ରୋହିତଙ୍କ ସହ କୋହଲି ତୁଳନୀୟ ନୁହଁନ୍ତି: ‌ସେହବାଗ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କୁ ମନଖୋଲା ପ୍ରଶଂସା କରିଛନ୍ତି ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହବାଗ। ବୀରୁ କହିଛନ୍ତି, ରନ୍‌ ସ୍କୋରିଂ ହାର ଦେଖିଲେ ରୋହିତଙ୍କ ସହ କାହାରିକୁ ତୁଳନା କରାଯାଇପାରିବ ନାହିଁ। ଏପରିକି ନିୟମିତ ଅଧିନାୟକ ବିରାଟ କୋହଲି ବି ନୁହଁନ୍ତି। ରୋହିତଙ୍କ ରନ୍‌ ସ୍କୋରିଂ ଗତି ଏବଂ ସ୍ଥିରତା କୋହଲି ବି କରିପାରିନାହାନ୍ତି। ଗୋଟିଏ ଓଭରରେ ୩/୪ ଛକା ମାରିବା ଏବଂ ୪୫ ବଲ୍‌ରୁ ୮୦/୯୦ ରନ୍‌ ସଂଗ୍ରହ କରିବା ଏକ କଳା। ରୋହିତ ଶର୍ମା ଏହାକୁ ଯେଭଳି ନିୟମିତ ଭାବେ କରିପାରିଛନ୍ତି କୋହଲି କରିନାହାନ୍ତି ବୋଲି ସେହବାଗ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟି-୨୦ ମ୍ୟାଚ୍‌ରେ ରୋହିତ ୪୩ ବଲ୍‌ରୁ ୮୫ ରନ୍ କରିବା ସହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅଧିକାଂଶ ସମୟରେ ସଚିନ ତେନ୍ଦୁଲକର କହିଥାନ୍ତି ‘ମୁଁ ଯଦି ପଡିଆରେ କରିପାରିଛି, ଆପଣମାନେ କାହିଁକି ନୁହଁ’। ସେ କିନ୍ତୁ କେବେ ବୁଝିନାହାନ୍ତି ‘ଜଣେ ମାତ୍ର ଈଶ୍ବର ଥାନ୍ତି ଏବଂ ସେ ହିଁ ସେଭଳି କାମ କରିପାରନ୍ତି, ଅନ୍ୟ କେହି ନୁହେଁ’।

ସମ୍ବନ୍ଧିତ ଖବର