ଲାହିରୁ ଥିରିମାନେଙ୍କ ଅବସର

କଲମ୍ବୋ: ଶ୍ରୀଲଙ୍କା ବ୍ୟାଟର୍‌ ଲାହିରୁ ଥିରିମାନେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ରବିବାର ଘୋଷଣା କରିଛନ୍ତି। ୧୨ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍‌ ଜୀବନରେ ୩୩ ବର୍ଷୀୟ ଥିରିମାନେ ୪୪ ଟେ‌ଷ୍ଟ୍‌, ୧୨୭ ଦିନିକିଆ, ୨୬ ଟ୍ବେଣ୍ଟି-୨୦ ମ୍ୟାଚ୍‌‌ ଖେଳିଛନ୍ତି। ୨୦୧୦‌ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଥିରିମାନେ ୩ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିବା ସହ ୨୦୧୪ରେ ଦଳକୁ ବିଜେତା କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏଥିସହ ସେ ୨ଟି ଏକଦିବସୀୟ ଦିନିକିଆ ବିଶ୍ବକପ୍‌‌ରେ ଶ୍ରୀଲଙ୍କାର ପ୍ରତିନିଧିତ୍ବ କରିଛନ୍ତି।

ସେ ମଧ୍ୟ ୫ଟି ଦିନିକିଆରେ ନିଜ ଦେଶର ନେତୃତ୍ବ ଭାର ନେଇଛନ୍ତି। ୨୦୨୨ରେ ଭାରତ ବିପକ୍ଷରେ ବେଙ୍ଗାଲୁରୁରେ ସେ ଶେଷ ‌ଟେଷ୍ଟ୍‌ ମ୍ୟାଚ୍‌ ଖେଳିଥିଲେ। ‘‘ଜଣେ ଖେଳାଳି ଭାବେ ଶ୍ରେଷ୍ଠ ଦେବାକୁ ସର୍ବଦା ଚେଷ୍ଟା କରିଛି, ମୁଁ ଏହି ଖେଳକୁ ସମ୍ମାନ ଦିଏ ଏବଂ ଜନ୍ମ ମାଟି ପାଇଁ ମୋ ଦାୟିତ୍ବ ଠିକ୍‌ ଭାବେ ପାଳନ କରିଛି। କିନ୍ତୁ ଆଜି ଏହି ନିଷ୍ପତ୍ତି ବହୁ କଷ୍ଟରେ ନେଇଛି। ଏହା ପଛରେ ବହୁ କାରଣ ରହିଛି। ଜାତୀୟ ଦଳରେ ଖେଳିବାର ସୁଯୋଗ ଦେଇଥିବାରୁ ଶ୍ରୀଲଙ୍କା କ୍ରିକେଟ୍‌କୁ ଧନ୍ୟବାଦ ଦେବି। ମୋର ସମସ୍ତ ପ୍ରଶିକ୍ଷକ, ସାଥୀ ଖେଳାଳି, ଫିଜିଓ, ଟ୍ରେନରଙ୍କ ସହଯୋଗ ‌ଯୋଗୁ ଏତେ ବାଟ ଆସି ପାରିଛି’’ ବୋଲି ଅବସର ଘୋଷଣା ବେଳେ ଥିରିମାନେ କହିଛନ୍ତି।

ସମ୍ବନ୍ଧିତ ଖବର