ଏସୀୟ ରଗ୍‌ବିରୁ କାଂସ୍ୟ, ଭାରତକୁ ଐତିହାସିକ ବିଜୟ ଦେଲେ ୭ ଓଡ଼ିଆ ଝିଅ

ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଭୁବନେଶ୍ବର: ଅଧା ଡଜନରୁ ଊର୍ଧ୍ବ ଓଡ଼ିଆ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ମହିଳା ରଗ୍‌ବି ଦଳ ଶନିବାର ଐତିହାସିକ ସଫଳତା ପାଇଛି। ପ୍ରଥମ ଥର ଲାଗି ଅନ୍ତର୍ଜାତୀୟସ୍ତରରେ ୧୫ଏସ୍‌ ବିଜୟ ହାସଲ କରିଛି। ଫିଲିପାଇନ୍ସର ମାନିଲାଠାରେଠାରେ ଆୟୋଜିତ ଏସୀୟ ରଗ୍‌ବି ମହିଳା ଚାମ୍ପିଅନ୍‌ସିପ୍‌ ଡିଭିଜନ୍‌-୧ରେ ସିଙ୍ଗାପୁରକୁ ୨୧-୧୯ରେ ହରାଇଥିଲା। ଏହି ବିଜୟ ଭାରତରେ ମହିଳା ରଗ୍‌ବିରେ ନୂଆ ଅଧ୍ୟାୟ ଯୋଡ଼ିଥିଲା। କାଂସ୍ୟ ପଦକ ଜିତି ନେଇଥିଲା। ଭାରତର ବିଜୟରେ ଓଡ଼ିଆ ଝିଅ ସୁମିତ୍ରା ନାୟକ ପ୍ରମୁଖ ଭୂମିକା ତୁଲାଇଥିଲେ। ଏକ ସମୟରେ ଭାରତୀୟ ଦଳ ୧୮-୧୯ରେ ପଛୁଆ ଥିବାବେଳେ ଓଡ଼ିଆ ଝିଅ ସୁମିତ୍ରା ପେନାଲଟିରୁ ୨ ପଏଣ୍ଟ୍ ଆଣି ଚମତ୍କାର ବିଜୟ ଦେଇଥିଲେ। କେବଳ ସୁମିତ୍ରା ନୁହଁନ୍ତି ଏହି ଦଳରେ ୭ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଥିଲେ। ୫ ଜଣ ଖେଳାଳି ମୀରାରାଣୀ ହେମ୍ବ୍ରମ୍‌, ରଜନୀ ଶବର, ପାର୍ବତୀ କିସ୍କୁ, ହୁପି ମାଝୀ, ସୁମିତ୍ରା ନାୟକ କିସ୍‌ ଛାତ୍ରୀ ହୋଇଥିବାବେଳେ ଲକ୍ଷ୍ମୀପ୍ରିୟା ସାହୁ, ଶୁଭଲକ୍ଷ୍ମୀ ବାରିକ ଭୁବନେଶ୍ବକର ରଗ୍‌ବି ସଂଘର। ଏହି ଦଳକୁ ଓଡ଼ିଶା ସରକାର ପ୍ରା‌ୟୋଜିତ କରିଥିବାବେଳେ ଏହି ଐତିହାସିକ ସଫଳତା ପାଇଁ ଭାରତୀୟ ଦଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟର୍‌ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ‌ଖେଳାଳିମାନଙ୍କୁ ମଧ୍ୟ କିସ୍ ଓ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ, କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା, ଓଡ଼ିଶା ରଗ୍‌ବି ଫୁଟବଲ୍ ସଂଘ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ କିଟ୍ ପରିସରରେ ପ୍ରଶିକ୍ଷଣ ଶିବିର ସାରି ଭାରତୀୟ ଦଳ ମାନିଲା ଗସ୍ତ କରିଥିଲା।

ପୁରୁଷ ଦଳରେ ନାହାନ୍ତି ଓଡ଼ିଆ
ଭୁବନେଶ୍ବର: ଏସୀୟ ରଗ୍‌ବି ଚାମ୍ପିଅନ୍‌ସିପ୍‌ (ଡିଭିଜନ୍‌-୩) ଲାଗି ଶନିବାର ଭାରତୀୟ ପୁରୁଷ ଦଳ ଘୋଷିତ ହୋଇଛି। ଭାରତ, ଚୀନ୍‌ ଓ ଆୟୋଜକ ଇଣ୍ଡୋନେସିଆକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା‌ ଜାକର୍ତାରେ ଚଳିତ ମାସ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ ୨୬ ତାରିଖରେ ଚୀନ୍‌କୁ ଏବଂ ୨୯ରେ ଇଣ୍ଡୋନେସିଆକୁ ଭେଟିବ। ଏହି ପ୍ରତିଯୋଗିତାର ବିଜେତା ଦଳ ଏସୀୟ ରଗ୍‌ବି ଚାମ୍ପିଅନ୍‌ସିପ୍‌ (ଡିଭିଜନ-୨)କୁ ଯୋଗ୍ୟତା ଅର୍ଜନ କରିବ। ରଗ୍‌ବି ଇଣ୍ଡିଆ, ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ କିଟ୍‌ର ମିଳିତ ସହଯୋଗରେ ଭୁବନେଶ୍ବରଠାରେ ଚଳିତ ମାସ ୧୦ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ଜାତୀୟ ଶିବିରରୁ ଏହି ୨୬ ଜଣିଆ ଦଳ ବଛାଯାଇଥିଲା।

ଭାରତୀୟ ଦଳ: ବିକାଶ ଖତ୍ରୀ (ଅଧିନାୟକ), ମୋହିତ ଖତ୍ରୀ (ଉପଅଧିନାୟକ), ଦୀପକ ପୁନିଆ, ପ୍ରିନ୍ସ ଖତ୍ରୀ, ସୌରଭ ଦୁବାଲ, ଅନିଲ କୁମାର, ସୁରେନ୍ଦର ଜୁନ୍‌, ହିତେଶ ଦିଗାର, ପ୍ରଦୀପ ତନୱାର, ଅଜୟ, ମନୁ ଯାଦବ, ମୁକେଶ ମଙ୍କୋଟିଆ, ନୀତିନ ଦଗାର, ସୁଜୈ ଲାମା, ପର୍ଭେନ୍ଦର ସିଂହ, ସୁରିନ୍ଦର ସିଂହ, ଶୋକେନ୍ଦର, ଜିତେନ୍ଦ୍ର କୁମାର, ସୁରେଶ କୁମାର, ପପୁ ତୋଡ଼କର, ସୁକୁମାର ହେମ୍ବ୍ରମ, ଆକାଶ ବାଲ୍ମିକି, ଅଜୟ ବାଲ୍ମିକି, ପ୍ରତାପ କୁଣ୍ଡୁ, ସୂରଜ ପ୍ରସାଦ, ସରଣରାଜ ଶଙ୍କର।

ସମ୍ବନ୍ଧିତ ଖବର