ଭାରତ-ଇଂଲଣ୍ଡ ଦ୍ବିତୀୟ ଟ୍ବେଣ୍ଟି-୨୦ ଆଜି: ପରାଜୟ ପରେ ପ୍ରତ୍ୟାବର୍ତ୍ତନ ଆଶା

ଅହମଦାବାଦ: ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା‌ରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ କ୍ରିକେଟ୍ ଦଳ ରବିବାର ଖେଳାଯିବାକୁ ଥିବା ଦ୍ବିତୀୟ ମୁକାବିଲାକୁ ଜିତି ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ରହିଛି। ପାଞ୍ଚ ଟିକିଆ ଶୃଙ୍ଖଳାରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ୧-୦ରେ ଆଗୁଆ ରହିଛି। ତିନି ମାସ ପରେ ଧଳା ବଲ୍ କ୍ରିକେଟ୍ ଖେଳିଥିବା ଭାରତ ଏହି ମ୍ୟାଚ୍‌ରେ ଦୟନୀୟ ବ୍ୟାଟିଂ କରିଥିଲା ବେଳେ ମଧ୍ୟକ୍ରମରେ ଶ୍ରେୟସ୍ ଆୟରଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ପାଇଁ ୧୦୦ ରନ୍ ଟପି ପାରିଥିଲା। ଇଂଲଣ୍ଡ ଦ୍ରୁତ ବୋଲର ହିଁ ଭାରତର ଘୋର ବିପର୍ଯ୍ୟୟ ଘଟାଇଥିଲେ। ରୋହିତ ଶର୍ମାଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ବିଶ୍ରମ ଦେଇ ଭାରତୀୟ ଅଧିନାୟକ ବିରାଟ କୋହଲି ଯେଉଁ ଜୁଆ ଖେଳିଥିଲେ ଶେଷରେ ତାହା ଦଳ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା।

କେଏଲ୍ ରାହୁଲ ଓ ଶିଖର ଧାୱନଙ୍କ ଯୋଡ଼ି ବିଶେଷ କିଛି କରି ପାରି ନଥିଲେ। ଋଷଭ ପନ୍ତ ଓ ହାର୍ଦିକ ପାଣ୍ଡ୍ୟା ଭଲ ଆରମ୍ଭ ପାଇଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ରୂପାନ୍ତର କରି ନପାରିବା ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅନ୍ୟପକ୍ଷରେ ଇଂଲଣ୍ଡର ଦୁଇ ପ୍ରତିଭାବାନ ଦ୍ରୁତ ବୋଲର ମାର୍କ ଉଡ୍ ଓ ଜୋଫ୍ରା ଆର୍ଚର ପିଚ୍‌ରୁ ଅତିରିକ୍ତ ଉଚ୍ଛାଳ ଅର୍ଜନ କରି ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଜଣକ ପରେ ଜଣେ ଶିକାର କରି ଚାଲିଥିଲେ। ରବିବାର ହୁଏତ ରୋହିତ ଶର୍ମା ପୁଣି ଥରେ ପାଳି ଆରମ୍ଭ କରି ପାରନ୍ତି। ଏଭଳିହେଲେ ଶିଖର ଧା‌ୱନଙ୍କୁ ନିଜ ସ୍ଥାନ ଛାଡ଼ିବାକୁ ହେବ। ତେବେ ପ୍ରଥମ ମ୍ୟାଚ୍ ପୂର୍ବଦିନ ରୋହିତ ଓ ରାହୁଲ ପାଳି ଆରମ୍ଭ କରିବେ ବୋଲି ଅଧିନାୟକ ବିରାଟ ‌କୋହଲି କହିଥିଲା ବେଳେ ମ୍ୟାଚ୍‌ ବେଳେ ଆଶ୍ଚର୍ଯ୍ୟଜନକ ଢଙ୍ଗରେ ଏହି କଥାକୁ ବଦଳାଇ ଶିଖରଙ୍କୁ ଚୂଡ଼ାନ୍ତ ଏକାଦଶରେ ନେଇଥିଲେ। ଏଣୁ ରବିବାର ମ୍ୟାଚ୍ ଲାଗି ସେ ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କାହାକୁ ଦଳରେ ନେଉଛନ୍ତି କାହାକୁ ନୁହେଁ, ତାହା ଏବେ ରହସ୍ୟ ଘେରରେ ରହିଛି। ସେହିଭଳି କୋହଲିଙ୍କ ନିଜ ଫର୍ମ ଦିନକୁ ଦିନ ଖରାପ ହେବା ମଧ୍ୟ ଦଳ ଉପରେ ବୋଝ ଉପରେ ଲଳିତା ବିଡ଼ା ଭଳି ହୋଇଛି। ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଂଲଣ୍ଡ ଅଧିକ ସନ୍ତୁଳିତ ହୋଇଥିବାରୁ ଆସନ୍ତାକାଲି ମ୍ୟାଚ୍ ମଧ୍ୟ ଏହି ଦଳ ଜିତିବାର ସମ୍ଭାବନା ଅଧିକ। ସେପଟେ ଭାରତ ବିଜୟର ସ୍ବାଦ ଚାଖିବାକୁ ଚାହିଲେ ଏଥିଲାଗି କୋହଲି ବାହିନୀକୁ ନିଜ ରଣନୀତିରେ ବିରାଟ ପରିବର୍ତ୍ତନ ଆଣିବାକୁ ହେବ। ସେହିଭଳି କୋହଲିଙ୍କୁ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ର ରହସ୍ୟଭରା ପିଚ୍‌କୁ ସଠିକ୍ ଭାବେ ପଢ଼ିବାକୁ ପଡ଼ିବ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, କେଏଲ୍ ରାହୁଲ, ଶ୍ରେୟସ୍ ଆୟର, ଋଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ୟୁଝବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ସାର୍ଦୁଲ ଠାକୁର, ନବଦୀପ ସୈନି, ୱାସିଂଟନ୍ ସୁନ୍ଦର।

ସମ୍ଭାବ୍ୟ ଇଂଲଣ୍ଡ: ଇଅନ ମୋର୍ଗାନ (ଅଧିନାୟକ), ଜୋସ୍ ବଟଲର, ଜାସନ ରଏ, ବେନ୍ ‌ଷ୍ଟୋକ୍ସ, ଆଦିଲ ରସିଦ, ମାର୍କ ଉଡ୍, ସାମ୍ କରନ, ଜନି ବେୟାରଷ୍ଟୋ, ଜୋର୍ଫା ଆର୍ଚର, ମୋଇନ ଅଲ୍ଲୀ, ଡେୱିଡ୍ ମଲାନ, କ୍ରିସ୍ ଜୋର୍ଡାନ।

ସମ୍ବନ୍ଧିତ ଖବର