ଭାରତ ପରାସ୍ତ; ଇଂଲଣ୍ଡର ପ୍ରଥମ ବିଜୟ

ଝୁଲଣଙ୍କ ମାଇଲଖୁଣ୍ଟ: ୨୫୦ ଦିନିକିଆ ୱିକେଟ୍‌ ନେବାରେ ପ୍ରଥମ ମହିଳା କ୍ରିକେଟର୍‌

ମାଉଣ୍ଟ ମଙ୍ଗନୁଇ: ଚଳିତ ମହିଳା ବିଶ୍ବକପ୍‌ରେ ଭାରତ ବୁଧବାର ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଛି। ଏହା ପୂର୍ବରୁ କ୍ରମାଗତ ୩ ମ୍ୟାଚ୍‌ ହାରି ଅଲୋଡା ହ୍ୟାଟ୍ରିକ୍‌ କୀର୍ତ୍ତି ବହନ କରିଥିବା ଇଂଲଣ୍ଡ ଏହି ମ୍ୟାଚ୍‌ରେ ଭାରତକୁ ୪ ୱିକେଟ୍‌ରେ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ସମାନ ୪ ମ୍ୟାଚ୍‌ ଖେଳିଥିବା ଭାରତ ଦ୍ବିତୀୟ ପରାଜୟ ବରଣ କଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଭାରତ ମାତ୍ର ୧୩୪ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ପୂରା ଦଳ ୩୬.୨ ଓଭର ଖେଳିପାରିଥିଲା। ଜବାବ‌ରେ ଇଂଲଣ୍ଡ ୩୧.୨ ଓଭରରେ ୬ ୱିକେଟ୍‌ ହରାଇ ୧୩୬ ରନ୍‌ ସହ ମ୍ୟାଚ୍‌ ଜିତି ନେଇଥିଲା।

ଭାରତ ପକ୍ଷରୁ ଓପ୍‌ନର ସ୍ମୃତି ମନ୍ଧାନା (୩୫), ୱିକେଟ୍‌ରକ୍ଷକ ବ୍ୟାଟର୍‌ ରିଚା ଘୋଷ (୩୩), ଝୁଲଣ ଗୋସ୍ବାମୀ (୨୦) ଓ ହର୍ମନପ୍ରୀତ୍‌ କୌର (୧୪) କେବଳ ଦୁଇ ଅଙ୍କ ଛୁଇଁଥିଲେ। ମିତାଲି ରାଜ (୧), ଦୀପ୍ତି ଶର୍ମା (୦), ୟାସ୍ତିକା ଭାଟିଆ (୮) ଓ ସ୍ନେହ ରାଣା (୦) ନିରାଶ କରିଥିଲେ। ଇଂଲଣ୍ଡ ପକ୍ଷରୁ ଚାର୍ଲୋଟେ ଡିନ୍‌ (୮.୨-୧-୨୩-୪) ଏବଂ ଆନ୍ୟା ସ୍ରବ୍‌ସୋଲେ (୬-୧-୨୦-୨) ଘାତକ ବୋଲିଂ କରି ଭାରତର ବିପର୍ଯ୍ୟୟ ଘଟାଇଥିଲେ। ଜବାବରେ ଅଧିନାୟିକା ହିଦର ନାଇଟ୍‌ (୫୩*)ଙ୍କ ଅପରାଜିତ ଅର୍ଦ୍ଧଶତକ ସାଙ୍ଗକୁ ନାତାଲିଆ ସିଭର (୪୫) ଓ ସୋଫିଆ ଡଙ୍କ୍‌ଲେ (୧୭)ଙ୍କ ଦ୍ରୁତ ରନ୍‌ ବଳରେ ଇଂଲଣ୍ଡ ୧୧୨ ବଲ୍‌ ପୂର୍ବରୁ ବିଜୟ ମୁଣ୍ଡି ମାରିଥିଲା। ଭାତର ପକ୍ଷରୁ ମେଘନା ସିଂହ (୭.୨-୩-୨୬-୩) ସଫଳ ବୋଲର ରହିଥିଲେ। ଘାତକ ବୋଲିଂ ପ୍ରଦର୍ଶନ ପାଇଁ ଚାର୍ଲୋଟେ ଡିନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

୧୩୪ ରନ୍‌ କରିଥିବା ଭାରତ ୧୩ ବର୍ଷ ପରେ ସର୍ବନିମ୍ନ ସ୍କୋର୍‌ର ଅଲୋଡା କୀର୍ତ୍ତି ପାଇଥିଲା। ଶେଷ ଥର ପାଇଁ ୨୦୦୯ ବିଶ୍ବକପ୍‌ରେ ଭାରତୀୟ ଦଳ ଅଷ୍ଟ୍ରେଲିଆର ସିଡ୍‌ନି ପଡ଼ିଆରେ ଶ୍ରୀଲଙ୍କା ବିପକ୍ଷରେ ୧୩୭/୭ (୫୦ ଓଭରରେ) ସ୍କୋର୍‌ କରିଥିଲା। ଏହି ସର୍ବନିମ୍ନ ଦଳୀୟ ସ୍କୋର୍‌ଠୁ ବୁଧବାର ଚଳିତ ବିଶ୍ବକପ୍‌ରେ ପଛରେ ପଡ଼ିଗଲା। ଫଳରେ ମହିଳା ବିଶ୍ବକପ୍‌ରେ ସର୍ବନିମ୍ନ ଦଳଗତ ସ୍କୋର୍‌ର କୀର୍ତ୍ତି ବହନ କଲା। ମୋଟାମୋଟି ଭାବେ ଦେଖିବାକୁ ଗଲେ ମହିଳା ବିଶ୍ବକପ୍‌ରେ ଭାରତର ଏହା ଦ୍ବାଦଶ ସର୍ବନିମ୍ନ ସ୍କୋର୍‌। ଭାରତର ସବୁଠୁ କମ୍‌ ସ୍କୋର୍‌ ୩୭ ରହିଛି। ଯାହାକୁ କି ଦଳ ୧୯୮୨ ସଂସ୍କରଣରେ ଅକ୍‌ଲାଣ୍ଡ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ କରିଥିଲା। ଏପରିକି ମହିଳା ବିଶ୍ବକପ୍‌ ଇତିହାସରେ ନିଜର ଏହି ୧୨ ସର୍ବନିମ୍ନ ସ୍କୋର୍‌ ମଧ୍ୟରୁ ଭାରତ ୭ ଥର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ରେ ସୀମିତ ରହିଥିଲା।

ଝୁଲଣଙ୍କ ମାଇଲଖୁଣ୍ଟ: ୨୫୦ ଦିନିକିଆ ୱିକେଟ୍‌ ନେବାରେ ପ୍ରଥମ ମହିଳା କ୍ରିକେଟର୍‌
ଚଳିତ ବିଶ୍ବକପ୍‌ରେ ବୁଧବାର ଇଂଲଣ୍ଡଠାରୁ ଭାରତ ପରାସ୍ତ ହୋଇଥିଲେ ମଧ୍ୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ୨୦୦୫ରେ ଆନ୍ତର୍ଜାତିକ ପଦାର୍ପଣ କରିଥିବା ଏହି ୩୯ ବର୍ଷ ବୟସ୍କା ଡାହାଣ ହାତୀ ଦ୍ରୁତ ବୋଲର ଚଳିତ ବର୍ଷ ବ୍ୟକ୍ତିଗତ ଭାବେ ପଞ୍ଚମ ବିଶ୍ବକପ୍‌ ଖେଳୁଛନ୍ତି। ବୁଧବାର ଆନ୍ତର୍ଜାତିକ ଦିନିକିଆରେ ୨୫୦ ୱିକେଟ୍‌ ଦଖଲ କରିବାରେ ଏହି ଭାରତୀୟ ଦ୍ରୁତ ବୋଲର ବିଶ୍ବର ପ୍ରଥମ ମହିଳା କ୍ରିକେଟର୍‌ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ବୁଧବାର ତାମି ବିଉମେଣ୍ଟ୍‌ଙ୍କୁ ଆଉଟ୍‌ କରିବା ପରେ ଏହି ମାଇଲଖୁଣ୍ଟ୍‌ରେ ପହଞ୍ଚିଥିଲେ। ସେ ମଧ୍ୟ ଇଂଲଣ୍ଡ ପାଳିରେ ଏହି ଏକମାତ୍ର ୱିକେଟ୍‌ ପାଇଥିଲେ। ପୁଣି ତିନି ଦିନ ତଳେ ଝୁଲଣ ମଧ୍ୟ ମହିଳା ବିଶ୍ବକପ୍‌ ଇତିହାସ‌ରେ ସର୍ବକାଳୀନ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲର ହୋଇଥିଲେ। ଏହିକ୍ରମରେ ସେ ଅଷ୍ଟ୍ରେଲିଆର ଲିନ୍‌ ଫୁଲ୍‌ଷ୍ଟନ୍‌ଙ୍କ କୀର୍ତ୍ତିମାନ ଭାଙ୍ଗି ଦେଇଥିଲେ। ଝୁଲଣ ମଧ୍ୟ ଏକାମାତ୍ର ବୋଲର ଯିଏକି ମହିଳା ଦିନିକିଆ ଆନ୍ତର୍ଜାତିକରେ ୨୦୦ରୁ ଅଧିକ ୱିକେଟ୍‌ ଅକ୍ତିଆର କରିଛନ୍ତି।

 

ସମ୍ବନ୍ଧିତ ଖବର