ଆତଙ୍କବାଦୀଙ୍କୁ ବାଇଡେନ୍‌ଙ୍କ ଚେତାବନୀ: ଖୋଜି ଖୋଜି ମାରିବୁ, ଉଦ୍‌ବୋଧନ ବେଳେ ଭାଙ୍ଗିପଡ଼ିଲେ

ୱାସିଂଟନ୍‌: ତାଲିବାନର କ୍ଷମତା ଦଖଲ ସହିତ ଏବେ ସମଗ୍ର ଆଫ୍‌ଗାନିସ୍ତାନ ଏବେ ବାରୁଦ ଗଦାରେ ରହିଛି। ଗତକାଲି ଆଇଏସ୍‌-କେ ଆତଙ୍କବାଦୀଙ୍କ ଆକ୍ରମଣରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୧୩ ଜଣ ଆମେରିକୀୟ ସୈନିକ ମଧ୍ୟ ଅଛନ୍ତି। ଏହି ଆକ୍ରମଣର ପ୍ରତିଶୋଧ ନିଆଯିବ ଏବଂ ଆଇଏସ୍‌ ଆତଙ୍କବାଦୀ ନିସ୍ତାର ପାଇବେ ନାହିଁ ବୋଲି ସେ କହିଛନ୍ତି। ‘ଆମେରିକା ଏହି ଆକ୍ରମଣକୁ ଭୁଲିବ ନାହିଁ କି କ୍ଷମା କରିବ ନାହିଁ। ଆକ୍ରମଣକାରୀଙ୍କୁ ଆମେ ଗୋଡ଼ାଇ ଗୋଡ଼ାଇ ନିପାତ କରିବୁ’ ବୋଲି ବାଇଡେନ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି। ଆଇଏସ୍‌-କେ ଆତଙ୍କବାଦୀ ସଂଗଠନକୁ ମୂଳପୋଛ କରିବା ପାଇଁ ତୁରନ୍ତ ରଣନୀତି ପ୍ରସ୍ତୁତ କରିବାକୁ ବାଇଡେନ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ବିରୋଧରେ ଆଇଏସ୍‌ ଆତଙ୍କବାଦୀ କେବେ ବି ସଫଳ ହୋଇପାରିବେ ନାହିଁ। ଆମେ ଆମେରିକୀୟଙ୍କୁ ରକ୍ଷା କରିବୁ ଏବଂ ସେମାନଙ୍କୁ ସୁରକ୍ଷିତ ଆଫଗାନିସ୍ତାନରୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ବାଇଡେନ୍‌ କହିଛନ୍ତି।

ତେବେ ଗତକାଲିର କାବୁଲ ବିସ୍ଫୋରଣ ଘଟଣା ବାଇଡେନଙ୍କ ନେତୃତ୍ବକୁ ‌ଶକ୍ତ ଧକ୍କା ଦେଇଛି। ହ୍ବାଇଟ୍‌ ହାଉସ୍‌ରୁ ଦେଶକୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ବାଇଡେନ୍‌ ନିହତ ସୈନିକଙ୍କ ସମ୍ପର୍କରେ କହିବା ସମୟରେ କାନ୍ଦିବା ଅବସ୍ଥାକୁ ଆସିଯାଇଥିଲେ। କିଛି ସମୟ ପାଇଁ ବାଇଡେନ୍‌ ନିରବ ରହିବା ସହ ତାଙ୍କ ମୁଣ୍ଡ ନୁଆଁଇ ଦେଇଥିଲେ ଓ ତାଙ୍କର କଣ୍ଠରୁଦ୍ଧ ହୋଇଯାଇଥିଲା। ‌ ଯେ କୌଣସି ସ୍ଥିତିରେ ବି ଆଫଗାନିସ୍ତାନରୁ ଉଦ୍ଧାର କାର୍ଯ୍ୟ ଜାରି ରହିବ ଏବଂ ସେଠାରେ ଥିବା ସମସ୍ତ ଆଫଗାନ୍‌ ସହଯୋଗୀଙ୍କୁ ମଧ୍ୟ ଖାଲି କରାଯିବ ବୋଲି ବାଇଡେନ କହିଛନ୍ତି। ଆମେରିକା କେନ୍ଦ୍ରୀୟ କମାଣ୍ଡର ମୁଖ୍ୟ ଜେନେରାଲ କେନ୍ନେଥ ମ୍ୟାକେଞ୍ଜି କହିଛନ୍ତି, ଆମେରିକା ଆଫଗାନିସ୍ତାନରେ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସମୟରେ ଅଧିକରୁ ଅଧିକ ଆକ୍ରମଣ ଆଶଙ୍କା କରାଯାଉଛି। ଆମେରିକା ବିଦେଶ ବିଭାଗ ଆଜି ଆଫଗାନିସ୍ତାନରେ ପ୍ରାୟ ୧,୦୦୦ ଆମେରିକୀୟଙ୍କ ସହ ଯୋଗା‌ଯୋଗ କରିଛି। ଆମେରିକା କାବୁଲରୁ ୧ ଲକ୍ଷରୁ ଅଧିକ ଅଧିକ ଲୋକଙ୍କୁ ସୁରକ୍ଷିତ ଖାଲି କଲାଣି ବୋଲି ଗତକାଲି ହ୍ବାଇଟ୍‌ ହାଉସ୍‌ ଘୋଷଣା କରିବାପରେ ଏହି ବିସ୍ଫୋରଣ ହୋଇଥିଲା। ତେବେ ଏହି ବିସ୍ଫୋରଣ ସତ୍ତ୍ବେ ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ବାଇଡେନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର