ଆଜିଠୁ ଓଡ଼ିଶା ବୁଲିବ ବିଶ୍ବକପ୍‌ ଟ୍ରଫି

ଭୁବନେଶ୍ବର: ସାରା ଭାରତ ବୁଲିବା ପରେ ରବିବାରଠାରୁ ଓଡ଼ିଶା ପରିକ୍ରମା କରିବ ଏଫଆଇଏଚ୍‌ ବିଶ୍ବକପ୍‌ ଟ୍ରଫି। ରବିବାର ପ୍ରଥମ ଦିବସରେ ଟ୍ରଫି ଭୁବନେଶ୍ବର ପରିକ୍ରମା କରିବ। ଏହାକୁ ସ୍ବାଗତ କରିବାକୁ ବିଏମ୍‌ସି ଜୋରଦାର୍‌ ପ୍ରସ୍ତୁତି କରିଛି। ପୂର୍ବାହ୍ନ ୧୧ଟା ୩୦ରେ ଟ୍ରଫି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବ। ସେଠାରେ ଯୋଡ଼ି ଶଙ୍ଖ ଓ ଓଡ଼ିଶୀ ନାଚ ସହ ଏହାକୁ ସ୍ବାଗତ କରାଯିବ। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରୁ ୧୨ଟା ୩୦ରେ ଏକ ବୁଲେଟ ଶୋଭାଯାତ୍ରାରେ ଟ୍ରଫିକୁ ଶିଶୁଭବନ ଛକ, ମାଉସୀମା ଆରଓବି, ରଥ ରୋଡ୍‌ ଦେଇ ଲିଙ୍ଗରାଜ ମନ୍ଦିର ନିଆଯିବ। ସେଠାରେ ମନ୍ତ୍ରୀ ଅଶୋକ ପଣ୍ଡା ସ୍ବାଗତ କରିବେ। ସେଠାରେ ପୁରୀରୁ ଆସିଥିବା ଶହେ ପଣ୍ଡିତ ବେଦ ପାଠ କରିବେ।

ଅପରାହ୍ଣ ୧ଟା ୨୦ ମିନିଟ୍‌ରେ ସେଠାରୁ ଟ୍ରଫି ଶୋଭାଯାତ୍ରାରେ କଳ୍ପନା ଛକ, କଟକ ରୋଡ୍‌ ଦେଇ ଏସପ୍ଲାନେଡ୍‌ ଗାର୍ଡେନ ପହଞ୍ଚିବ। ୨ଟା ୨୦ ମିନିଟ୍‌ରେ ସେଠାରୁ ବାହାରି ଜାତୀୟ ରାଜପଥ ଦେଇ ଫାୟାର ଷ୍ଟେସନ, କଳିଙ୍ଗ ଷ୍ଟୁଡିଓ ଛକ, ସମ୍‌ ହସ୍‌ପିଟାଲ ଛକ ଦେଇ ସୋଆର ନୂଆ ଖେଳ ପଡ଼ିଆ ପହଞ୍ଚିବ। ସେଠାରୁ ୩ଟା ୨୦ରେ ବାହାରି ଜୟଦେବ ବିହାର ଦେଇ କିଟ୍‌ ବିଶ୍ବବିଦ୍ୟାଳୟ ପଡ଼ିଆ(ଫାଟକ-୨ ଦେଇ) ପହଞ୍ଚିବ। ସେଠାରୁ ୪ଟା ୩୦ରେ ନୟାଗଡ଼ ଅଭିମୁଖେ ବାହାରିବ। ପରବର୍ତୀ ଦିନ ଗୁଡିକରେ ଏହା ସମସ୍ତ ୩୦ ଜିଲା ବୁଲିବ।

ସମ୍ବନ୍ଧିତ ଖବର