ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ: ଟ୍ରାକ୍ ଯାଞ୍ଚ ପାଇଁ ଗଡ଼ିଲା ଇଂଜିନ୍

କେନ୍ଦ୍ରାପଡ଼ା : ବହୁ ପ୍ରତୀକ୍ଷିତ ହରିଦାପୁର-ପାରାଦୀପ ରେଳ ଲାଇନ୍‌ ଦବିବା ତଥା ମାଟି ଧସିବାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଥିବା ବେଳେ ଆଜି ଏହି ଟ୍ରାକ୍ ଉପରେ ରେଳ ଇଂଜିନ୍‌ ଗଡ଼ିଛି। ଟ୍ରାକ୍ ସ୍ଥିତି ଯାଂଚ ପାଇଁ ଏଭଳି କରାଯାଇଥିବା ସୂଚନା ମିଳିଛି। ସୂଚନାନୁଯାୟୀ, ଏହି ରେଳ ପ୍ରକଳ୍ପ ବିଳମ୍ବକୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଛି। ଏଭଳି ସ୍ଥିତିରେ ତ୍ରୁଟିପୂର୍ଣ୍ଣ କାମ ଯୋଗୁ ଗତ ଜାନୁଆରି ୧୩ ତାରିଖରେ ଜମ୍ଭୁ-ମାର୍ଶାଘାଇ କେନାଲ ବ୍ରିଜ୍‌ ଉତ୍ତର ପାର୍ଶ୍ବ ଗୋସେଇଁବନ୍ଧ(ଦୁମୁକା)ରେ ମାଟି ଦବିଯିବା ସହ ରେଳ ରାସ୍ତାରେ ବିରାଟ ଫାଟ ସୃଷ୍ଟି ହୋଇଥିଲା। ଏପରିକି ରେଳପଥ ପାର୍ଶ୍ବରେ ଥିବା ‌ଲୋକଙ୍କ ଘର କାନ୍ଥ ଫାଟିବା ସହ କେତେଙ୍କ ଘର ଉପରକୁ ମାଟି ମାଡ଼ି ଯାଇଥିଲା। ଗଛ, ବିଦ୍ୟୁତ୍ ଖୁଣ୍ଟ ବି ଭୁଶୁଡ଼ି ପଡ଼ିଥିଲା। ଫଳରେ କାମର ମାନକୁ ନେଇ ପ୍ରଶ୍ନ ଉଠିଥିଲା। ଏପରିସ୍ଥଳେ କର୍ତୃପକ୍ଷ ଆଜି ରେଳ ଟ୍ରାକ୍‌ରେ ଇଂଜିନ ଗଡ଼ାଇ ସ୍ଥିତି ପରଖିଛନ୍ତି। ହରିଦାସୁରରୁ ଏହି ଇଂଜିନ୍ ଗଡ଼ିଆ ଆରମ୍ଭ କରିଥିଲା। ଗୋପ ଯାଏ ଇଂଜିନ୍ ଯାଇଥିବା ବେଳେ ବିଶେଷଜ୍ଞ ଦଳ, ଇଂଜିନିୟର ସମେତ ରେଳବାଇ କର୍ତୃପକ୍ଷ ଟ୍ରାକ୍ ସ୍ଥିତି ଯାଂଚ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର