବନ୍ଧିତ ଖବର