ଇତିହାସ ରଚିଲେ ଭାବିନା: ପ୍ରଥମ ଭାରତୀୟ ଟିଟି ଖେଳାଳି ଭାବେ ପାରାଲିମ୍ପିକ୍ସରେ ପଦକ ପକ୍କା କଲେ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ପକ୍କା କରିଛନ୍ତି ଟେବୁଲ ଟେନିସ ଖେଳାଳି ଭାବିନାବେନ୍‌ ହସମୁଖଭାଇ ପଟେଲ। ଶୁକ୍ରବାର ଟେବୁଲ ଟେନିସ (ଟିଟି) ମହିଳା ଏକକ କ୍ଲାସ୍‌୪ର ସେମିଫାଇନାଲ୍‌ରେ ପ୍ରବେଶ କରି ଅତିକମ୍‌ରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ଏଥିସହ ପ୍ରଥମ ଭାରତୀୟ ଟିଟି ଖେଳାଳି ଭାବେ ପାରାଲିମ୍ପିକ୍ସରେ ପଦକ ଜିତିବାର ଇତିହାସ ରଚିଛନ୍ତି ଭାବିନା। ଟୋକିଓ ମେଟ୍ରୋପଲିଟାନ୍‌ ଜିମ୍ନାସିୟମର ଟେବୁଲ-୫ରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ବିଶ୍ବର ଦ୍ବାଦଶ ମାନ୍ୟତାପ୍ରାପ୍ତ ଭାବିନା ସିଧାସଳଖ ୩-୦ (୧୧-୫, ୧୧-୬, ୧୧-୭) ସେଟ୍‌ରେ ରିଓ ବିଜୟିନୀ ସର୍ବିଆର ବୋରିସଲାଭା ରାଙ୍କୋଭିକ ପେରିକଙ୍କୁ ହରାଇଥିଲେ। ବିଶ୍ବର ୨ ନମ୍ବର ଏହି ଖେଳାଳିଙ୍କ ବିପକ୍ଷ ମ୍ୟାଚ୍‌ ଜିତିବାକୁ ୩୪ ବର୍ଷୀୟା ଭାବିନା ମାତ୍ର ୧୮ ମିନିଟ୍‌ ସମୟ ନେଇଥିଲେ। ଏହା ପୂର୍ବରୁ ଖେଳାଯାଇଥିବା ପ୍ରିକ୍ବାର୍ଟର ଫାଇନାଲ୍‌ରେ ସେ ୩-୦ (୧୨-୧୦, ୧୩-୧୧, ୧୧-୬) ସେଟ୍‌ରେ ବ୍ରାଜିଲର ଜୋୟସି ଡି’ଓଲିଭେଇରାଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଶନିବାର ସେମିଫାଇନାଲ୍‌ରେ ସେ ବିଶ୍ବର ୩ ନମ୍ବର ଖେଳାଳି ଚୀନ୍‌ର ମିଆଓ ଝାଙ୍ଗଙ୍କୁ ଭେଟିବେ। ଚଳିତ ପାରାଲିମ୍ପିକ୍ସରେ କାଂସ୍ୟ ପଦକ ମୁକାବିଲା ବ୍ୟବସ୍ଥା ନଥିବାରୁ ଉଭୟ ସେମିଫାଇନାଲ୍‌ ପରାଜିତ ପ୍ରତିଯୋଗୀ କାଂସ୍ୟ ପଦକ ହାସଲ କରିବେ। ସେହିଦୃଷ୍ଟିରୁ ସେମିଫାଇନାଲ୍‌ରେ ପହଞ୍ଚିଯାଇଥିବା ଭାବିନାଙ୍କ ପଦକ ଅମଳ ନିଶ୍ଚିତ ହୋଇଯାଇଛି।

ସମ୍ବନ୍ଧିତ ଖବର