ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍ ତୃତୀୟ ଦିନ: ପୂଜାରା ଦେଲେ ଆଶା

ଲିଡ୍ସ, ୨୭ା୮: ନୂଆ ରୂପରେ ପଡ଼ିଆକୁ ଓହ୍ଲାଇଥିବା ଚେତେଶ୍ବର ପୂଜାରାଙ୍କ ଆକ୍ରମଣାତ୍ମକ ପାଳି ଭାରତକୁ ହେଡିଙ୍ଗ୍‌ଲେ ଟେଷ୍ଟରେ ଆଶାର କିରଣ ଦେଖାଇଛି। ପ୍ରଥମ ପାଳିରେ ୩୫୪ ରନ୍‌ ପଛରେ ଥିବା ଭାରତ ଶୁକ୍ରବାର ତୃତୀୟ ଦିନ ଖେଳ ସୁଦ୍ଧା ୨ ୱିକେଟ୍ ବିନିମୟରେ ୨୧୫ ରନ୍ ସଂଗ୍ରହ କରିନେଇଛି। ବିରାଟ କୋହଲିଙ୍କ ଦଳ ଏବେ ବି ୧୩୯ ରନ୍‌ ପଛରେ ରହିଛି। ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ (୫୯, ୧୫୬ ବଲ୍‌) ପରେ ‌ଚେତେଶ୍ବର ପୂଜାରା (୯୧*, ୧୮୦ ବଲ୍‌) ଏବଂ ବିରାଟ କୋହଲି (୪୫*, ୯୪ ବଲ୍‌)ଙ୍କ ଅତୁଟ ୯୯ ରନ୍ ଭାଗୀଦାରି ଭାରତକୁ ଲଢ଼ୁଆ ପ୍ରତ୍ୟାବର୍ତନର ସୁଯୋଗ ଦେଇଛି।

୮୨ ରନ୍‌, ଶେଷ ୭ ୱିକେଟ୍‌
ଇଂଲଣ୍ଡକୁ ପ୍ରଥମ ପାଳିରେ ୩୫୪ ରନ୍‌ର ବଡ଼ ଅଗ୍ରଣୀ ମିଳିଯାଇଥିଲା ସତ। କିନ୍ତୁ ଭାରତୀୟ ବୋଲରମାନେ ଏହି ଘରୋଇ ଦଳର ଶେଷ ୭ ୱିକେଟ୍‌କୁ ୮୨ ରନ୍‌ ଭିତରେ ଦଖଲ କରିବା ସବୁଠାରୁ ଉଲ୍ଲେଖନୀୟ ଥିଲା। ଇଂଲଣ୍ଡ ଶୁକ୍ରବାର ମାତ୍ର ୯ ରନ୍‌ ଯୋଡ଼ି ଶେଷ ଦୁଇ ୱିକେଟ୍ ହରାଇଥିଲା। ସବୁ ରନ୍‌ ପ୍ରାୟ କ୍ରେଗ୍‌ ଓଭରଟନ୍ (୩୨) ସଂଗ୍ରହ କରିଥିଲେ। ଓଭରଟନ୍‌ଙ୍କୁ ମହମ୍ମଦ ସାମି ଏଲବିଡବୁଲ୍ୟ କରି ଦେଇଥିବା ‌ବେଳେ ଓଲି ରବିନସନ୍‌ଙ୍କୁ ଯଶପ୍ରୀତ୍ ବୁମରା ବୋଲ୍ଡ କରି ଇଂଲଣ୍ଡ ପାଳିରେ ଶେଷ ରେଖା ଟାଣିଥିଲେ। ସାମିଙ୍କ ବଲ୍‌ ଓଭରଟନ୍‌ଙ୍କ ଆଣ୍ଠୁ ଉପରକୁ ବାଜିଥିବାରୁ ସେ ରିଭ୍ୟୁ କରିଥିଲେ ମଧ୍ୟ ହାରିଯାଇଥିଲେ। ଆରମ୍ଭରୁ ସାମିଙ୍କୁ ଲଗାତାର ଚୌକା ମାରି ଓଭରଟନ୍‌ ଅଭିଯାନ ଆରମ୍ଭ କରିଥିବାରୁ ସାମି ଏହାର ପ୍ରତିଶୋଧ ନେଇଯାଇଥିଲେ। ଏଥି ସହ ସାମି ଭାରତର ସଫଳତମ ‌ବୋଲର ଭାବେ ୪ ୱିକେଟ୍ ନେଇଥିଲେ। ବୁମରା, ସିରାଜ, ଜାଦେଜା ୨ ଲେଖାଏଁ ୱିକେଟ୍ ‌ନେଇ ଇଂଲଣ୍ଡର ସମ୍ଭାବ୍ୟ ୫୦୦ ରନ୍ ଲକ୍ଷ୍ୟକୁ ରୋକି ଦେଇଥିଲେ।

