କୁସ୍ତିଯୋଦ୍ଧାଙ୍କ ପାଇଁ ଆଜି ମହାପଞ୍ଚାୟତ

ନୂଆଦିଲ୍ଲୀ : ଯନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି ରହିଛି। ଦ୍ବିତୀୟ ପର୍ଯ୍ୟାୟର ଏହି ଆନ୍ଦୋଳନକୁ ରବିବାର ଦୁଇ ସପ୍ତାହ ପୂରିବ। ରବିବାର ମହାପଞ୍ଚୟତ ବସି ଏହି ପ୍ରସଙ୍ଗର ସମାଧାନ ପାଇଁ ପ୍ରୟାସ ହେବାକୁ ଯାଉଛି। କର୍ତ୍ତୃପକ୍ଷ ଏବଂ ପୁଲିସ୍ ଏଥିରେ ଯୋଗଦେବେ। ଏହା ପୂର୍ବରୁ ଶନିବାର କୁସ୍ତିଯୋଦ୍ଧା ଭିନେଶ ଫୋଗଟ ତାଙ୍କ ସମର୍ଥକମାନଙ୍କୁ ଧନ୍ୟବାଦ ଦେବା ସାଙ୍ଗକୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ମହାପଞ୍ଚାୟତ ପୂର୍ବରୁ ଭିନେଶ କହିଛନ୍ତି, ଶାନ୍ତିପୂର୍ଣ୍ଣ ଧାରଣା ହିଁ ସଫଳତା‌ ଉପରେ ନିର୍ଭରଶୀଳ।

ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଚାଲିଥିବା ଏହି ଆନ୍ଦୋଳନର ସୁଫଳ ମହାପଞ୍ଚାୟତରୁ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ସମର୍ଥକମାନେ ଶାନ୍ତିପୂର୍ଣ୍ଣ ଭାବେ ଏଥିରେ ସାମିଲ ହେଲେ କୌଣସି ଖରାପ ଶକ୍ତି ଏ‌ହାକୁ ଅପହରଣ କରିପାରିବେ ନାହିଁ। ରବିବାରର ମହାପଞ୍ଚାୟତରେ ଗାଁ ଗହଳିରୁ ଲୋକ ସାମିଲ ହେବେ। ଖାପ ପଞ୍ଚାୟତ, କିଶାନ, ମଜଦୁର ସଂଘ, ଛାତ୍ର ସଂଘ ଆମକୁ ସମର୍ଥନ କରିବାକୁ ଆସିବେ। ସମସ୍ତଙ୍କୁ ଅନୁରୋଧ ଶାନ୍ତିପୂର୍ଣ୍ଣ ଭାବେ ଏଥିରେ ସାମିଲ ହୁଅନ୍ତୁ। ପୁଲିସ ଓ କର୍ତ୍ତୃପକ୍ଷଙ୍କୁ ସହଯୋଗ କରନ୍ତୁ। ଆନ୍ଦୋଳନରେ ସାମିଲ ଥିବା ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ମହାପଞ୍ଚାୟତ ପୂର୍ବରୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି, ‘ରବିବାର ସଂଧ୍ୟା ୭ଟାରେ ସଭିଏଁ ମହମ ଜାଳି ଏହି ଆନ୍ଦୋଳନକୁ ସମର୍ଥନ କରନ୍ତୁ। ଅନ୍ୟପକ୍ଷରେ ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ ପାଇଁ ଆନ୍ଦୋଳନକାରୀ ଦୁଇଟି କମିଟି ଗଠନ କରିଛନ୍ତି।

ଆନ୍ଦୋଳନର ସମସ୍ତ ରୂପରେଖ ଏହି କମିଟି ନିର୍ଧାରଣ କରିବ। ଆମେ ଓକିଲଙ୍କ ସହ ଆଲୋଚନା କରିଛୁ। ଆମ ଅଭିଯୋଗର ପୁଲିସ ରେକର୍ଡିଂ କରାନଯିବା ଯାଏ ଆନ୍ଦୋଳନ ଜାରି ରହିବ। ଆମ ସମସ୍ୟା ଜାରିଥିବାରୁ କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଆଉ ଥରେ ଭେଟିବାର କିଛି ଯୁକ୍ତିଯୁକ୍ତ କାରଣ ନାହିଁ। ତଥାପି ସେ ଆନୁଷ୍ଠାନିକ ଅନୁରୋଧ କଲେ ଆମେ ଭେଟିବୁ’ ବୋଲି ପୁନିଆ କହିଛନ୍ତି।

ଗାଙ୍ଗୁଲିଙ୍କୁ ଟାର୍ଗେଟ କଲେ ଚତୁର୍ବେଦୀ

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସମ୍ପର୍କରେ ଭାରତୀୟ କ୍ରିକେଟର୍‌ ସୌରଭ ଗାଙ୍ଗୁଲିଙ୍କ ଟ୍ବିଟ୍‌ ପରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଗାଙ୍ଗୁଲି ଲେଖିଥିଲେ, ଯନ୍ତରମନ୍ତରରେ ‘କ’ଣ ଘଟୁଛି ମୁଁ ଜାଣିନି, କେବଳ ଖବରକାଗଜରୁ ଜାଣିଛି। ସେମାନଙ୍କୁ ସେମାନଙ୍କ ଲଢ଼େଇ ଲଢ଼ିବାକୁ ଦିଆଯାଉ। ମୁଁ ଅନୁଭବ କରେ କ୍ରୀଡ଼ା ଦୁନିଆରେ କୌଣସି ବିଷୟରେ କିଛି ଜ୍ଞାନ ନଥିଲେ କିଛି କୁହାଯିବା ଉଚିତ ନୁ‌ହେଁ’। ‘ସେମାନଙ୍କୁ ସେମାନଙ୍କ ଲଢ଼େଇ ଲଢ଼ିବାକୁ ଦିଆଯାଉ’ ଉକ୍ତିକୁ ପ୍ରିୟଙ୍କା ଚତୁର୍ବେଦୀ ସମାଲୋଚନା କରିଛନ୍ତି। ‘ପ୍ରତିଦିନ ନାୟକଙ୍କ ପତନ ଘଟେ, ତେଣୁ ମୁଁ ବୁଝିଲି ସଭିଏଁ ନିରବ କାହିଁକି-ଏହା ଆମ ଲଢ଼େଇ ନୁହେଁ ତ କାହିଁକି ନୀତିଗତ ନିଷ୍ପତ୍ତି ନେବା। ଦିନ ଆସିବ ସେମାନେ ତୁମ ପାଇଁ କହିବାକୁ ଆସିବେ’।

ସମ୍ବନ୍ଧିତ ଖବର