ରୋହିତଙ୍କ ଟି-୨୦ ଟଚ୍‌
ଶୁକ୍ରବାର ଭାରତ ପାଳି ଆରମ୍ଭ ବେଳକୁ ପାଗ ପ୍ରତିକୂଳ ଥିଲା। ମେଘୁଆ ଆକାଶ, ଢେର ସୁଇଙ୍ଗ କରୁଥିଲା ବଲ୍‌, ପିଚ୍‌ ଛୁଇଁବା ମାତ୍ରେ ବଲ୍‌ ବି ଗତିଶୀଳ ହେଉଥିଲା। ଭାରତୀୟ ପ୍ରାରମ୍ଭିକ ଯୋଡ଼ି ଖେଳିବାକୁ ମ‌ନା କରିଦେଇଥିଲେ ବି ଆପଣ କ୍ଷମା କରିଦେଇଥା’ନ୍ତେ। ଏସବୁ ସତ୍ତ୍ବେ ରୋହିତ ଶର୍ମାଙ୍କ ଏକ ଛକା ତାଙ୍କ ଟ୍ବେଣ୍ଟି-୨୦ ଟଚ୍‌ ଭଳି ଥିଲା। ରବିନ୍‌ସନଙ୍କ ଏକ ଦିଶାହୀନ ବାଉଁସରକୁ ରୋହିତ ସ୍ଲିପ୍ ଉପର ଦେଇ ଖେଳିଥିଲେ, ବଲ୍‌ ଓ ବ୍ୟାଟର ସମ୍ପର୍କ ଏତେ ଭଲ ହୋଇଥିଲା ଯେ ବଲ୍‌ ଥାର୍ଡମ୍ୟାନ୍‌ ସୀମା ରେଖା ବାହାରେ ପଡ଼ିଥିଲା। ମ୍ୟାଚ୍‌ରେ ଏହା ଥିଲା ଭାରତର ପ୍ରଥମ ଛକା।

ଶେଷ ସେକେଣ୍ଡ୍‌ ରିଭ୍ୟୁ
ଭାରତ ପାଳିର ଦଶମ ଓଭରରେ କେଏଲ୍ ରାହୁଲଙ୍କ ବିପକ୍ଷରେ ଓଲି ରବିନ୍‌ସନଙ୍କ ଏଲ୍‌ବିଡବଲ୍ୟୁ ଆବେଦନକୁ ଅମ୍ପାୟାର୍ ଆଉଟ୍‌ ସଙ୍କେତ ଦେଇଥିଲେ। ଇଂଲଣ୍ଡ ଖେଳାଳି ବି ୱିକେଟ୍‌ ଉତ୍ସବ ପାଳିବାରେ ମାତି ଯାଇଥିଲେ। ରୋହିତଙ୍କ ସହ ଆଲୋଚନା କରିବାରେ ସମୟ କାଟିଦେଇଥିଲେ ରାହୁଲ। ଶେଷ ସେକେଣ୍ଡରେ ରିଭ୍ୟୁ ନେଇ ସଫଳ ହୋଇଥିଲେ। ହେଲେ ଏହାର ଫାଇଦା ଉଠାଇ ପାରିନଥିଲେ। ଓଭରଟନଙ୍କ ବୋଲିଂରେ ସ୍ଲିପ୍‌ରେ ବେୟାରଷ୍ଟୋଙ୍କ ଚମତ୍କାର ଏକହାତିଆ କ୍ୟାଚ୍‌ ରାହୁଲଙ୍କୁ ବିଦାୟ ରାସ୍ତା ଦେଖାଇଥିଲା। ଅନୁରୂପ ଭାବେ ରୋହିତ ଶର୍ମାଙ୍କ ବିପକ୍ଷରେ ଏକ ନିଶ୍ଚିତ ଏଲ୍‌ବିଡବ୍‌ଲ୍ୟୁକୁ ରୁଟ୍‌ ନେଇ ପାରିନଥିଲେ। ସାଥି ଖେଳାଳିଙ୍କ ପରାମର୍ଶ ନେଉନେଉ ଧାର୍ଯ୍ୟ ୧୫ ସେକେଣ୍ଡ ଅତିକ୍ରମ କରିଯାଇଥିଲା। ୧୬ତମ ସେକେଣ୍ଡରେ ରୁଟ୍‌ ସଙ୍କେତ ଦେଇଥିଲେ ମଧ୍ୟ ଅମ୍ପାୟାର୍‌ ଏହାକୁ ନାକଚ କରିଦେଇଥିଲେ। ରୋହିତ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲେ।

ସମ୍ବନ୍ଧିତ ଖବର